ଏସ୍‌ସିବି ନିଦ୍ରାରୋଗ ବିଭାଗ ଓପିଡିରେ ତାଲା: ୨୦୧୩ରେ ଖୋଲିଥିଲା, ୨୦୧୭ରୁ ବନ୍ଦ

କଟକ: ବର୍ତ୍ତମାନ ସମୟରେ ନିଦ୍ରାହୀନତା ଏକ ବଡ଼ ଶାରୀରିକ ସମସ୍ୟା ଭାବେ ମୁଣ୍ଡ ଟେକିଛି। ବିଶେଷକରି କୋଭିଡ୍ ସମୟରେ ଏହି ନିଦ୍ରାହୀନତା ରୋଗ ବଢିବାରେ ଲାଗିଛି। ନିଦ୍ରାହୀନତା ଅନ୍ୟ ରୋଗର କାରଣ ସାଜୁଥିବା ବେଳେ ଏହାର ଚିକିତ୍ସା ଏବେ ଗୁରୁତ୍ବପୂର୍ଣ୍ଣ ହୋଇ ପଡ଼ିଛି। କିନ୍ତୁ ଏଭଳି ସ୍ଥିତିରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ନିଦ୍ରାରୋଗ ବିଭାଗ ଓପିଡିରେ ୪ ବର୍ଷ ହେଲା ତାଲା ପଡ଼ିଛି। ୨୦୧୩ରେ ରାଜ୍ୟ ସରକାର କଟକ ବଡ଼ ଡାକ୍ତରଖାନାରେ ଶରୀରତତ୍ତ୍ବ ବା ଫିଜିଓଲୋଜି ବିଭାଗରେ ନିଦ୍ରାରୋଗର ସ୍ବତନ୍ତ୍ର ଓପିଡି ଖୋଲିଥିଲେ। ଏହି ଓପିଜି ଜରିଆରେ ସପ୍ତାହରେ ‌ଦୁଇ ଦିନ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଦିଆଯାଉଥିଲା। ନିଦ୍ରା ରୋଗ ପାଇଁ ଜଣେ ଡାକ୍ତର ସ୍ବତନ୍ତ୍ର ତାଲିମ୍‌ ବି ନେଇଥିଲେ। କିନ୍ତୁ ସେହି ବିଶେଷଜ୍ଞଙ୍କୁ ଏସସିବିରେ ନରଖି ଅନ୍ୟ ଆଡେ ବଦଳି କରିବାରୁ ୨୦୧୭ରୁ ଏହି ଓପିଡି ସଂପୂର୍ଣ୍ଣ ବନ୍ଦ ହୋଇ ରହିଛି। ସୂଚନା ଅନୁସାରେ, କଟକ ବଡ଼ଡାକ୍ତରଖାନାରେ ପୂର୍ବଭାରତର ପ୍ରଥମ ନିଦ୍ରାରୋଗ ଚିକିତ୍ସା ପାଇଁ ୨୦୧୩ ଜାନୁଆରି ୧୪ରେ ଓପିଡି ଚିକିତ୍ସା ଆରମ୍ଭ ହୋଇଥି‌ଲା। ସେହି ସମୟରେ ମାସକୁ ନିଦ୍ରାହୀନତାର ଚିକିତ୍ସା ପାଇଁ ଓପିଡିକୁ ହାରାହାରି ଭାବେ ୫୦ଜଣ ରୋଗୀ ଆସୁଥିବା ରେକର୍ଡରୁ ଜଣାପଡିଛି।

ପରବର୍ତ୍ତୀ ସମୟରେ ୨୦୧୬ରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ଓପିଡିକୁ ସପ୍ତାହରେ ଦୁଇଦିନ ଅର୍ଥାତ୍‌ ବୁଧବାର ଓ ଶୁକ୍ରବାର ଦୁଇ ଦିନ କରାଗଲା। କିନ୍ତୁ ୨୦୧୭ ଡିସେମ୍ବରରେ ଉକ୍ତ ବିଭାଗରେ ନିଦ୍ରାରୋଗ ଚିକିତ୍ସା ପାଇଁ ତାଲିମପ୍ରାପ୍ତ ବିଶେଷଜ୍ଞଙ୍କୁ ଅନ୍ୟତ୍ର ବଦଳି କରିଦେବାପରେ ଓପିଡି ବନ୍ଦ ପଡିଛି। ଉକ୍ତ ବିଶେଷଜ୍ଞ ‘ସ୍ଲିପ୍‌ ମେଡ଼ିସନ୍’ରେ ସ୍ବତନ୍ତ୍ରଭାବେ ଆମେରିକାନ୍‌ ଏକାଡେମିରୁ ତାଲିମ୍‌ ନେଇଥିଲେ। ଏସ୍‌ସିବି ଓପିଡିକୁ ସେହି ସମୟରେ ନିମହାନ୍ସ, ଆଇଜିଏଚ୍‌ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ନିଦ୍ରାହୀନତାର ଶିକାର ରୋଗୀ ଚିକିତ୍ସା ପାଇଁ ରେଫର ହୋଇ ଆସୁଥିଲେ। କିନ୍ତୁ ବର୍ତ୍ତମାନ ଏହି ରୋଗର ଚିକିତ୍ସା ଗୁରୁତ୍ବପୂର୍ଣ୍ଣ ହୋଇ ପଡିଥିବା ବେଳେ ଏସସିବିର ସ୍ବତନ୍ତ୍ର ବିଭାଗ କେବେ ଖୋଲିବ, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଅନ୍ୟପଟେ ଚୌଦ୍ବାର-କଟକ ବିଧାୟକ ସୌଭିକ୍‌ ବିଶ୍ବାଳ ଏସ୍‌ସିବି ବିଶେଷଜ୍ଞ ଅଭାବ ସଂପର୍କରେ ବିଧାନସଭାରେ ପଚାରିଥିବା ପ୍ରଶ୍ନରେ ନିଦ୍ରାରୋଗ ବିଭାଗ ଓପିଡି ୨୦୧୭ରୁ ବନ୍ଦ ହୋଇଯାଇଥିବା ଓ ବିଭାଗୀୟ ବିଶେଷଜ୍ଞଙ୍କୁ ବଦଳି ଯୋଗୁଁ ଏହା ବନ୍ଦ ହୋଇଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର