କାଉନ୍‌ସିଲ୍‌କୁ ପୂରିବ ବର୍ଷେ, କେବଳ କାଗଜପତ୍ରରେ କାମ ସୀମିତ

କଟକ: କଟକ ପୌର ନିଗମ ନିର୍ବାଚିତ କାଉନ୍‌ସିଲ ଗଠନ ହେବାର ଏକ ବର୍ଷ ମଧ୍ୟରେ ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରେ କାମ କରାଯାଉଥିବା ଦାବି କରାଯାଉଛି। ମାତ୍ର ଯେତିକି କାମ ହେଉଛି ତାହାଠାରୁ ଅଧିକ କାମ କେବଳ କାଗଜପତ୍ରରେ ସୀମିତ ରହିଯାଉଛି। ଅଧିକାରୀଙ୍କ ଆନ୍ତରିକତା ନଥିରୁ ବହୁ କାମ ଏଷ୍ଟିମେଟ୍‌ ଓ ରିଜୋଲୁସନ୍‌ରେ ରହିଯାଉଥିବା ଅଭିଯୋଗ ହେଉଛି।

ଅଧିକାରୀ ପାତରଅନ୍ତର କରୁଛନ୍ତି
ନିଗମ ଅଧିକାରୀ ବିରୋଧୀ କର୍ପୋରେଟରଙ୍କ ସହିତ ପାତରଅନ୍ତର କରୁଛନ୍ତି। ୱାର୍ଡର ଛତ୍ର ବଜାରରେ ଅର୍ବାନ ହାଟ ନିର୍ମାଣ ଶେଷ ହୋଇଛି। ସେହିପରି ଏହା ନିକଟରେ ଏକ ଆମିଷ ମାର୍କେଟ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ୱାର୍ଡରେ ଜଳବନ୍ଦୀ ସମସ୍ୟା ଗୁରୁତର ଥିବା ବେଳେ ଏକାଧିକ ନୂଆ ଡ୍ରେନ ନିର୍ମାଣ ପାଇଁ ଟେଣ୍ଡର କରିବାକୁ କୁହାଯାଇଛି। ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବାକୁ ସ୍ଥିର ହୋଇଥିବା ବେଳେ ଏଥିପାଇଁ ଜାଗା ଚିହ୍ନଟ ହୋଇ ପାରୁନାହିଁ। ଏବେ ସୁଦ୍ଧା ୱାର୍ଡରେ ମୁକ୍ତା ଯୋଜନାରେ କିଛି କରାଯାଇ ନାହିଁ। ଓଡ଼ିଶାରେ ପ୍ରଥମ କରି ୱାର୍ଡରେ ୯ ଜଣ କିନ୍ନରଙ୍କୁ ଭତ୍ତା ବଣ୍ଟା ଯାଇଥିବା ବେଳେ ୭ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟ ସମ୍ମୁଖ ଖୋଲା ଅଞ୍ଚଳ ଓ କଲେଜ ଛକସ୍ଥିତ ନେତାଜୀ ପ୍ରତିମୂର୍ତ୍ତି ନିକଟରେ ସୌନ୍ଦର୍ଯ୍ୟୀକରଣ କାମ କରାଯିବ।
ସୁଭାଶିଷ କୁମାର ପଟ୍ଟନାୟକ
କଂଗ୍ରେସ କର୍ପୋରେଟର, ୱାର୍ଡ ନମ୍ବର ୩୮

ଶିକ୍ଷାର ବିକାଶ ପାଇଁ ଉଦ୍ୟମ କରାଯାଉଛି
ପୌର ନିଗମ କାଉନସିଲ ଗଠନର ଗୋଟିଏ ବର୍ଷରେ ନିଗମକୁ ପ୍ରଥମ କରି ଜଣେ ମୁସଲିମ୍‌ ମହିଳାଙ୍କୁ ସେମାନଙ୍କ ପ୍ରତିନିଧି ଭ‌ାବେ ପଠାଇଥିବାରୁ ୱାର୍ଡ ବାସିନ୍ଦାଙ୍କୁ କୃତଜ୍ଞତା ଜଣାଉଛି। ୱାର୍ଡର ଥୋରିଆ ସାହି ବାଳିକା ହାଇସ୍କୁଲ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। ୨ଟି ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ଥୋରିଆ ସାହିରେ ଆଉ ଏକ କେନ୍ଦ୍ର ପାଇଁ ୱାର୍କ ଅର୍ଡର ହୋଇଯାଇଛି। ଏକ ବର୍ଷ ମଧ୍ୟରେ ମୁକ୍ତାରେ ବସ୍ତିରେ ବହୁ ଉନ୍ନତିମୂଳକ କାମ କରାଯାଇଛି। ଗହ୍ମାଡିଆରେ ଫେବର ବ୍ଲକ୍‌ କାମ ହେବା ସହ ଏକ ହାଇମାଷ୍ଟ ଲାଇଟ ଲାଗିଛି। ଆସନ୍ତା ଦିନରେ ଗହ୍ମାଡ଼ିଆ ପ୍ରାଥମିକ ସ୍କୁଲର ବିକାଶ ପାଇଁ ଯୋଜନା ରହିଛି। ୱାର୍ଡର ୮୦ ପ୍ରତିଶତ ବାରବାଟୀ ଓ ୨୦ ପ୍ରତିଶତ ଚୌଦ୍ବାର ବିଧାନସଭା ମଣ୍ଡଳୀରେ ରହିଛି। ବିଶେଷ କରି ୱାର୍ଡରେ ଶିକ୍ଷାର ବିକାଶ ପାଇଁ ୱାର୍ଡର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପୁରସ୍କାର ସହ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଉଛି।
କେ. ଜେଡ୍‌. ଆଫ୍ରିନ୍‌
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୩୩

