୯ ମାସ ହେଲା ଅନ୍‌ଲାଇନ୍‌ ଟିକସ ଆଦାୟ ବନ୍ଦ ଘରୋଇ ସଂସ୍ଥା ଉପରେ ନିର୍ଭର; ହ୍ରାସ ପାଉଛି ହୋଲ୍‌ଡିଂ ଟିକସ ସଂଗ୍ରହ

କଟକ: କଟକ ମହାନଗର ନିଗମର ଆୟର ପ୍ରମୁଖ ଉତ୍ସ ହେଉଛି ହୋଲଡିଂ ଟିକସ। ଏହାର ପରିମାଣକୁ ବଢାଇବା ପାଇଁ ନିଗମ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଏ। ସହରବାସୀ ଘରେ ବସି ଅନ୍‌ଲାଇନ୍‌ରେ ହୋଲଡିଂ ଟିକସ ଦେବାର ବ୍ୟବସ୍ଥା ୨୦୨୦ରେ ଆରମ୍ଭ ହୋଇଥିଲା। ମାତ୍ର ଗତ ସେପ୍ଟେମ୍ବରରୁ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ଅକାମି‌ ହୋଇ ରହିଛି। ଫଳରେ ସିଏମ୍‌ସିର ଟିକସ ଆଦାୟ ପରିମାଣ ହ୍ରାସ ପାଇଛି। ଅନ୍ୟପଟେ ଭୁବନେଶ୍ବର ମହାନଗର ନିଗମ ବା ବିଏମ୍‌ସି ଅନ୍‌ଲାଇନ୍‌ ଟିକସ୍‌ ଆଦାୟ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖିଥିବା ବେଳେ ସିଏମ୍‌ସି ଘରୋଇ ସଂସ୍ଥା ଉପରେ ନିର୍ଭର କରୁଥିବାରୁ ଏପରି ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। କରୋନା ପରିସ୍ଥିତିରେ ସିଏମ୍‌ସିର ଆୟ ୨ବର୍ଷ ଧରି କମିଥିବା ବେଳେ ଏବେ ଅନ୍‌ଲାଇନ୍‌ ଟିକସ ସଂଗ୍ରହ ବ୍ୟବସ୍ଥା ଅକାମି ହେବା ନିଗମର ଆର୍ଥିକ ସ୍ଥିତିକୁ ଅଧିକ ଖରାପ କରିଛି। ଗତ ସେପ୍ଟେମ୍ବରରୁ ସିଏମ୍‌ସିର ଅନ୍‌ଲାଇନ୍‌ ଟିକସ ପୈଠ ବ୍ୟବସ୍ଥା ଖରାପ ହୋଇଯାଇଛି। ଏଥିରେ ବିଶେଷ ଭାବେ ହୋଲଡିଂ ଟିକସ ଆଦାୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ସରକାରୀ ଓ ବେସରକାରୀ ଭାବେ ନିଗମ ବର୍ଷକୁ ୩୦ ରୁ ୩୨ କୋଟି ଟଙ୍କାର ହୋଲଡିଂ ଟିକସ ଆଦାୟ କରିଥାଏ।

କରୋନା ପରିସ୍ଥିତିରେ ବି ଅନ୍‌ଲାଇନ୍‌ ବ୍ୟବସ୍ଥା ଦ୍ବାରା ୨୦୨୦-୨୦୨୧ରେ ୨୮ କୋଟି ଟଙ୍କାର ହୋଲଡିଂ ରାଜସ୍ବ ଆଦାୟ ହୋଇଥିଲା। ମାତ୍ର ଗତ ୯ମାସ ଅନଲାଇନ୍‌ ସେବା ବନ୍ଦ ରହିବା ଯୋଗୁଁ ୨୦୨୧-୨୦୨୨ ବର୍ଷରେ ରାଜସ୍ବ ଆୟ ୪୫ ପ୍ରତିଶତ କମିଛି। ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଅନ୍‌ଲାଇନ୍‌ ସେବା ବନ୍ଦ ରହିଲେ ରାଜସ୍ବ ଆଦାୟ ୫୦ ପ୍ରତିଶତ କମିବାର ଆଶଙ୍କା ରହିଛି। ଗତ କିଛି ବର୍ଷ ଧରି ସିଏମ୍‌ସିରେ ଅନ୍‌ଲାଇନ୍‌ ବ୍ୟବସ୍ଥା ‘ଟିସିଏସ୍‌’ ଦ୍ବାରା ନିୟନ୍ତ୍ରଣ ହେଉଥିଲା। ମାତ୍ର ଗତ ସେପ୍ଟେମ୍ବରରେ ଏହାକୁ ‘ସୁଯୋଗ’କୁ ହସ୍ତାନ୍ତର କରାଯାଇଛି। ମାତ୍ର ସୁଯୋଗ ଆପ୍‌ ଦାୟିତ୍ବ ନେବା ଦିନଠାରୁ ହୋଲଡିଂ ଟିକସ ଅନ୍‌ଲାଇନ୍‌ ଆଦାୟ ବନ୍ଦ ରହିଛି। ଲୋକେ ଅନ୍‌ଲାଇନ୍‌ରେ ଟିକସ ଦେବାକୁ ଇଚ୍ଛା କରୁଥିଲେ ବି ଏହା ସମ୍ଭବ ହୋଇ ପାରୁନାହିଁ। ସେପଟେ କରୋନା ପରଠାରୁ ବିଭିନ୍ନ ୱାର୍ଡରେ ପୂର୍ବପରି ଆଉ ଟିକସ ଆଦାୟ କ୍ୟାମ୍ପ ବସୁନାହିଁ। କ୍ୟାମ୍ପ ନବସିବା ଓ ଅନ୍‌ଲାଇନ୍‌ ବ୍ୟବସ୍ଥା ଅକାମି ରହିବା ଯୋଗୁଁ ହୋଲଡିଂ ଟିକସ ସଂଗ୍ରହ ହ୍ରାସ ପାଉଛି।

ସମ୍ବନ୍ଧିତ ଖବର