୬୦ କୋଟି ଅନ୍‌ଲାଇନ୍ ଚିଟ୍‌ଫଣ୍ଡ ଠକେଇ: ବ୍ୟାଙ୍କ ତଥ୍ୟ ମାଗିଲା କ୍ରାଇମ୍‌ବ୍ରାଞ୍ଚ; କରଞ୍ଜିଆରେ ଜମିବାଡ଼ି ବିକିଛନ୍ତି ଜମାକାରୀ

କଟକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଗାର୍ମେଣ୍ଟ ଦୋକାନୀ ଶୁଭେନ୍ଦୁ ମୋହନ ପ୍ରଧାନ କ୍ଲାଉଡ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ନାଁରେ ଚାଲିଥିବା ଅନଲାଇନ୍‌ ଠକ ସ˚ସ୍ଥାରେ ୧୯ ଲକ୍ଷ ଟଙ୍କା ଲଗାଇଥିଲେ। ହେଲେ ସେ ମାତ୍ର ୩ ଲକ୍ଷ ଟଙ୍କା ଫେରସ୍ତ ପାଇଛନ୍ତି। ଅବଶିଷ୍ଟ ୧୬ ଲକ୍ଷ ଟଙ୍କା ଲୁଟିନେଇଛି ଚିଟ୍‌ ଫଣ୍ତ ସ˚ସ୍ଥା। ଜୁଲାଇ ୨୬ ତାରିଖରେ ୧ ହଜାର ଟଙ୍କା ଲଗାଇ କାରବାର ଆରମ୍ଭ କରିଥିବା ଶୁଭେନ୍ଦୁ ୧୯ ଲକ୍ଷ ଟଙ୍କାରେ ପହଞ୍ଚି ଥିଲେ। ଧାର କରଜ କରି ଟଙ୍କା ଲଗାଇଥିବା ଶୁଭେନ୍ଦୁ ଏବେ ଚିଟ୍‌ ଫଣ୍ତ ସ˚ସ୍ଥାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। କ୍ରାଇମବ୍ରାଞ୍ଚରେ ସୋମବାର ଏତଲା ହେବା ପରେ ଏବେ ସମସ୍ତ ଜମାକାରୀଙ୍କୁ ସ˚ସ୍ଥା ସହିତ ହୋଇଥିବା ନିଜସ୍ବ ବ୍ୟାଙ୍କ୍‌ କାରବାର ମାଗିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, କ୍ଲାଉଡ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ନାଁରେ ଖୋଲିଥିବା ଅନଲାଇନ୍‌ ଠକ ସ˚ସ୍ଥା ଓଡ଼ିଶାର ଜମାକାରୀଙ୍କୁ କ୍ରିପଟୋ କରେନ୍ସି ଦେବାକୁ ବି କହିଥିଲା। ଚଳିତ ମାସ ପ୍ରଥମ ସପ୍ତାହରେ ଦୈନିକ ସର୍ବାଧିକ ୫୦୦ ଜମାକାରୀଙ୍କୁ ବ୍ୟାଙ୍କ୍‌ ମାଧ୍ୟମରେ ଟଙ୍କା ମିଳିପାରିବ। ଅଧିକ ମିଳିପାରିବ ନାହିଁ। ତେଣୁ କ୍ରିପଟୋ କରେନ୍ସି ମାଧ୍ୟମରେ ଟଙ୍କା ପାଇବା ପାଇଁ ଆଇଏମଟୋକେନ୍‌ ୱାଲେଟ୍‌ ନାଁରେ ଏକ ଆପ୍ଲିକେସନ୍‌ ମୋବାଇଲରେ ଡାଉନଲୋଡ୍‌ କରିବାକୁ କହିଥିଲା।

