କାଉନ୍‌ସିଲ୍‌କୁ ପୂରିବ ବର୍ଷେ: ବିଜେଡି କର୍ପୋରେଟର୍‌ଙ୍କର ବି ଲମ୍ବା ଅଭିଯୋଗ

କଟକ: କଟକ ପୌର ନିଗମ କାଉନସିଲ ଗଠନକୁ ବ‌ର୍ଷେ ପୂରିବାକୁ ଯାଉଛି। ୨୦୨୨, ଏପ୍ରିଲ ୭ ତାରିଖରେ ନିଗମର ମେୟର ଓ ୫୯ ଜଣ କର୍ପୋରେଟର ଶପଥ ଗ୍ରହଣ କରିଥିଲେ। ପ୍ରଥମ ବର୍ଷ ପୂରଣ କରିବାକୁ ଯାଉଥିବା କାଉନସିଲର ସଫଳତା ଓ ବିଫଳତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। କେଉଁ ୱାର୍ଡକୁ ଗୁରୁତ୍ବ ଦେଇ ଅଧିକ କ‌ାମ ଦିଆଯାଇଛି ତ ଆଉ କେଉଁ ୱାର୍ଡ ଏଥିରୁ ବାଦ ପଡ଼ିଛି। ଏହାକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି।

ଫାଇଲ୍‌ ଅଟକି ଯାଉଛି
କାଉନସିଲ ଗଠନକୁ ଏକ ବର୍ଷ ପୂରିବାକୁ ଯାଉଥିବା ବେଳେ ମୋ ୱାର୍ଡରେ କୌଣସି ନିର୍ମାଣ କାମ ହୋଇନାହିଁ। ୱାର୍ଡରେ କାମ ପାଇଁ ନିଗମକୁ ପ୍ରସ୍ତାବ ଦିଆଯାଉଛି। ମାତ୍ର ଏଠାରେ ଫାଇଲ ଆଗକୁ ବଢୁନାହିଁ। ଏପରି ଅବସ୍ଥାରେ ୱାର୍ଡରେ କେବଳ ପଙ୍କ ସଫେଇ, ରାସ୍ତା ସଫେଇ ଓ ପରିମଳ ଉପରେ କାମ କରାଯାଉଛି। ଏକ ବର୍ଷ ମଧ୍ୟରେ ୱାର୍ଡରେ କେବଳ ୩୦ଜଣଙ୍କୁ ନୂଆ ଭତ୍ତା ପ୍ରଦାନ କରାଯାଇଛି। ଆସନ୍ତା ଦିନରେ ୱାର୍ଡକୁ ଏକ ଆଦର୍ଶ ୱାର୍ଡରେ ପରିଣତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ସେଥିମଧ୍ୟରେ ୱାର୍ଡର ସମସ୍ତ ସାହିବସ୍ତିର ଗଳି ରାସ୍ତାକୁ ମୁକ୍ତା ‌େଯାଜନାରେ ଫେବର ବ୍ଲକ୍‌ କରିବା ପରି କାର୍ଯ୍ୟ ରହିିଛି। ୱାର୍ଡର ଦୁଇଟି ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ସେଗୁଡିକର ନିଜସ୍ବ କୋଠା ନାହିଁ। ଏହାର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।
ରବିନାରାୟଣ ସାହୁ
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୩୦

