ହାଇକୋର୍ଟ ଖବର: ୨୧ ଯାଏଁ କେବଳ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

କଟକ : କରୋନା ଭୂତାଣୁ ସଂକ୍ରମଣଜନିତ  ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବଭଳି ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ କଟକଣା ମଧ୍ୟରେ ଖୋଲା ରହିବ। କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ୨୧ ଯାଏଁ ହାଇକୋର୍ଟରେ ଶୁଣାଣି ହୋଇପାରିବ। ଏ ନେଇ ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଳ୍ପ ସଂଖ୍ୟକ ବିଚାରପତି ଭର୍ଚ୍ୟୁଆଲ ମୋଡରେ ମାମଲାର ବିଚାର କରିପାରିବେ। ଏହି ସମୟ ମଧ୍ୟରେ ହାଇକୋର୍ଟ ପରିସର ବନ୍ଦ ରହିବ। କେବଳ ଅନୁମତି ପ୍ରାପ୍ତ କର୍ମଚାରୀ ଓ ଅଧିକାରୀ ହାଇକୋର୍ଟ ଆସିପାରିବେ।

ଜାରି ରହିଥିବା ବ୍ୟବସ୍ଥା ଅନୁସାରେ ନୂଆ ମାମଲା ସହିତ ବିଚାରାଧୀନ ମାମଲାରେ ଅନ୍ତରୀଣ ଆବେଦନ ଓ ଡକୁମେଣ୍ଟ ଦାଖଲ ଇ-ଫାଇଲିଂ ପୋର୍ଟାଲ କିମ୍ବା ଇ-ମେଲ୍‌ ଦ୍ଵାରା କରାଯିବ। ଯଦି ଇ-ଫାଇଲିଂ ଓ ଇ-ମେଲ୍‌ ବ୍ୟବସ୍ଥାରେ କିଛି ବୈଷୟିକ ସମସ୍ୟା ସୃଷ୍ଟି ହୁଏ ଓ ମାମଲା ଜରୁରୀ ଥାଏ, ହାଇକୋର୍ଟ ପରିସରରେ ଥିବା ଡ୍ରପ୍‌ ବକ୍ସରେ ଏ ସଂପର୍କିତ ଆବେଦନ ଓ ଡକୁମେଣ୍ଟ ଦାଖଲ କରିହେବ। ଜରୁରୀ ପ୍ରସଂଗ ସଂପର୍କିତ ସୂଚନା ଏକ ମେମୋ ଆକାରରେ ଫାଇଲ ସହିତ ଦାଖଲ କରିବାକୁ ପଡିବ।

ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଡ୍ରପ୍‌ ବକ୍ସ ବ୍ୟବସ୍ଥା ରହିବ। ଡ୍ରପ୍‌ ବକ୍ସରେ ଆବେଦନ ଦାଖଲ କରିବା ସମୟରେ ଭିଡ଼ ନ କରିବାକୁ ଓ ସାମାଜିକ ଦୂରତ୍ୱ ନିୟମ କଡ଼ା କଡ଼ି ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ପ୍ରସଂଗରେ ଜରୁରୀ ସଂପର୍କିତ ସୂଚନା ଥିବା ମେମୋ ଆଇନଜୀବୀ ଓ ପକ୍ଷମାନେ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ଇ-ଫାଇଲିଂ/ଅନ୍‌-ଲାଇନ/ଇ-ମେଲ୍‌ ମାଧ୍ୟମରେ ଆଗୁଆ ଦାଖଲ କରିବେ।

ସମ୍ବନ୍ଧିତ ଖବର