ଏଷ୍ଟିମେଟ୍‌ ଓ ରିଜୋଲୁସନ୍‌ରେ କାମ ଅଟକିଛି
କାଉନସିଲ ଗଠନ ହେବାର ଏକ ବର୍ଷ ମଧ୍ୟରେ ୱାର୍ଡରେ ବିଶେଷ କିଛି କାମ ହୋଇନାହିଁ। ଅନେକ କାମ ପାଇଁ ପ୍ରସ୍ତାବ ଦିଆଯାଇ ଥିବା ବେଳେ ସେଗୁଡିକ କେବଳ ଏଷ୍ଟିମେଟରେ ଅଟକି ଯାଇଛି। ଦଶହରା ପୂର୍ବରୁ ୱାର୍ଡର ତିନି ଘରିଆର ଭଗବତୀ ମନ୍ଦିର ନିକଟରେ ଫେବର ବ୍ଲକ୍‌ କାମ ହୋଇଛି। ପୁରୁଣା କାମ ଭାବେ ପୋପରଡାରେ ଓପନ୍‌ ଜିମ୍‌ ନିର୍ମାଣ, ବାଲିସାହି ବସ୍ତିରେ ଫେବର ବ୍ଲକ କାମ ହୋଇଛି। ଗୋଟିଏ ଏଷ୍ଟିମେଟରେ ପୋପରଡା ଘେରି ବନ୍ଧ‌ ନିକଟରେ ତିନିଟି ରାସ୍ତା କାମ ହୋଇଛି। ସାର୍ତ୍ତୋଳ ଶ୍ମଶାନ ବିକାଶ ଓ ପୁରୁଣା ବାଲିସାହିରେ ଡ୍ରେନ ଓ ରାସ୍ତା ପାଇଁ ଫାଇଲ୍‌ ହୋଇଥିଲେ ବି କାମ ଆରମ୍ଭ ହୋଇନାହିଁ। ୱାର୍ଡରେ ଡ୍ରେନ ସମସ୍ୟା ଗୁରୁତର ଥିବା ବେଳେ କେବଳ ଏଷ୍ଟିମେଟରେ ସବୁ କିଛି ଅଟକି ରହିଛି। ବର୍ଷକ ମଧ୍ୟରେ ୱାର୍ଡରେ ୫୦ରୁ ଅଧିକ ନୂଆ ଭତ୍ତା ଦିଆଯାଇଛି। ସେମି ହାଇମାଷ୍ଟ ଲାଇଟ୍‌ ମଞ୍ଜୁରୀ ପାଇଛି ମାତ୍ର ଏହା ଲାଗିନାହିଁ। ବାଲିସାହି ଶିବ ମନ୍ଦିରରେ ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ବେଳେ ଏହାର ନିଜସ୍ବ ଘର ପାଇଁ ପ୍ରସ୍ତାବ ଦେଇଛି। ବର୍ଷକ ମଧ୍ୟରେ ଅନେକ କିଛି କାମର ଏଷ୍ଟିମେଟ୍‌ ଓ ରିଜୋଲୁସନ୍‌ ପାସ୍‌ ହୋଇଛି। ମାତ୍ର ନିଗମ ପକ୍ଷରୁ କାମ ଆରମ୍ଭ କରାଯାଉ ନାହିଁ।
ରାକେଶ ସ୍ବାଇଁ
ବିଜେପି କେର୍ପାରେଟର, ୱାର୍ଡ ନମ୍ବର ୫୧

