କଟକ: ଭୁବନେଶ୍ବର କପିଳପ୍ରସାଦ ଅଞ୍ଚଳରେ ବିଡିଏ କଲୋନି ନିକଟରେ ବିଏମ୍‌ସିର ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର(ଏମସିସି)କୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ବିଡିଏ ଏଚ୍‌ଆଇଜି ଆବାସିକ ଅଞ୍ଚଳ ସଂଲଗ୍ନ ଜମିରେ ନିର୍ମାଣ କରାଯାଇଥିବା ଏହି ଏମ୍‌ସିସି ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏମ୍‌ସିସି ଯୋଗୁଁ ଅଞ୍ଚଳରେ ବାୟୁ ଓ ଶବ୍ଦ ପ୍ରଦୂଷଣ ସମସ୍ୟା ଗୁରୁତର ସ୍ଥିତିରେ ପହଞ୍ଚିଛି ବୋଲି ଦର୍ଶାଇ ବିଡିଏ କଲୋନିର ସୁଚୀସ୍ମିତା ମହାନ୍ତି ଓ ଅନ୍ୟ ୬ଜଣ ବାସିନ୍ଦାଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ଆବେଦନ ଦାୟର କରାଯାଇଛି। ସମସ୍ତ ଆବେଦନକାରୀ ବରିଷ୍ଠ ନାଗରିକ ହୋଇଥିବା ବେଳେ ଜୀବନ ସାରା ରୋଜଗାର କରିଥିବା ଅର୍ଥ ଉପଯୋଗ କରି ବିଡିଏ ଠାରୁ କପିଳପ୍ରସାଦ ଠାରେ ମିଳିଥିବା ପ୍ଲଟରେ ଘର କରି ରହୁଛନ୍ତି।

Advertisment

କଲୋନି ପରିସରରୁ ମାତ୍ର ଏକ ମିଟର ଦୂର ଓ ଲୋକଙ୍କ ଘରଠାରୁ ପ୍ରାୟ ଅଢେଇ ମିଟର ଦୂରରେ ଥିବା ଜମିରେ ୨୦୨୦ରେ ଏମ୍‌ସିସି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ବେଳେ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ। ଏ ନେଇ ବିଏମସି, ବିଡିଏ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ୨୦୨୧, ଜୁଲାଇ ମାସରେ ଏହି ଏମ୍‌ସିସି କାର୍ଯ୍ୟକ୍ଷମ ହୋଇଥିଲା। ଏମ୍‌ସିସି ଚାଲିବା ପରେ ଏଠାରୁ ମାଲ ପରିବହନ ପାଇଁ ବହୁ ଗାଡ଼ି ଆସୁଛି। ଏଥି ସହିତ ଏମ୍‌ସିସିରୁ ଦୁର୍ଗନ୍ଧ ବାହାରୁଛି। ଗନ୍ଧ ଯୋଗୁଁ ଲୋକମାନେ ଘରେ ରହିବା କଷ୍ଟକର ହୋଇଥିବା ବେଳେ ବରିଷ୍ଠ ନାଗରିକ ହୋଇଥିବା ସମସ୍ତ ଆବେଦନକାରୀ ବିଶେଷ ଭାବେ ଅସୁବିଧାରେ ପଡ଼ୁଛନ୍ତି। ବୟସ ଅଧିକ ହେବା ସହିତ ବିଭିନ୍ନ ରୋଗରେ ଆକ୍ରାନ୍ତ ଆବେଦନକାରୀମାନେ ଘରୁ ବାହାରି ପାରୁ ନାହାନ୍ତି କି ଘରେ ରହି ପାରୁ ନାହାନ୍ତି। ଶବ୍ଦ ଓ ବାୟୁ ପ୍ରଦୂଷଣ ଯୋଗୁଁ ବିଡିଏ କଲୋନି ଓ ଏହାର ଆଖପାଖ ଅଞ୍ଚଳର ବାସିନ୍ଦା ସମସ୍ୟାରେ ରହିଛନ୍ତି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ଏହି ଏମ୍‌ସିସି ନିର୍ମାଣ ପାଇଁ ଅନୁମତି ନିଆଯାଇନଥିଲା। ଏଥି ସହିତ ଜଙ୍ଗଲ ଓ ପରିବେଶ ବିଭାଗ ମଧ୍ୟ ଏଥି ପାଇଁ ମଞ୍ଜୁରୀ ଦେଇ ନଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଉଲ୍ଲଂଘନ କରି ଏମ୍‌ସିସି ଚଳାଯାଉଛି। ବେଆଇନ ଭାବେ ନିର୍ମାଣ କରାଯାଇଥିବା ଏମ୍‌ସିସିକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବା ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଉ। କେଉଁ ପରିସ୍ଥିତିରେ ଆବାସିକ ଅଞ୍ଚଳ ସଂଲଗ୍ନ ସ୍ଥାନରେ ବେଆଇନ ଭାବେ ଏମସିସି ନିର୍ମା‌ଣ କରାଯାଇଛି ସେ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜଙ୍ଗଲ ଓ ପରିବେଶ ବିଭାଗ ନିକଟରୁ ଜବାବ ତଲବ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଏମସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବିଡିଏ ସଚିବଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।