ଜମାକାରୀମାନେ ଏହି ଆପ୍ଲିକେସନ୍‌ ଇନଷ୍ଟଲ୍‌ କରିବା ପରେ ଆକ୍ଟିଭେସନ୍‌ ପାଇଁ ୮୫ ହଜାର ଟଙ୍କା ଦେୟ ଲାଗିବା ନେଇ ସ˚ସ୍ଥା ପକ୍ଷରୁ କୁହାଯାଇଥିଲା। ସେ ବାବଦରେ ବି ସ˚ସ୍ଥା ୧୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଭଳି ତଥ୍ୟ ସାମ୍ନ‌ାକୁ ଆସିବାରେ ଲାଗିଛି। ତେବେ ଏହି ମାମଲା ସୋମବାର କ୍ରାଇମବ୍ରାଞ୍ଚରେ ପହଞ୍ଚିବା ପରେ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଆସନ୍ତା ଦିନେ ଦୁଇ ଦିନ ଭିତରେ ଜମାକାରୀମାନେ ମିଳିତ ଭାବେ ପୁଣି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଆସିବାକୁ ଯୋଜନା କରୁଛନ୍ତି। ସବୁଠାରୁ ଚକିତ କଲା ଭଳି ତଥ୍ୟ ହେଉଛି ଏହି ସ˚ସ୍ଥା ଦେଶରେ ପ୍ରାୟ ୧ ଲକ୍ଷ ୨୬ ହଜାର ଜମାକାରୀଙ୍କ ଟଙ୍କା ଠକି ନେଇଛି। ପ୍ରତି ମାସରେ କେତେ ଜମାକାରୀ ହେଲେ ସେ ନେଇ ଓଡ଼ିଶାର ଜମାକାରୀଙ୍କ ନିକଟକୁ ମେସେଜ୍‌ ଆସୁଥିଲା। ସେହି ମେସେଜରୁ ହିଁ ଏହି ତଥ୍ୟ ସାମ୍ନ‌ାକୁ ଆସିଛି।

ଆଠମଲ୍ଲିକର ଶୁଭେନ୍ଦୁଙ୍କ ଭଳି ଅଧିକ ଠକାମିରେ ପଡ଼ିଛନ୍ତି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ତାଟ ଅଞ୍ଚଳର ଏକାଧିକ ଜମାକାରୀ। ଏଠାରେ ଲୋକେ ଅଧିକ ସୁଧ ଆଶାରେ ଜମିବାଡ଼ି ବିକ୍ରି କରି ଟଙ୍କା ଲଗାଇଥିବାରୁ ଏବେ ସ˚ସ୍ଥାର ଏ ପ୍ରକାର କାରବାର ସାମ୍ନ‌ାକୁ ଆସିବା ପରେ ମୁଣ୍ତରେ ହାତ ଦେଇ ବସିଛନ୍ତି। କଟକ, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ନୟାଗଡ଼ ବାଦ ଏବେ ଜଗତସି˚ହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ବି ଏହି ଠକ ସ˚ସ୍ଥା ହ୍ବାଟସଆପରେ ଲିଙ୍କ ପଠାଇ ଲୋକଙ୍କ ଟଙ୍କା ଠକି ନେଇଥିବା ତଥ୍ୟ ସାମ୍ନ‌ାକୁ ଆସିବାରେ ଲାଗିଛି। ଅନ୍ୟପଟେ ସ˚ସ୍ଥାର ୱେବସାଇଟ୍‌ https://www.camvip.inରେ ପ୍ରତି ମାସରେ ଅଷ୍ଟ୍ରେଲିଆ, ନାଇଜେରିଆ, ଇ˚ଲଣ୍ତ, ଆମେରିକାର ୪ଟି ବଡ଼ ପ୍ରୋଜେକ୍ଟ ଲଞ୍ଚ କରୁଥିଲା। ପ୍ରତି ପ୍ରୋଜେକ୍ଟର ମୂଲ୍ୟ ୬୦ରୁ ୭୦ କୋଟି ଟଙ୍କା ଥିଲା। କେଉଁଠି କୋଠା ନିର୍ମାଣ ପ୍ରୋଜେକ୍ଟ ତ ଆଉ କେଉଁଠି ଗାଡ଼ି ସୋରୁମ, ଶ୍ରମିକଙ୍କ ପାଇଁ ବଡ଼ ଫ୍ୟାକ୍ଟ୍ରି ବସାଇବାର ପ୍ରୋଜେକ୍ଟ ହେଉଥିବା ଦର୍ଶାଯାଉଥିଲା। ପ୍ରୋଜେକ୍ଟ କିଣିବାର ସମୟସୀମା ଏକ ମାସ ରହୁଥିବାରୁ ଏହି ପ୍ରୋଜେକ୍ଟରେ ହିଁ ଜମାକାରୀମାନେ ଅଧିକ ସୁଧ ଆଶାରେ ଟଙ୍କା ଲଗାଉଥିଲେ।

ସମ୍ବନ୍ଧିତ ଖବର