ୱାର୍ଡର ବିକାଶ ପାଇଁ ନିଗମରୁ ସହଯୋଗ ମିଳୁଛି
ୱାର୍ଡରୁ ପ୍ରଥମ କରି ବିଜେଡି କର୍ପୋରେଟର ଭାବେ ମୋତେ ପୌର ନିଗମକୁ ପଠାଇଥିବାରୁ ୱାର୍ଡବାସୀଙ୍କୁ କୃତଜ୍ଞତା ଜଣାଉଛି। ଏକ ବର୍ଷ କାଉନସିଲ ଗଠନ ମଧ୍ୟରେ ୱାର୍ଡର ଅଳ୍ପ କିଛି ଲୋକଙ୍କ ପାଇଁ ବହୁ ୱାର୍ଡ ବାସିନ୍ଦା ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି। ୱାର୍ଡର ମାରୱାଡି ହାଇସ୍କୁଲ ୫-ଟି ଯୋଜନାରେ ରୂପାନ୍ତରଣ କାମ ଚାଲିଛି। ଗଙ୍ଗା ମନ୍ଦିର ପୋଖରୀର ସୌନ୍ଦର୍ଯ୍ୟୀକରଣ କାମ ପାଇଁ ଏଷ୍ଟିମେଟ୍‌ ହୋଇଥିବା ବେଳେ ଖୁବ ଶିଘ୍ର କାମ ଆରମ୍ଭ ହେବ। ଏକ ବର୍ଷ ମଧ୍ୟରେ ୩୦ରୁ ଅଧିିକ ନୂଆ ଭତ୍ତା କାର୍ଡ ବଣ୍ଟା ଯାଇଛି। ୱାର୍ଡରେ ଲାଇଟ୍‌ର ସମସ୍ୟା ନଥିବା ବେଳେ ଅଳ୍ପ କିଛି ଡ୍ରେନ ସମସ୍ୟା ରହିଛି। ଏହା ଉପରେ କାମ କରାଯିବ। ଆସନ୍ତା ଦିନରେ ୱାର୍ଡର ପୁରୁଣା ଜେଲ ପଡ଼ିଆର ବିକାଶ କରିବା ଦିଗରେ କାମ କରାଯିବ। ନିଗମର ବିଭିନ୍ନ ବିଭାଗ ପକ୍ଷରୁ ୱାର୍ଡରେ କାମ କରିବାକୁ ସବୁ ପ୍ରକାର ସହଯୋଗ ପ୍ରଦାନ କରାଯାଉଛି।
ମହମ୍ମଦ ଇଫତଖାର ଆଲମ
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୧୮

ବସ୍ତିବାସିନ୍ଦାଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯାଉଛି
ଗୃହିଣୀରୁ କର୍ପୋରେଟର ହେବାର ଗୋଟିଏ ବର୍ଷ ମଧ୍ୟରେ ୱାର୍ଡ ବାସିନ୍ଦାଙ୍କ ସମସ୍ୟା ଓ ନିଗମ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଯୋଗସୂତ୍ର ସାଜିବାରେ ସଫଳ ହୋଇଛି ବୋଲି ଆଶା କରୁଛି। ଏହି ବର୍ଷ ମଧ୍ୟରେ ରଘୁନାଥଜୀଉ ହାଇସ୍କୁଲ ୫-ଟିରେ ରୂପାନ୍ତରଣ ହେବା, ପୁଲିସ ହାଇସ୍କୁଲ ଖେଳ ପଡ଼ିଆର ସୌନ୍ଦର୍ଯ୍ୟୀକରଣ ହେବା, ଉପର ପୁଲିସ କଲୋନି ପଡ଼ିଆରେ ଜଗିଂ ଟ୍ରାକ୍‌ ହେବା ପରି ବିଷୟ କରାଯାଇଛି। ୱାର୍ଡର ସମସ୍ତ ଖୋଲା ଡ୍ରେନକୁ ସ୍ଲାବ୍‌ରେ ଆବଦ୍ଧ କରିବା ପାଇଁ ନିଗମକୁ ଶତାଧିକ ସ୍ଲାବ୍‌ ମଗାଯାଇଛି। ସେହିପରି ଆସନ୍ତା ଏକ ବର୍ଷ ମଧ୍ୟରେ ୱାର୍ଡର ସମସ୍ତ ରାସ୍ତାର ମରାମତି, ମୁକ୍ତା ଯୋଜନାରେ ୨ଟି ପୋଖରୀର ପୁନରୁଦ୍ଧାର, ଖୋଲା ସ୍ଥାନର ସୌନ୍ଦର୍ଯ୍ୟୀକରଣ କରିବା, ଏକାଧିକ ବସ୍ତିକୁ ସ୍ମାର୍ଟ କଲୋନିରେ ପରିଣତ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ବିଶେଷ ଭାବେ ସମସ୍ତ ବସ୍ତି ବାସିନ୍ଦାଙ୍କ ନିକଟରେ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରାଥମିକତା ଦିଆଯିବ।
ମମତା ନାୟକ
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୭

ସମ୍ବନ୍ଧିତ ଖବର