ହଜାରେ ଟଙ୍କିଆ ଫୁଲ ରାକ୍ଷୀ: ବ୍ୟାସାର୍ଦ୍ଧ ୧୨ ଇଞ୍ଚ, ପରିଧି ୮୦ ଇଞ୍ଚ

ଫ୍ୟାନ୍ସି ଫୁଲ ରାକ୍ଷୀର ବଢ଼ୁଛି ଚାହିଦା

କଟକ: ସାଧାରଣ ଭାବେ ମହାପ୍ରଭୁଙ୍କ ପାଖରେ ଲାଗି ହୁଏ ଫୁଲ ରାକ୍ଷୀ। କିନ୍ତୁ ଏବେ ଧୀରେ ଧୀରେ ଫ୍ୟାନ୍ସି ଫୁଲ ରାକ୍ଷୀ ପ୍ରତି ଆକର୍ଷଣ ବଢିବାରେ ଲାଗିଛି। କଟକ ସହରରେ ତିଆରି ହେଉଛି ଏକ ବଡ଼ ରାକ୍ଷୀ, ଯାହାର ବ୍ୟାସାର୍ଦ୍ଧ ରହିଛି ୧୨ ଇଞ୍ଚ ଓ ପରିଧି ରହିଛି ୮୦ ଇଞ୍ଚ। ଏହାର ଦର ୧ହଜାର ଟଙ୍କା ରଖାଯାଇଛି। ଏହି ଫୁଲ ରାକ୍ଷୀ ପୁରୀଘାଟ ସ୍ଥିତ ହନୁମାନ ମନ୍ଦିରରେ ଠାକୁରଙ୍କୁ ଲାଗି କରିବା ପାଇଁ ରହିଛି। ଫୁଲ ରାକ୍ଷୀ ପାଇଁ ରଙ୍ଗିନ ସିଲ୍‌କ ଜରି, ଲେସ୍‌, ପାରା ଗ୍ଲାସ ଲିଫ୍‌, ଗ୍ଲିଟର ପେପର, ରିବନ, ନେଟ୍‌, ଗୋଲାପ ଫୁଲ, ରଜନୀ ଗନ୍ଧା ଫୁଲ, ଚମ୍ପା ଫୁଲ ଇତ୍ୟାଦି ବ୍ୟବହାର କରାଯାଇଥାଏ। ଏହି ଫୁଲ ରାକ୍ଷୀ ପାଇଁ ଗୋଲାପ, ଚମ୍ପା, ରଜନୀଗନ୍ଧା ଫୁଲ ବାଙ୍ଗାଲୁରୁ ଓ କଲିକତାରୁ ଆସୁଥିବାବେଳେ ଏହି ଫୁଲ ରାକ୍ଷୀର ଦର ୩୦ ଟଙ୍କା, ୫୦ ଟଙ୍କା, ୮୦ ଟଙ୍କା, ୧୨୦ ଟଙ୍କା ଓ ୧୫୦ ଟଙ୍କା ରହିଛି। ୩୦ ଟଙ୍କା, ୫୦ ଟଙ୍କା ରାକ୍ଷୀରେ ସିଙ୍ଗିଲ ଲେୟାର ଫୁଲ ରହିଥିବାବେଳେ, ୮୦ ଟଙ୍କା ଓ ୧୨୦ ଟଙ୍କା ରାକ୍ଷୀରେ ଡ଼ବଲ ଲେୟାର ଫୁଲ ଓ ୧୫୦ ଟଙ୍କା ରାକ୍ଷୀରେ ତିନୋଟି ଲେୟାର ଫୁଲ ବ୍ୟବହାର କରାଯାଇଥାଏ। ଏହାସହ ନୂତନ କରି ରହିଛି ଫ୍ୟାନ୍ସି ଫୁଲ ରାକ୍ଷୀ। ଯାହାର ଦର ରହିଛି ୫୦ ଟଙ୍କା।

Sambad

ଏହା ସିଙ୍ଗିଲ ଲେୟାର ଫୁଲରେ ତିଆରି ହୋଇଥିବାବେଳେ ଫୁଲ ଉପରେ ରିବନ ଓ ନେଟ୍‌ରେ ଏହାକୁ ସଜା ଯାଇ ବିକ୍ରି କରାଯାଉଛି। କଟକ ସହରରେ ତିଆରି ହୋଇଥିବା ଏଥରର ସବୁଠୁ ବଡ଼ ରାକ୍ଷୀ ପାଞ୍ଚ ଲେୟାର ଫୁଲରେ ତିଆରି। ଆଜି ଠାରୁ ଫୁଲ ଦୋକାନୀ ମାନେ ଫୁଲ ରାକ୍ଷୀ ତିଆରି କରିବା ଆରମ୍ଭ କରିଥିବାବେଳେ ୩୦ ପ୍ରତିଶତ ଆଜି ବିକ୍ରି ହୋଇ ଯାଇଛି। ୧ ଶହରୁ ଅଧିକ ଅର୍ଡ଼ର ତାଙ୍କ ପାଖକୁ ଆସିଥିବା ଦୋକାନୀ ପ୍ରକାଶ କରିଛନ୍ତି। ତେବେ ଦୁଇବର୍ଷ କରୋନା ଯୋଗୁଁ ରାକ୍ଷୀ ବେପାର ପୁରା ଠପ ହୋଇଥିବା‌‌ବେଳେ ଚଳିତବର୍ଷ ଫୁଲ ରାକ୍ଷୀର ଦର ୧୦ ରୁ ୨୦ ଟଙ୍କା ଅଧିକ ରହିଛି। ନୂତନ ଭେରାଇଟିର ଫୁଲ ରାକ୍ଷୀକୁ ଗ୍ରାହକ ଅଧିକ ପସନ୍ଦ କରି ଅର୍ଡ଼ର କରୁଥିବା ଦୋକାନୀ ମାନେ କହିଛନ୍ତି।

