କେମିତି ଥିଲା ଅପରେସନ୍ ରାହୁଲ୍‌? ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବଖାଣିଲେ ଲୋମଟାଙ୍କୁରା ଅନୁଭୂତି

ଦିବ୍ୟାଙ୍ଗ ରାହୁଲ୍‌ ପ୍ରତି ଜଗନ୍ନାଥଙ୍କ ଆଶୀର୍ବାଦ ଥିଲା

କଟକ: ଛତିଶଗଡ଼ର ଜାଞ୍ଜଗିରି-ଚାମ୍ପା ଜିଲ୍ଲା ଅନ୍ତର୍ଗତ ପିରହ୍ରିଡ୍ ଗ୍ରାମରେ ଜୁନ୍ ୧୦ ତାରିଖରେ ଘଟିଥିଲା ଏକ ଅଘଟଣ। ୧୧ ବର୍ଷର ଦିବ୍ୟାଙ୍ଗ ବାଳକ ରାହୁଲ୍ ଖସି ପଡ଼ିଥିଲା ନିଜ ଘର ପଛପଟ ୮୦ ଫୁଟ୍ ଗଭୀର ଏକ ବୋର୍ ୱେଲ୍ ଭିତରକୁ। ଏବଂ ସେହି ବୋର୍ ୱେଲ୍ ଭିତରେ ରହିଥିଲା ଜୁନ୍ ୧୪ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ। ଅର୍ଥାତ ଦୀର୍ଘ ୧୦୫ ଘଣ୍ଟା ବୋର୍ ୱେଲ୍ ଭିତରେ ରହିଥିଲା ରାହୁଲ୍। ସେଥିରୁ ଜୀବନ ଥାଇ ବାହାରିବା ଯେତିକି ଅବିଶ୍ବସନୀୟ, ତାକୁ ବଂଚାଇବା ପାଇଁ ଲାଗି ପଡ଼ିଥିବା ଏନ୍‌ଡିଆର୍‌ଏଫ୍ ଟିମ୍‌ର ଅନୁଭବ ବି ସେତିକି ଲୋମହର୍ଷକ। କଟକର ମୁଣ୍ଡଳୀସ୍ଥିତ ଏନଡିଆରଏଫ୍‌ର ଯବାନ ମାନେ ରାହୁଲକୁ ଉଦ୍ଧାର କରିଥିବା ବେଳେ ସେମାନେ ତାଙ୍କର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି। କମାଣ୍ଡାଣ୍ଟ୍ ବର୍ଦ୍ଧମାନ ମିଶ୍ର ଘଟଣା ସଂପର୍କରେ ସବିଶେଷ ସୂଚନା ଦେଇଛନ୍ତି।

ରାହୁଲ୍‌କୁ ସଜାଗ ରଖିବାକୁ ନିୟୋଜିତ ଥିଲେ ସ୍ବତନ୍ତ୍ର ଟିମ୍
ରାହୁଲର ନିଶ୍ବାସ ପ୍ରଶ୍ବାସ ଜାଣିବା ପାଇଁ ସିସି କ୍ୟାମେରା ବ୍ୟବହାର କରାଯାଇଥିଲା। ଡାକ୍ତରୀ ଟିମ୍ ପ୍ରତି ମୂହୁର୍ତ୍ତରେ ତା’ର ନିଶ୍ବାସ ପ୍ରଶ୍ବାସ ଉପରେ ନଜର ରଖୁଥିଲେ। ରାହୁଲର ସାନ ଭାଇ ଓ ବୁଢ଼ୀ ମା ସହିତ ନିୟମିତ କଥା ହେଉଥିଲେ। ଅଧିକ କଥା ତା ସାନ ଭାଇ ସହିତ ହେଉଥିଲା। ଏନଡିଆରଏଫର ଗୋଟିଏ ଟିମ୍ ଏହି କାମରେ ନିୟୋଜିତ ହୋଇଥିଲା।