ଅଧିକାରୀଙ୍କ ସହଯୋଗ ରହୁନି
ନିଗମର ବିଭିନ୍ନ କାମକୁ ବାହାର ସଂସ୍ଥା ଦ୍ବାରା କରାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହାକୁ ସମସ୍ତ କର୍ପୋରେଟରଙ୍କ ପକ୍ଷରୁ ବିରୋଧ କରାଯାଉଛି। ୱାର୍ଡର ଉନ୍ନତୀକରଣ କାମ ପାଇଁ ଅଧିକାରୀଙ୍କର କୌଣସି ସହଯୋଗ ରହୁନାହିଁ। ୱାର୍ଡର ପ୍ରତ୍ୟେକ କାମ ପାଇଁ ଆମକୁ ଲଢେଇ କରିବାକୁ ପଡୁଛି। ୱାର୍ଡରେ ଡ୍ରେନ ଏକ ମୁଖ୍ୟ ସମସ୍ୟା ଭାବେ ରହିଛି। ନୂଆପଡ଼ା ଡ୍ରେନ ମୁଖ୍ୟ ନାଳ ସହିତ ସଂଯୋଗ ହୋଇ ନଥିବାରୁ ୱାର୍ଡର ଅନେକ ସ୍ଥାନ ଜଳବନ୍ଦୀରେ ରହୁଛି। ଏକ ବର୍ଷ ମଧ୍ୟରେ ନୂଆ ପଡ଼ାରେ ୨ଟି, ପ୍ରେସ ଛକରେ ଗୋଟିଏ ରାସ୍ତା କାମ ହୋଇଛି, ନେତାଜୀ ନଗରର ରାସ୍ତା ଓ ଡ୍ରେନ କାମ ହେବ। ୨ଟି ପୋଖରୀ ଓ ୨ଟି ମୁଖ୍ୟ ଡ୍ରେନର ନିର୍ମାଣ ପାଇଁ ଟେଣ୍ଡର ହୋଇଛି। କଟକକୁ ୟୁରୋପ କରିବାକୁ ମେୟର କହୁଥିବା ବେଳେ ସେ ପ୍ରଥମେ ଥରେ ୟୁରୋପ ଯାଇ ବୁଲି ଆସନ୍ତୁ।
ସନ୍ତୋଷ କୁମାର ଭୋଳ
କଂଗ୍ରେସ କର୍ପୋରେଟର, ୱାର୍ଡ ନମ୍ବର ୫୦

ଇଂଜିନିୟରିଂ ବିଭାଗରେ ଦକ୍ଷ ଇଂଜିନିୟର ନାହାନ୍ତି
କାଉନସିଲର ଗୋଟିଏ ବର୍ଷ ମଧ୍ୟରେ ୱାର୍ଡରେ କିଛି ନୂଆ କାମ ହୋଇନାହିଁ। ଗୋଟିଏ ବର୍ଷ ମଧ୍ୟରେ ନିଗମର ବିଭିନ୍ନ ବ୍ୟବସ୍ଥାକୁ ବୁଝିବାରେ ସମୟ ଗଲା। ନିଗମର ଇଂଜିନିୟରିଂ ବିଭାଗରେ ଦକ୍ଷ ଇଂଜିନିୟରଙ୍କର ଆବଶ୍ୟକତା ରହିଛି। ୱାର୍ଡରେ ଘରୋଇ ଏଜେନ୍ସିଙ୍କ ଦ୍ବାରା ସଫେଇ କାମ କରାଯାଉ ଥିବା ବେଳେ ଏଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଉଛି। ୱାର୍ଡରେ କେବଳ ୫-ଟିରେ ମାନସିଂହପାଟଣା ହାଇସ୍କୁଲର ରୂପାନ୍ତରଣ କାମ କରାଯାଉଛି। ୱାର୍ଡରେ ପୌର ନିଗମର ନିଜସ୍ବ ଜାଗା ନଥିବାରୁ କୌଣସି ନିର୍ମାଣମୂଳକ କାମ ହୋଇପାରୁ ନାହିଁ। ଗତବର୍ଷ ୱାର୍ଡରେ ଭଲ ଭାବେ ପଙ୍କ ସଫେଇ କରାଯାଇ ଥିବାରୁ ଜଳବନ୍ଦୀ ସମସ୍ୟା ପୂର୍ବ ପରି ଆଉନାହିଁ। ପୂର୍ବରୁ ହୋଇଥିବା କିଛି ଟେଣ୍ଡରର କାମ ଏବେ ୱାର୍ଡରେ କରାଯାଉଛି। ମାତ୍ର ନୂଆ କାମ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।
ମୋନାଲିସା ଦାସ, ଅଧ୍ୟକ୍ଷା, ଶିକ୍ଷା ଓ ଚିତ୍ତ ବିନୋଦନ କମିଟି,
ବିଜେଡ଼ି କର୍ପୋରେଟର, ୱାର୍ଡ ନମ୍ବର ୧୦

 

