ରାଜ୍ୟରେ ବଢ଼ୁଛି ନିଦ୍ରାହୀନତା ସମସ୍ୟା: ୬ ବର୍ଷ ହେଲା ନିଦ୍ରାରୋଗ ଓପିଡି ବନ୍ଦ କରି ଶୋଇଛି ଏସ୍‌ସିବି

କଟକ: ନିଦ୍ରାହୀନତା ବର୍ତ୍ତମାନ ସମୟରେ ଏକ ବଡ଼ ଶାରୀରିକ ସମସ୍ୟା ଭାବେ ମୁଣ୍ଡ ଟେକିଛି। ବିଶେଷକରି କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ଏହି ନିଦ୍ରାହୀନତା ରୋଗ ବଢିବାରେ ଲାଗିଛି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ନିଦ୍ରାହୀନତା ସମସ୍ୟାରେ ଘାଣ୍ଟି ହେଉଛନ୍ତି। କେବଳ ସେତିକି ନୁହେଁ, ନିଦ ନହେବା ଫଳରେ ମାନସିକ ଚାପ ବଢୁଛି ଓ ଅନ୍ୟ ରୋଗ ମଧ୍ୟ ବଢୁଛି। କିନ୍ତୁ ଏଭଳି ସ୍ଥିତିରେ ନିଦ୍ରାରୋଗର ଚିକିତ୍ସା ପାଇଁ କଟକ ବଡଡାକ୍ତରଖାନାରେ ୨୦୧୩ରେ ଖୋଲିଥିବା ସ୍ବତନ୍ତ୍ର ନିଦ୍ରାରୋଗ ଓପିଡି ୨୦୧୭ରୁ ବନ୍ଦ ପଡିଛି। ଏବେ ଏଭଳି ବିଭାଗ ଏସ୍‌ସିବିରେ ନଥିଲା ବୋଲି ଦର୍ଶାଇ ଏହାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି।
୨୦୧୩ରେ ରାଜ୍ୟ ସରକାର କଟକ ବଡ଼ ଡାକ୍ତରଖାନାରେ ଶରୀରତତ୍ବ ବା ଫିଜିଓଲୋଜି ବିଭାଗରେ ନିଦ୍ରାରୋଗର ସ୍ବତନ୍ତ୍ର ଓପିଡି ଖୋଲିଥିଲେ। ଏହି ଓପିଡି ଜରିଆରେ ସପ୍ତାହରେ ଦୁଇ ଦିନ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଦିଆଯାଉଥିଲା। ନିଦ୍ରା ରୋଗ ପାଇଁ ଜଣେ ଡାକ୍ତର ସ୍ୱତନ୍ତ୍ର ତାଲିମ୍ ବି ନେଇଥିଲେ। କିନ୍ତୁ ସେହି ବିଶେଷଜ୍ଞଙ୍କୁ ପରବର୍ତ୍ତୀ ସମୟରେ ଅନ୍ୟ ମେଡିକାଲ କଲେଜକୁ ବଦଳି କରି ଦିଆଯାଇଥିଲା। ଯାହାଫଳରେ ୨୦୧୩ରେ ଖୋଲିଥିବା ଓପିଡି ୨୦୧୭ରୁ ବନ୍ଦ ପଡିଛି।

କଟକ ବଡ଼ଡାକ୍ତରଖାନାରେ ପୂର୍ବଭାରତର ପ୍ରଥମ ନିଦ୍ରାରୋଗ ଚିକିତ୍ସା ପାଇଁ ୨୦୧୩ ଜାନୁଆରି ୧୪ରେ ଓପିଡି ଚିକିତ୍ସା ଆରମ୍ଭ ହେବା ସମୟରେ ମାସକୁ ନିଦ୍ରାହୀନତାର ଚିକିତ୍ସା ପାଇଁ ଓପିଡିକୁ ହାରାହାରି ଭାବେ ୫୦ଜଣ ରୋଗୀ ଆସୁଥିବା ରେକର୍ଡରୁ ଜଣାପଡିଛି। ପରବର୍ତୀ ସମୟରେ ୨୦୧୬ରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରୁ ଏହି ଓପିଡିକୁ ସପ୍ତାହରେ ବୁଧବାର ଓ ଶୁକ୍ରବାର ଦୁଇ ଦିନ କରାଗଲା। କିନ୍ତୁ ୨୦୧୭ ଡିସେମ୍ବରରେ ଉକ୍ତ ବିଭାଗରେ ନିଦ୍ରାରୋଗ ଚିକିତ୍ସା ପାଇଁ ତାଲିମପ୍ରାପ୍ତ ବିଶେଷଜ୍ଞଙ୍କୁ ଅନ୍ୟତ୍ର ବଦଳି କରିଦେବା ପରେ ଓପିଡି ବନ୍ଦ ପଡିଛି। ଉକ୍ତ ବିଶେଷଜ୍ଞ ‘ସ୍ଲିପ୍ ମେଡ଼ିସିନ୍’ରେ ସ୍ବତନ୍ତ୍ରଭାବେ ଆମେରିକାନ୍‌ ଏକାଡେମିରୁ ତାଲିମ୍ ନେଇଥିଲେ। ଏସ୍‌ସିବି ଓପିଡିକୁ ସେହି ସମୟରେ ନିମହାନ୍ସ, ଆଇଜିଏଚ୍‌ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ନିଦ୍ରାହୀନତାର ଶିକାର ରୋଗୀ ଚିକିତ୍ସା ପାଇଁ ରେଫର ହୋଇ ଆସୁଥିଲେ। କିନ୍ତୁ ବର୍ତ୍ତମାନ ଏହି ରୋଗର ଚିକିତ୍ସା ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଥିବା ବେଳେ ଏସସିବିର ଏହି ଚିକିତ୍ସା ମିଳିପାରୁନି। ବରଂ ରୋଗୀ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖରେ ନିଦ୍ରାରୋଗର ଚିକିତ୍ସା‌ କରାଉଛନ୍ତି। ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ ୩ବର୍ଷ ତଳେ ନିଦ୍ରାରୋଗ ଓପିଡି ବନ୍ଦ ସଂପର୍କରେ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧିତ ଖବର