ଉଦ୍ଧାର ପଛର ୩୦ ଜଣ ହିରୋ

ଛତିଶଗଡ଼ ଭିଲାଇରେ ଏନଡିଆରଏଫ୍ ରିଜିଓନାଲ୍ ରେସପନସ୍ ସେଣ୍ଟର ରହିଛି। କଟକର ମୁଣ୍ଡୁଳିସ୍ଥିତ ଏନ୍‌ଡିଆର୍‌ଏଫ୍ ଅଧୀନରେ ଏହି ସେଣ୍ଟର କାମ କରୁଛି। ସେଠାରେ ଏନଡିଆର୍ ମୁଣ୍ଡୁଳିର କର୍ମଚାରୀ କାମ କରନ୍ତି। ରାହୁଲ ଫସି ଥିବା ଖବର ମିଳିବା ପରେ ଭିଲାଇରୁ ସେଦିନ ୨୦ ଜଣ ଘଟଣାସ୍ଥଳକୁ ଯାଇଥିଲେ। ଭିଲାଇରୁ ୨୦୦ କିମି ବାଟ ଅତିକ୍ରମ କରି ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅନ୍ୟପଟେ କଟକ ମୁଣ୍ଡଳିରୁ ସ୍ବତନ୍ତ୍ର ତାଲିମପ୍ରାପ୍ତ ୧୦ ଜଣ ବି ସେଠାକୁ ବାହାରି ଯାଇଥିଲେ। ମୁଣ୍ଡୁଳୀ ଏନଡିଆରଏଫ୍ କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ର ଟିମ୍‌ର ନେତୃତ୍ବ ନେଇଥିଲେ। ୩୦ ଜଣିଆ ଟିମ୍‌ରେ ଜଣେ କମାଣ୍ଡାଣ୍ଟଙ୍କ ସମେତ ୩ ଇନ୍ସପେକ୍ଟର, ୩ ଏସ୍‌ଆଇ, ୨୩ କନଷ୍ଟେବଳ ସାମିଲ ହୋଇଥିଲେ।

୬୦ ଫୁଟ୍ ଗଭୀରରେ ଫସି ରହିଥିଲା ରାହୁଲ୍

ବୋରୱେଲ୍‌ର ଗଭୀରତା ଥିଲା ୮୦ ଫୁଟ। ଗୋଲେଇ ଥିଲା ୮ ଇଞ୍ଚ। ସେହି ବୋରୱେଲରେ ପାଇପ୍ କିନ୍ତୁ ଭର୍ତ୍ତି ହୋଇ ନଥିଲା। ରାହୁଲ ୬୦ ଫୁଟରେ ଫସି ରହିଥିଲା। ପ୍ରଥମେ ବୋରଓ୍ବେଲରୁ ୧୦ ଫୁଟ ଦୂରରେ ୬୫ ଫୁଟର ଏକ ଗାତ ଖୋଳା ହେଲା। ସେଠୁ ୨୦ ଫୁଟର ଶୁଡ଼ଙ୍ଗ ବୋରଓ୍ବେଲ ନିକଟକୁ ହେଲା। ୫ ଫୁଟର ଗୋଲେଇ ଆକାରରେ କଟା ଯାଇଥିଲା। ଶୁଡ଼ଙ୍ଗ ଖୋଳିବା ସମୟରେ ଡୋଲାମାଇଟ୍ ପଥର ପଡ଼ିଥିଲା। ଏହା ସବୁଠାରୁ କଠିନ ପଥର। କିଛି ପଥର ଦୁଇ ଘଣ୍ଟାରେ କଟି ଯାଉଥିଲା। ଆଉ କିଛି ପଥର କଟିବାକୁ ୪ରୁ ୫ ଘଣ୍ଟା ଲାଗୁଥିଲା। ୨୦ ଫୁଟ୍ ପଥର କାଟିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଏନଡିଆରଏଫ୍ ଟିମ୍ ପାଇଁ। ପଥର କାଟିବା ସମୟରେ ପ୍ରବଳ ଧୂଳି ଉଡ଼ିବାରୁ ଡଷ୍ଟ ଏକଜଷ୍ଟର ବ୍ୟବହାର କରି ଧୂଳି ବାହାରକୁ କଢ଼ା ଯାଉଥିଲା। ତଥାପି ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେଉଥିଲା। ଆଖିର ପୋଡ଼ାଜଳା ହେଉଥିଲା। କିଛି ଦେଖାଯାଉ ନଥିଲା। କଥାବାର୍ତ୍ତା ବି କରିବା ସମ୍ଭବପର ହେଉନଥିଲା। ଶୁଡ଼ଙ୍ଗରେ ତାପମାତ୍ର ୪୫ ଡିଗ୍ରିରୁ ଅଧିକ ରହିଥିଲା। ଧୂଳି ଏଭଳି ଭାବେ ନାକ ଓ ଆଖିରେ ପଶିଥିଲା ଯେ ଶୁକ୍ରବାର ମୁଣ୍ଡୁଳିରେ ଟିମ୍ ପହଞ୍ଚିବା ପରେ ବି ଠିକ୍‌ରେ କଥାବାର୍ତ୍ତା କରିପାରୁ ନଥିଲେ।