ଗ୍ରାହକଙ୍କ ପସନ୍ଦ ବଦଳୁଛି
ଲୋକେ ଏବେ ଫୁଲ ରାକ୍ଷୀ ଅଧିକ ମାତ୍ରାରେ ଆପଣାଇଛନ୍ତି। ଏପରିକି ଆଜି ରାକ୍ଷୀ ତିଆରି କରିବାର କିଛି କ୍ଷଣି ମଧ୍ୟରେ ବିକ୍ରି ମଧ୍ୟ ହୋଇଗଲାଣି। କୋଭିଡ ଯୋଗୁ ଦୁଇବର୍ଷ ବହୁ କ୍ଷତିର ସାମ୍ନା କରିଛି। ଆଶା ରହିଛି ଖୁବ ଭଲ ବେପାର ହେବ।
ଅଶୋକ ନାୟକ, ଜୟ ହନୁମାନ ପୁଷ୍ପାଳୟ

ସବୁଠୁ ବଡ଼ ରାକ୍ଷୀ ପ୍ରସ୍ତୁତ କରିଛି
ଗ୍ରାହକ ଏତେ ମାତ୍ରାରେ ଫୁଲ ରାକ୍ଷୀକୁ ପସନ୍ଦ କରୁଥିବା ଦେଖି ଉତ୍ସାହ ଆସୁଛି। ୧ଶହରୁ ଅଧିକ ଅର୍ଡର ଫୁଲ ରାକ୍ଷୀ ପାଇଁ ମିଳିଛି। କଟକ ସହରର ଜଣେ ବ୍ୟକ୍ତି ପୁରୀଘାଟ ଠାରେ ଥିବା ହନୁମାନ ମନ୍ଦିରରେ ଠାକୁରଙ୍କୁ ଲାଗି କରିବା ନେଇ ବଇନା ଦେଇଛନ୍ତି ଯାହାର ବ୍ୟାସାର୍ଦ୍ଧ ରହିଛି ୧୨ ଇଞ୍ଚ ଓ ୮୦ ଇଞ୍ଚ ପରିଧି ରହିଛି। ଏହାର ଦର ରହିଛି ୧ହଜାର ଟଙ୍କା। ଏହା ପାଞ୍ଚ ଲେୟାର ଫୁଲରେ ତିଆରି ହେବ। ବୁଧବାର ସନ୍ଧ୍ୟାରୁ ଏହି ଫୁଲ ରାକ୍ଷୀ ପ୍ରସ୍ତୁତି ଆରମ୍ଭ ହେବ। ଏହାକୁ ତିଆରି କରିବା ପାଇଁ ୪ ରୁ ୫ ଘଣ୍ଟା ସମୟ ଲାଗିଥାଏ। ବହୁତ ଖୁସି ଅନୁଭବ ହେଉଛି ଏପରି ଫୁଲ ରାକ୍ଷୀ ଅର୍ଡ଼ର ପାଇ।
ଦିଗମ୍ବର ନାୟକ, ସରସ୍ବତୀ ପୁଷ୍ପ ଭଣ୍ତାର

 

ଫୁଲ ରାକ୍ଷୀର ଅଧିକ ଚାହିଦା
ଚଳିତବର୍ଷ ଗ୍ରାହକ ଅଧିକ ମାତ୍ରାରେ ଏହି ଫୁଲ ରାକ୍ଷୀକୁ ପସନ୍ଦ କରୁଥିବ‌େ ଦେଖି ଖୁବ ଖୁସି ଅନୁଭବ କରୁଛୁ। ବହୁ ମାତ୍ରାରେ ରାକ୍ଷୀର ଅର୍ଡର ରହିଛି। କୋଭିଡ ଯୋଗୁଁ ଯେଉଁ କ୍ଷତି ହୋଇଥିଲା ତାହା ସମ୍ପୂର୍ଣ୍ଣ ମାତ୍ର‌ାରେ ଭରଣା ନ ହେଲେ ମଧ୍ୟ ଗ୍ରାହକଙ୍କ ଫୁଲ ରାକ୍ଷୀର ଚାହିଦା ଦେଖି ଖୁସି ଲାଗୁଛି।
ଭରାମ୍ବର ନାୟକ, ମହାଲକ୍ଷ୍ମୀ ପୁଷ୍ପ ଭଣ୍ତାର

ଫୁଲ ରାକ୍ଷୀର ମହତ୍ବ ଅଧିକ
ବର୍ଷକୁ ଥରେ ଏହି ରାକ୍ଷୀ ପୂର୍ଣ୍ଣିମାରେ ମୁଁ ମୋ ଭାଇକୁ ଫ୍ୟାନ୍ସି ରାକ୍ଷୀ ବଦ‌ଳରେ ପରମ୍ପରା ଅନୁଯାୟୀ ଫୁଲ ରାକ୍ଷୀ ପିନ୍ଧାଇବାକୁ ଅଧିକ ପସନ୍ଦ କରୁଛି। ଫୁଲ ରାକ୍ଷୀ ଗୁଡ଼ିକ ଅଧିକ ଆକର୍ଷଣୀୟ ରହିଛି। ଦର ମଧ୍ୟ ସୁହାଇଲା ପରି ରହିଛି।
ଦେବଶ୍ରୀ ପ୍ରିୟଦର୍ଶିନୀ

ସମ୍ବନ୍ଧିତ ଖବର