ବ୍ୟବସାୟୀ ମାଲାମାଲ୍‌, ପିଆଜ ହୋଲ୍‌ସେଲ୍‌ରେ କିଲୋ ୧୨, ଖାଉଟି କିଣୁଛନ୍ତି ୨୦ଟଙ୍କାରେ

କଟକ: ଏବ‌ର୍ଷ ପିଆଜ ଅମଳ ଭଲ ହୋଇଛି। ପର୍ଯ୍ୟାପ୍ତ ଅମଳ ପାଇଁ ଜାଗା ମୁଣ୍ଡେ ଦର୍‌ କମ୍ ରହିଛି। ଉତ୍ପାଦନକାରୀଙ୍କ ଠାରୁ ବଡ଼ ବ୍ୟବସାୟୀମାନେ କମ୍ ଦରରେ କିଣୁଛନ୍ତି। ଏପରିକି ହୋଲ୍‌ସେଲ୍‌ ଦର ମଧ୍ୟ କମ୍ ରହିଛି। କିନ୍ତୁ ଖାଉଟିମାନଙ୍କ ପାଇଁ ବଜାର ଦର ଖସୁ ନାହିଁ। ଦୀର୍ଘଦିନ ହେଲା ପିଆଜ ଦର କିଲୋ ପିଛା ୨୦ ଟଙ୍କାରୁ ତଳକୁ ଆସୁ ନାହିଁ। ଏପରିକି କଟକ ସହରର କେତେକ ସ୍ଥାନରେ ପିଆଜ ୨୫ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। ବଜାର ଉପରେ ପ୍ରଶାସନର କଟକଣା ନଥିବାରୁ ବ୍ୟବସାୟୀମାନେ ଏଭଳି ମନଇଛା ଦର କସି ଖାଉଟିମାନଙ୍କୁ ଏକ ପ୍ରକାଣ ଶୋଷଣ କରୁଛନ୍ତି। ଛତ୍ରବଜାର ସମେତ କଟକ ସହର‌ର ଅନ୍ୟ ପରିବା ବଜାରରେ ଖୁଚୁରାରେ ପିଆଜ ଧଡ଼ା (ତିନି କିଲୋ)କୁ ୬୦ଟଙ୍କା ଦରରେ ବିକ୍ରି ହେଉଛି। ଗୋଟିଏ କିଲୋ କିଣିଲେ କେଉଁଠି ୨୨ଟଙ୍କା ତ’ ଆଉ କେଉଁଠି ୨୫ଟଙ୍କା ଦେବାକୁ ପଡ଼ୁଛି। କିନ୍ତୁ ଛତ୍ରବଜାରରେ ହୋଲ୍‌ସେଲ୍‌ ଦର କିଲୋ ପିଛା ୧୦ରୁ ୧୩ଟଙ୍କା ରହିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ହୋଲ୍‌ସେଲ ଦର କିଲୋ ପିଛା ୧୦ଟଙ୍କାରୁ ୧୨ଟଙ୍କା ରହିଥିବା ବେଳେ ‌ଖୁରୁରାରେ ବ୍ୟବସାୟୀମାନେ ଖାଉଟିଙ୍କୁ କିଲୋ ପିଛା ୨୦ଟଙ୍କାରେ ବିକ୍ରି କରୁଥିଲେ।

ଏବେ କିଛିଦିନ ଖୁଚୁରା ବ୍ୟବସାୟୀମାନେ କିଲୋ ପିଛା ୧୩ଟଙ୍କାରେ କିଣୁଛନ୍ତି। କିନ୍ତୁ ଖାଉଟିମାନଙ୍କୁ ୨୦ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି। ପିଆଜ କିଲୋକୁ ୧୨/୧୩ଟଙ୍କାରେ କିଣି ଖାଉଟିଙ୍କୁ କିଲୋ ପିଛା ୨୦ଟଙ୍କାରେ ବିକ୍ରି କରୁଥିବା ବ୍ୟବସାୟୀମାନେ ଶତକଡ଼ା ୩୫ରୁ ୪୦ ପ୍ରତିଶତ ଲାଭ କରୁଛନ୍ତି। ଏସଂକ୍ରାନ୍ତରେ ଛତ୍ରବଜାର ପରିବା ବ୍ୟବସାୟୀ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ରନାଥ ସାହୁ କହିଛନ୍ତି ଯେ, ପୂର୍ବରୁ ପିଆଜ ଦର କମ୍ ଥିଲା। କିନ୍ତୁ ମାର୍ଚ ମାସ ପାଇଁ ଟିକେ ବଢ଼ିଛି। ଏବେ ହୋଲ୍‌ସେଲ୍‌ରେ ପିଆଜ କିଲୋକୁ ୧୨/୧୩ଟଙ୍କା ଦରରେ ଓ ଅତି ଭଲ ପିଆଜ ୧୪ଟଙ୍କାରେ ବ୍ୟବସାୟୀଙ୍କୁ ଦିଆଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି। ଦୀର୍ଘଦିନ ହେଲା ଏଭଳି ଚାଲୁଥିଲେ ମଧ୍ୟ ବଜାର ଉପରେ ପ୍ରଶାସନର ନଜର ରହୁ ନଥିବା ଅଭିଯୋଗ ହେଉଛି। ଯାହା ଫଳରେ ପରିବର୍ତ୍ତନଶୀଳ ବଜାର ଉପରେ ଅବଗତ ନଥିବା ଖାଉଟିମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ଏଦିଗରେ ପ୍ରଶାସନ ସତର୍କ ରହିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର