କଟକ: ପୁରୀ ସହରର ତାଳବଣିଆରେ ଥିବା ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ଜମିର ସୁରକ୍ଷା ସଂକ୍ରାନ୍ତରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଧାର୍ଯ୍ୟ ଅର୍ଥ ପଇଠ ପରେ ଆବେଦନକାରୀଙ୍କ ନାଁରେ ସଂପୃକ୍ତ ଜମିର ବିକ୍ରି କବଲା କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ୨୦୧୬ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଇତି ମଧ୍ୟରେ ସଂପୃକ୍ତ ଜମି ଉପରେ ପୁରୀ ଆସୁଥିବା ତୀର୍ଥଯାତ୍ରୀଙ୍କୁ ରହାତି ଦରରେ ରହିବା ସୁବିଧା ପ୍ରଦାନ ପାଇଁ ଅତିଥି ଭବନ ନିର୍ମାଣ ଲାଗି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇ ସାରିଛି। ଏଭଳି ଘଟଣାକୁ ବିଚାରକୁ ନେଇ ୨୦୧୬ର ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଲାଲା ନଳିନୀ କୁମାର ରାୟଙ୍କ ଉତ୍ତରାଧିକାରୀମାନେ ଦାୟର କରିଥିବା ଅନ୍ତରୀଣ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

Advertisment

ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ୟୁନିଫର୍ମ ପଲିସି (ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ଜମି ବିକ୍ରି ସମ୍ବନ୍ଧୀୟ ସମାନ ନୀତି) ମହାପ୍ରଭୁଙ୍କ ସ୍ବାର୍ଥ ଓ ଦୀର୍ଘଦିନ ଧରି ସଂପତ୍ତି ଦଖଲରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରଣୟନ କରାଯାଇଥିଲା। ଏହି ୟୁନିଫର୍ମ ପଲିସି ଶ୍ରୀଜଗନ୍ନାଥଙ୍କ ସଂପତ୍ତିକୁ ଦଖଲରେ ରଖିବା ବା କ୍ରୟ କରିବାକୁ କୌଣସି ବ୍ୟକ୍ତିବିଶେଷକୁ ଅଧିକାର ଦେଇ ନାହିଁ।  ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବାର୍ଥ ସର୍ବୋଚ୍ଚ।

ଏହି ପ୍ରସଂଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ୨୦୧୭, ଜୁଲାଇ ୧୩ରେ ଜମି ଉପରେ ଅତିଥି ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲା। ତାଙ୍କ ଶ୍ରଦ୍ଧାଳୁଙ୍କ ପାଇଁ ଅତିଥି ଭବନ ନିର୍ମାଣ ଶ୍ରୀଜଗନ୍ନାଥଙ୍କ ସ୍ବାର୍ଥରେ ‌ହେଉଛି। ଏହି ଜମିର ବିକ୍ରି କବଲା କାର୍ଯ୍ୟକାରୀ ଓ ହସ୍ତାନ୍ତର ପ୍ରସଂଗ ନେଇ ଦାୟର ଏହି ଅନ୍ତରୀଣ ଆବେଦନ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ କୃଷ୍ଣ ରାମ ମହାପାତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଲାଲା ନଳିନୀ କୁମାର ରାୟଙ୍କ ଉତ୍ତରାଧିକାରୀ ସ୍ବର୍ଣ୍ଣଲତା ମହାନ୍ତି ଓ ଦେବଦତ୍ତ ରାୟଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ତାଳବଣିଆ ମୌଜାରେ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ୧୨୦ ଡିସିମିଲ ଜମି ପ୍ରସଂଗକୁ ନେଇ ଲାଲା ନଳିନୀ କୁମାର ରାୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜମିର ବଜାର ଦର ଅନୁସାରେ ଅର୍ଥ ଆବେଦନକାରୀ ପାଇଠ କରିବା ପରେ ଏ ସଂପର୍କିତ ବିକ୍ରି କବଲା ଶ୍ରୀମନ୍ଦିର ପ୍ରଶାସନ ସଂପାଦନ କରିବ ବୋଲି ୨୦୦୮, ଅଗଷ୍ଟ ୬ରେ ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଥିଲେ। ଏହି ରାୟର ପୁନର୍ବିଚାର ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ହାଇକୋର୍ଟରେ ଆବେଦନ କରିଥିଲେ। ପୂର୍ବ ନିର୍ଦ୍ଦେଶରେ ଉଲ୍ଲେଖ ଦର ଠାରୁ ଜମିର ମୂଲ୍ୟ ଅଧିକ ବୋଲି ଶୁଣାଣି ବେଳେ ଦର୍ଶାଯାଇଥିଲା।

ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଭବାନୀ ପଣ୍ଡା ଓରଫ ଦାଶ ଦାୟର କରିଥିବା ଇଣ୍ଟରଭେନସନ୍ ପିଟିସନକୁ ହାଇକୋର୍ଟ ଖାରଜ କରିଥିଲେ। ଏଥି ସହିତ ନୂଆ ଧାର୍ଯ୍ୟ ମୂଲ୍ୟ ଆବେଦନକାରୀ ପଇଠ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ଜମି ବିକ୍ରି କବଲା ସଂପାଦନ କରିବ ବୋଲି ହାଇକୋର୍ଟ ୨୦୧୬, ଜୁନ୍ ୨୮ରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଏକ ଅନ୍ତରୀଣ ଆବେଦନ ଦାୟର ହୋଇଥିଲା। ଏହାପରେ ଜମି ଅର୍ଥ ବାବଦ ଡିମାଣ୍ଡ ଡ୍ରାଫ୍ଟ ଗ୍ରହଣ କରିବା ସହିତ ପୂର୍ବ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରକ୍ରିୟା ୨୦୧୬, ଅକ୍ଟୋବର ଶେଷ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ଭବାନୀ ପଣ୍ଡା ୨୦୦୮, ଅଗଷ୍ଟ ୬ ଓ ୨୦୧୬, ଜୁନ୍ ୨୮ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଏସଏଲପି ଦାୟର କରିଥିଲେ। ଏହି ଜମି ପ୍ରସଂଗରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ୨୦୧୬, ଅକ୍ଟୋବର ୨୮ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏସଏଲପି ବିଚାରାଧୀନ ଥିବା ବେଳେ 'ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଏବଂ ମୃଣାଳିନୀ ପାଢୀ' ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଆଧାରରେ ଏହି ଜମି ଉପରେ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଅତଥି ଭବନ ନିର୍ମାଣ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୨୦୧୭, ଜୁଲାଇ ୧୩ରେ ପ୍ରସ୍ତାବ ଗୃହୀତ ହୋଇଥିଲା।

ଏହି ପ୍ରସ୍ତାବ ପରେ ଏସଏଲପିର ଆଗକୁ ଆଉ ଶୁଣାଣିର କୌଣସି ପ୍ରାସଂଗିକତା ନାହିଁ ବୋଲି ଭବାନୀ ପଣ୍ଡାଙ୍କ ତରଫରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା। ଏହାପରେ ୨୦୨୪, ଫେବ୍ରୁଆରି ୧୨ରେ ସୁପ୍ରିମ‌କୋର୍ଟ ଏସଏଲପିକୁ ଖାରଜ କରିଥିଲେ। ଏହାପରେ ଗତ ବର୍ଷ ଆବେଦନକାରୀ ଏକ ଅନ୍ତରୀଣ ଆବେଦନ ଦାୟର କରି ବିକ୍ରି କବଲା ସଂପାଦନ ସଂପର୍କିତ ୨୦୧୬ର ଦୁଇ ନିର୍ଦ୍ଦେଶର କାର୍ଯ୍ୟକାରୀ ପାଇଁ ନିବେଦନ କରିଥିଲେ।

ଅନ୍ୟପକ୍ଷରେ ଅନ୍ତରୀଣ ଆବେଦନର ଶୁଣାଣି ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଦର୍ଶାଯାଇଥିଲା ଯେ ୨୦୧୭ରେ ଅତିଥି ଭବନ ନିର୍ମାଣ ସଂପର୍କିତ ଗୃହୀତ ପ୍ରସ୍ତାବକୁ ଆବେଦନକାରୀଙ୍କ ତରଫରୁ କେବେ ଚାଲେଞ୍ଜ କରାଯାଇ ନଥିଲା। ଏଥି ସହିତ ଭବାନୀ ପଣ୍ଡାଙ୍କ ତରଫରୁ ଦାୟର ଏସଏଲପିରେ ଆବେଦନକାରୀ ମଧ୍ୟ ପକ୍ଷଥିଲେ। ଏସଏଲପିର ଚୂଡାନ୍ତ ଶୁଣାଣି ବେଳେ ଆବେଦନକାରୀଙ୍କ ତରଫରୁ କୌଣସି ଆପତ୍ତି ଉଠାଯାଇ ନଥିଲା। ଇତି ମଧ୍ୟରେ ଏହି ଜମି ପ୍ରସଂଗରେ ବହୁତ କିଛି ଅଗ୍ରଗତି ହୋଇ ସାରିଛି। ଜଣେ ବ୍ୟକ୍ତିଙ୍କୁ ଏହି ଜମି ପ୍ରଦାନ ନ କରି  ଜନସ୍ବାର୍ଥ ଦୃଷ୍ଟିରୁ ଏହି ଜମିରେ ଅତିଥି ଭବନ ନିର୍ମାଣ କରି ଶ୍ରଦ୍ଧାଳୁଙ୍କୁ ରିହାତି ଦରରେ ରହିବା ସୁବିଧା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଦର୍ଶାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ଆଇନଜୀବୀ ଆନନ୍ଦ ଚନ୍ଦ୍ର ସ୍ବାଇଁ ମାମଲା ପରିଚାଳନା

Orissa High Court | Cuttack