୩ ଦିନ ଖାଇ ନ ଥିଲେ ଏନଡିଆର୍‌ଏଫ୍ ଯବାନ; ରାହୁଲ୍ ଖାଉଥିଲା କଦଳୀ, ଫ୍ରୁଟିଚ

ରାହୁଲ କଦଳୀ ଖାଇବାକୁ ପସନ୍ଦ କରୁଥିଲା। ତେଣୁ ତାକୁ ନିୟମିତ କଦଳୀ ଦିଆଯାଉଥିଲା। ଫ୍ରୁଟି ବି ଦିଆଯାଉଥିଲା। ବୋତଲରେ ଓଆରଏସ୍ ଦେବାରୁ ସେ ନ ପିଇବାରୁ ଫ୍ରୁଟି ଡବାରେ ଓଆରଏସ୍ ପୁରାଇ ତାକୁ ଦିଆଗଲା। ନିୟମିତ ଅକ୍ସିଜେନ୍ ଦିଆଯାଉଥିଲା। ଏନଡିଆରଏଫର ଗୋଟିଏ ଟିମ୍ ଏହି କାମରେ ନିୟୋଜିତ ହୋଇଥିଲା। ଆରମ୍ଭରୁ ଦୁଇ ଦିନ ଟିମର ସଦସ୍ୟମାନେ ଖାଇଥିଲେ। କିନ୍ତୁ ଉଦ୍ଧାର ହେବାର ୩ ଦିନ ପୂର୍ବ ଅର୍ଥାତ ୭୨ ଘଣ୍ଟା ପୂର୍ବରୁ ରାହୁଲ କିଛି ବି ଖାଇଲା ନାହିଁ। ଏନଡିଆରଏଫ୍ ଟିମର ୩୦ ସଦସ୍ୟ ବି କିଛି ଖାଇଲେ ନାହିଁ। କେବଳ ପାଣି ପିଇଲେ। ରାହୁଲକୁ ନେଇ ସେମାନେ ଏତେ ଭାବପ୍ରବଣ ହୋଇଯାଇଥିଲେ ଯେ ବିନା ଖାଇବା, ଶୋଇବାରେ ୩ ଦିନ ଶୁଢ଼ଙ୍ଗ ଖୋଳିବା କାମରେ ନିୟୋଜିତ ରହିଥିଲେ। ନିଜେ ଏନଡିଆରଏଫ୍ କମାଣ୍ଡାଣ୍ଟ ବି ଉପାସ୍ ରହିଥିଲେ।

Sambad

 

କାନ୍ଧରେ ୫୨ କେଜିର ଡ୍ରିଲ୍ ମେସିନ୍ ରଖି କାମ କରିଥିଲେ

୬୫ ଫୁଟର ଗାତ ଖୋଳିବା ପରେ ଯେତେବେଳେ ଶୁଡ଼ଙ୍ଗ ଖୋଳାଗଲା, ଏଥିରେ ୫୨ କେଜି ଓଜନର ଡ୍ରିଲ୍ ମେସିନ୍ ବ୍ୟବହାର କରାଯାଇଥିଲା। ତଳେ ଛିଡ଼ା ହୋଇ ଡ୍ରିଲ୍ ମେସିନକୁ କାନ୍ଧରେ ଭାରା ଦେଇ ସାମନାରେ ଶୁଡ଼ଙ୍ଗ ଖୋଳିବା ଯେତେକି ଜଟିଳ ଥିଲା, ସେତିକି ବିପଦପୂର୍ଣ୍ଣ ବି ଥିଲା। ଭିତରେ ରାହୁଲ ଯେଉଁ ବୋରଓ୍ବେଲରେ ଫସିଥିଲା, ସେଥିରେ କୌଣସି ପାଇପ୍ ନଥିଲା। ତେଣୁ ଶୁଡ଼ଙ୍ଗ ଖୋଳିବା ସମୟରେ ବୋରଓ୍ବେଲ ଭିତରେ ପଥର ଖସିପଡ଼ିବାର ଆଶଙ୍କା ବି ଥିଲା। ମଝିରେ ମଝିରେ ମେସିନ୍ ଶବ୍ଦରେ ରାହୁଲ ବ୍ୟସ୍ତ ହୋଇ ପଡ଼ୁଥିଲା। ମଝିରେ ମଝିରେ ୧୦ ମିନିଟ୍ ମେସିନ୍ ବନ୍ଦ କରିବାକୁ ପଡ଼ୁଥିଲା।