ବିଶେଷ କିଛି ନୂଆ କାମ ହୋଇନାହିଁ
କାଉନସିଲର ଏକ ବର୍ଷ ମଧ୍ୟରେ ୱାର୍ଡରେ ଦରଘାବଜାର ଥାନା ସମ୍ମୁଖରୁ କାଠଗଡା ସାହିକୁ ସଂଯୋଗ କରୁଥିବା ରାସ୍ତାକୁ ଫେବର ବ୍ଲକ କରାଯାଇଛି। ଦଶହରା ପୂର୍ବରୁ ପ‌ଟହୋଲ କାମରେ ୱାର୍ଡରେ ଯେତିକି ମରାମତି କାମ ହୋଇଥିଲା। ଏହାସହ ୱାର୍ଡରେ ୨ଟି କଲଭର୍ଟର ମରାମତି କାମ କେବଳ ହୋଇଛି। ବର୍ଷକ ମଧ୍ୟରେ ୱାର୍ଡରେ ଅାଉ କିଛି ନୂଆ କାମ ହୋଇ ନାହିଁ। ଏପରିକି ମୁକ୍ତା ଯୋଜନାରେ ମଧ୍ୟ କୌଣସି କାମ କରାଯାଇ ନାହିଁ। ମୁକ୍ତାରେ ଡ୍ରେନ ନିର୍ମାଣ କରିବା, ରାସ୍ତା କାମ କରାଇବା, ସ୍ଲାବ୍‌ ପକାଇବା, ୨ଟି ଅଙ୍ଗନବାଡିର ନିଜସ୍ବ ଘର ନିର୍ମାଣ ପରି କାମ କରିବାକୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟ ପଟେ ୱାର୍ଡର ବହୁ ସ୍ଥାନରେ ହାଇମାଷ୍ଟ ଓ ମିନିମାଷ୍ଟ ଲାଇଟ୍‌ ଲଗାଇବାକୁ ପ୍ରସ୍ତବ ଦିଆଯାଇ ଥିବା ବେଳେ ଏବେ ସୁଦ୍ଧା ଏହା ଉପରେ ପଦକ୍ଷେପ ନିଆଯାଇ ନାହିଁ।
ଅରୁନ୍ଧତି କର
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୨୩

ମିଛ ବିଲ୍‌ରେ ଅଧିକାରୀ ଟଙ୍କା ଉଠାଉଛନ୍ତି
କାଉନସିଲକୁ ନୂତନ ଭାବେ ନିର୍ବାଚିତ ହୋଇ ଆସିଥିବା କର୍ପୋରେଟରଙ୍କୁ ନିଗମ କର୍ତ୍ତୃପକ୍ଷ ସହଯୋଗ କରୁନାହାନ୍ତି। ସେପଟେ ନିଗମର ସମସ୍ତ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ବିଜେଡି କର୍ପୋରେଟରଙ୍କୁ ସେମାନଙ୍କ ୱାର୍ଡର କାମ ପାଇଁ ନିଗମ ପକ୍ଷରୁ ଅଧିକ ଅ‌ାର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏଠାରେ କାହାକୁ ମେଞ୍ଚାଏ ତ କାହାକୁ କେଞ୍ଚାଏ ନୀତି ଅବଲମ୍ବନ କରାଯାଉଛି। ସାମିଆ ପୋଖରୀର ୪୦ ବର୍ଷର ପୁରୁଣା ସମସ୍ୟା ସମାଧାନ କରିବାକୁ ନିଗମକୁ ପ୍ରସ୍ତାବ ଦିଆଯାଇଛି। ଦଶହରା ସମୟରେ ପଟହୋଲ କାମ କରିବାକୁ କୁହାଯାଇଥିଲା। ମାତ୍ର ଏବେ ସୁଦ୍ଧା ୱାର୍ଡର ଅନେକ ରାସ୍ତାକୁ ମରାମତି କରାଗଲା ନାହିଁ। କେବଳ କାଗଜପତ୍ରରେ କାମ କରି ମିଛ ବିଲ୍‌ରେ ଅଧିକାରୀ ଟଙ୍କା ଉଠାଇ ନେଉଛନ୍ତି। ୱାର୍ଡରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଟେଣ୍ଡର ‌େଶଷ ହୋଇଥିବା ବେଳେ ଅଧିକାରୀ କେଉଁ ସ୍ଥାନରେ ଏହା କରାଯିବ ଠିକାଦାରଙ୍କୁ ଜାଗା ଦେଖାଇ ପାରୁ ନାହାନ୍ତି। ନିଗମ ପ୍ରତିବର୍ଷ ୱାର୍ଡରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ ଏହାର ସୁଫଳ ୱାର୍ଡବାସିନ୍ଦାଙ୍କ ନିକଟରେ ପହଞ୍ଚୁ ନାହିଁ।
ଦୀପକ କୁମାର ଦାସ
ବିଜେପି କର୍ପୋରେଟର, ୱାର୍ଡ ନମ୍ବର ୩୪

ସମ୍ବନ୍ଧିତ ଖବର