ଖୁବ୍‌ ଶୀଘ୍ର ହେବ ଓପନ୍‌ ହାର୍ଟ ସର୍ଜରି, ମିତାଙ୍କ ପାଇଁ ଆଶାର ଆଲୋକ ଏସ୍‌ସିବି ହୃଦ୍‌ରୋଗ ବିଭାଗ

କଟକ: ନିରାଶ୍ରୟ ହୃଦ୍‌ରୋଗୀ ମିତାଙ୍କ ପାଇଁ ଆଶାର ଆଲୋକ ଓ ଆଶ୍ରୟ ପାଲଟିଛି କଟକ ବଡ଼ ଡାକ୍ତରଖାନା ହୃଦ୍‌ରୋଗ ବିଭାଗ। ଦଶନ୍ଧି ଧରି ମିତାଙ୍କ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ହୃଦ୍‌ରୋଗ ବିଭାଗର ଡାକ୍ତରମାନେ। ଦୀର୍ଘ ୨୪ବର୍ଷ ଧରି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅନାଥ ମିତା ମୁଣ୍ଡା(୨୬) ଏବଂ ତାଙ୍କ ୫ବର୍ଷ ବୟସର କନ୍ୟା। ଖୁବ୍‌ଶୀଘ୍ର ମିତାଙ୍କର ଅସ୍ତ୍ରୋପଚାର ପାଇଁ ହୃଦ୍‌ରୋଗ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ଓ ଏବେ ସେ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ଅନୁସାରେ, ମିତା ମୁଣ୍ଡା ଭଣ୍ଡାରିପୋଖରୀସ୍ଥିତ ନାଁମି ଆଦିବାସୀ ଗାଁର ଶିବ ମୁଣ୍ଡାଙ୍କ ଝିଅ। ୪ବର୍ଷ ବୟସରୁ ସେ ମାରାତ୍ମକ କାର୍ଡିଓଲୋଜି ରୁମାଟିକ୍‌ ଭଳି ହୃଦରୋଗରେ ପୀଡ଼ିତା। ଗରିବ ଓ ଅସହାୟ କାରଣରୁ ଚିକିତ୍ସାରୁ ବଞ୍ଚିତ ଥିଲେ।

Sambad

ଏପଟେ ମାରାତ୍ମକ ରୋଗରେ ପୀଡିତ ଥିବାରୁ ସ୍ୱାମୀ ନରହରି ମୁଣ୍ଡା ତାଙ୍କୁ ଘରୁ ତଡି ଦେବା ପରେ ସେ ନିଜ ସମ୍ପର୍କୀୟଙ୍କ ସହିତ ୬ମାସର ଶିଶୁକନ୍ୟାକୁ ସହ ସିଡିଏ ଆଦିବାସୀ ବସ୍ତିକୁ ମୂଲ ଲାଗିବାକୁ ଚାଲିଆସିଥିଲେ। ଅସୁସ୍ଥ ହୋଇ ଶେଷରେ ୨୦୧୪ ମସିହାରେ ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମିତାଙ୍କ ପାଇଁ ସମସ୍ତ ସାହାଯ୍ୟ ଓ ସହଯୋଗର ହାତ ବଢାଇଥିଲେ ହୃଦରୋଗ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର୍‌ ଡାକ୍ତର ନିହାର ରଂଜନ ପରିଡ଼ା। ନିଜର ପାରିବାରିକ ବନ୍ଧୁ ଡକ୍ଟର ମୀରା ଘୋଷ ଓ ସୁନିତା ପତିଙ୍କ ସହାୟତାରେ ମିତାଙ୍କ ଥଇଥାନ କରାଯାଇଛି ଓ ସେ ନିୟମିତ ଏସ୍‌ସିବି ହୃଦରୋଗ ବିଭାଗରେ ଚିକିତ୍ସିତ ହୋଇଆସୁଛନ୍ତି। ମିତାଙ୍କ ଜୀବନ ବଞ୍ଚାଇବା ପାଇଁ ଓପନ୍‌ହାର୍ଟ ସର୍ଜରି ନିତାନ୍ତ ଜରୁରୀ ଜଣାପଡ଼ିବା ପରେ ଗତ ୭ଦିନ ହେବ ପ୍ରଫେସର ସତ୍ୟନାରାୟଣ ରାଉତରାୟଙ୍କ ତତ୍ତ୍ବାବଧାନରେ ଆଇସିୟୁରେ ମିତାଙ୍କ ଚିକିତ୍ସା କରାଯାଉଥିଲା। ଆଜି ତାଙ୍କୁ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସା ବିଭାଗରେଭର୍ତ୍ତି କରାଯାଇଛି ଓ ଖୁବ୍‌ ଶୀଘ୍ର ତାଙ୍କ ପାଇଁ ସମସ୍ତ ଚିକିତ୍ସା ଓ ଅସ୍ତ୍ରୋପଚାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଡାକ୍ତର ନିହାର ରଂଜନ ପରିଡ଼ା। ପୁଲିସ ସହଯୋଗରେ ମିତାଙ୍କ ବଡ଼ ଭଉଣୀ ପ୍ରମିଳାଙ୍କ ସହିତ ଯୋଗାଯୋଗ କରାଯାଇଛି ଓ ‌ଜାତିଗତ ପ୍ରମାଣପତ୍ର ପ୍ରସ୍ତୁତ କରା ସରିଛି। ମିତାଙ୍କ ଚିକିତ୍ସା ପାଇଁ ଏବେ ଆଶାର ଆଲୋକ ସାଜିଛି ଏସ୍‌ସିବି ହୃଦରୋଗ ବିଭାଗ।

ସମ୍ବନ୍ଧିତ ଖବର