ଶେଷରେ ଦେବଦୂତ ସାଜିଲା ଆଉ ଜଣେ ବାଳକ

ଏତେ ଉଦ୍ୟମ ସତ୍ତ୍ବେ ରାହୁଲକୁ ଗାତରୁ କାଢିବା ସମ୍ଭବ ହେଉ ନଥିଲା। ଦୀର୍ଘ ସମୟ ଆଲୋଚନା ପରେ ଜଣେ ପତଳା ବାଳକକୁ ଚୟନ କରାଗଲା। ତାର ଅଭିଭାବକଙ୍କ ସ୍ବୀକୃତି ନିଆଗଲା। ସେ ନିଜେ ଲାଇଫ୍ ଜ୍ୟାକେଟ୍ ପିନ୍ଧି ଓଲଟା ଗାତ ଭତିରେ ପଶିଲା ଏବଂ ରାହୁଲକୁ ଉପରକୁ ଟେକି ଆଣିବାରେ ସଫଳ ହେଲା। ସେ ବାଳକର ଦୃଢତା ଓ ସାହସ ବି ଅତ୍ୟନ୍ତ ପ୍ରଶଂସନୀୟ। ରାହୁଲ୍ କମ୍ ଶୁଣୁଥିବାରୁ ଏବଂ କହୁ ଥିବାରୁ ଏଭଳି ଏକ ପଦକ୍ଷେପ ନେଇ ତାକୁ ଉଦ୍ଧାର କରାଗଲା।

୧୯ ଫୁଟ୍‌ର ପାହାଡ଼କୁ କାଟିଲେ

ଦେଶରେ ବୋରଓ୍ବେଲରେ ଫସିଥିବା ଶିଶୁଙ୍କୁ ଉଦ୍ଧାର ଘଟଣାରେ ଛତିଶଗଡ଼ର ଏହି ଘଟଣା ସବୁଠାରୁ ବଡ଼ ଅପରେସନ୍ ବୋଲି ଏନଡିଆରଏଫ୍ ଅଧିକାରୀ ଦାବି କରିଛନ୍ତି। ଯେଉଁଠି ବୋରଓ୍ବେଲରୁ ଶିଶୁଙ୍କୁ ଉଦ୍ଧାର କରାଯାଉଥିଲା, ସେଠି ଖୋଳିବା ସମୟରେ ମାଟି ପଡ଼ୁଥିଲା। କିନ୍ତୁ ଛତିଶଗଡ଼ କ୍ଷେତ୍ରରେ ପାହାଡ଼ ପଡ଼ିଥିଲା। ଡୋଲାମାଇଟ୍ ଭଳି ଏକ ପ୍ରକାର କଠିନ ପଥର ପଡ଼ିଥିଲା। ୧୯ ଫୁଟ ଲମ୍ବା ପାହାଡ଼ କାଟି ଏନଡିଆରଏଫ୍ ଟିମ୍ ରାହୁଲ ନିକଟରେ ପହଞ୍ଚିଥିଲା।

ବିଷଧର ସାପ ବି କିଛି କରି ନ ଥିଲା

ରାହୁଲ ପ୍ରତି ଜଗନ୍ନାଥଙ୍କ ବିଶେଷ କୃପା ଥିଲା। ଯେତେବେଳେ ପ୍ରଥମେ ଏନଡିଆର୍ ଟିମ୍ ସିସି କ୍ୟାମେରାରେ ରାହୁଲର ଅବସ୍ଥିତି ଜାଣିବାକୁ ଚାହିଁଲା, ଗାତରେ ଏକ ବିଷଧର ସାପ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସାପ ରାହୁଲର କୌଣସି କ୍ଷତି କରି ନଥିଲା। ଏନଡିଆରଏଫ୍ ଟିମ୍ ୫ମ ଦିନ ସାପକୁ ସାପ ଧରା ଯନ୍ତ୍ରରେ ବାହାରକୁ କାଢ଼ିବାରେ ସଫଳ ହୋଇଥିଲେ। ୧୦୫ ଘଣ୍ଟା ରାହୁଲ ସାପ ସହିତ ଥିଲା। ସାପ ଥିବା କଥା ଆରମ୍ଭରୁ ଯଦିଓ ଜଣାପଡ଼ିଥିଲା, ଏ ସମ୍ପର୍କରେ ବାହାରେ ଏନଡିଆରଏଫ୍ ଟିମ୍ ପ୍ରଘଟ କରି ନଥିଲା। ଏଥିରେ ସମସ୍ତେ ଆତଙ୍କିତ ହେବାର ଆଶଙ୍କା ଥିଲା।

ସମ୍ବନ୍ଧିତ ଖବର