ବି. ପଟ୍ଟନାୟକ କଂପାନିରୁ ଓଟିଏମ୍; ୫୧ ବର୍ଷର ଇତିହାସ
କଟକ: ବିଜୁ ପଟ୍ଟନାୟକ ୧୯୪୬ ମସିହାରେ ଓଟିଏମ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫୨୨ ଏକର ଜମିରେ ନିର୍ମିତ ଓଟିଏମ୍ରେ ୧୯୫୦ ମସିହାରୁ କପଡ଼ା ଉତ୍ପାଦନ ଆରମ୍ଭ ହୋଇଥିଲା। ସେତେବେଳେ ଏହି କମ୍ପାନିର ନାମ ବି. ପଟ୍ଟନାୟକ ଆଣ୍ତ କମ୍ପାନି ଥିଲା। ତେବେ ବିଜୁ ପଟ୍ଟନାୟକ ସକ୍ରିୟ ରାଜନୀତିକୁ ଆସିବା ପରେ କମ୍ପାନିର ନାମ ପରିବର୍ତ୍ତନ କରାଯାଇ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ (ଓଟିଏମ୍)କୁ ପରିବର୍ତ୍ତନ କରାଯାଇଥିଲା। ୧୯୮୦ ମସିହା ପର୍ଯ୍ୟନ୍ତ ଏହା ଘରୋଇ କମ୍ପାନି ଅଧୀନରେ ପରିଚାଳିତ ହୋଇଆସୁଥିଲା ବେଳେ ୧୯୮୧ରେ ରାଜ୍ୟ ସରକାର ଏହାକୁ ନିଜ ଅକ୍ତିଆରକୁ ନେଇଥିଲେ। ପ୍ରଥମ ପରିଚାଳନା ନିର୍ଦ୍ଦେଶକ ଭାବେ ଟେକ୍ସଟାଇଲ୍ ଇଞ୍ଜିନିୟର ଆର୍.କେ. ପଟ୍ଟନାୟକଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା। ୧୯୯୦ ମସିହା ପର୍ଯ୍ୟନ୍ତ ଆର୍.କେ. ପାଠକ ଓଟିଏମ୍ ଦାୟିତ୍ବରେ ରହିବା ପରେ ରାଜ୍ୟ ସରକାର ନିୟମିତ ଭାବେ ଜଣେ ଲେଖାଏଁ ଆଇଏଏସ୍ ସ୍ତରର ଅଧିକାରୀଙ୍କୁ ଏମ୍ଡି ଭାବେ ଅବସ୍ଥାପିତ କରିଥିଲେ। ଆର୍.କେ. ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ଏଠାକାର ବୟନ ପଦ୍ଧତି ଓ ବ୍ୟବସାୟକୁ ଭିତ୍ତିକରି ଓଟିଏମ୍କୁ ଏସୀୟ ପୁରସ୍କାର ମିଳିଥିଲା। ଏଠାରୁ ଇ˚ଲଣ୍ତ, ଆମେରିକା, ଋଷ୍, ଅଷ୍ଟ୍ରେଲିଆ, ନିଉଜିଲାଣ୍ତ, ବା˚ଲାଦେଶ ପରି ଅନେକ ଦେଶକୁ କପଡ଼ା ରପ୍ତାନି କରାଯାଉଥିଲା। ଉତ୍ପାଦନର ପାଖାପାଖି ୬୦ ପ୍ରତିଶତକୁ କମ୍ପାନି ବିଦେଶକୁ ରପ୍ତାନି କରୁଥିଲା। ସେତେବେଳେ ଏଠାରେ ପାଖାପାଖି ୮ହଜାର ଶ୍ରମିକ କାର୍ଯ୍ୟ କରୁଥିଲେ। ଯେଉଁଥିପାଇଁ ଓଟିଏମ୍କୁ ଚୌଦ୍ବାରର ଭାତହାଣ୍ତି ବୋଲି କୁହାଗଲା। କିନ୍ତୁ ଆଇଏଏସ୍ମାନେ ଦାୟିତ୍ବକୁ ଆସିବା ପରଠୁ ଆଧୁନିକୀକରଣ କରାଯିବା ନାମରେ ଶ୍ରମିକଙ୍କ ସ˚ଖ୍ୟା ପାଖାପାଖି ୪ ହଜାରକୁ ଖସିଆସିଥିଲା। ୧୯୮୬ ମସିହା ପର୍ଯ୍ୟନ୍ତ ଓଟିଏମ୍ ଲାଭ ଦେଇ ପାରୁଥିଲା। କିନ୍ତୁ ଏହାପରଠୁ କ୍ଷତି ଆରମ୍ଭ ହୋଇଥିଲା। ଦାୟିତ୍ବରେ ରହୁଥିବା ପରିଚାଳନା ନିର୍ଦ୍ଦେଶକ ଓ ସରକାରୀ ସ୍ତରରେ ବଦଳି ନୀତି ଯୋଗୁଁ ଓଟିଏମ୍ର ଉନ୍ନତି ହୋଇପାରିଲାନି। ଫଳରେ ଆର୍.କେ. ପାଠକଙ୍କ ପରେ ୧୦ ବର୍ଷ ମଧ୍ୟରେ ପାଖାପାଖି ୧୨ଜଣ ପରିଚାଳନା ନିର୍ଦ୍ଦେଶକ ବଦଳି ହୋଇଥିଲେ। କମ୍ପାନି କ୍ଷତିରେ ଚାଲୁଥିବାରୁ ଏହାକୁ ବିଆଇଏଫ୍ଆର୍ (ବୋର୍ଡ ଫର ଇଣ୍ତଷ୍ଟ୍ରିଆଲ୍ ଆଣ୍ତ ଫାଇନାନ୍ସିଆଲ ରିକନ୍ଷ୍ଟ୍ରକସନ୍)କୁ ହସ୍ତାନ୍ତର କରାଯାଇଥିଲା। ତେବେ ଠିକ୍ ଭାବେ ଆଧୁନିକୀକରଣ କରାଯାଇନଥିବାରୁ କମ୍ପାନି କ୍ଷତିରେ ଚାଲୁଥିବା ବିଆଇଏଫ୍ଆର୍ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତେଣୁ ଏହାର କିଛି ଅବ୍ୟବହୃତ ଜମିକୁ ବିକ୍ରି କରି କ୍ଷତି ଭରଣା କରାଯାଇପାରେ ବୋଲି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏହା ସହିତ କ୍ଷତି ଭରଣା ପାଇଁ ଆହୁରି କିଛି କଠିନ ନିଷ୍ପତ୍ତି ନେବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ସରକାର ତାହାକୁ ଗ୍ରହଣ ନକରିବାରୁ ବିଆଇଏଫ୍ଆର୍ ଓଟିଏମ୍ ମାମଲାକୁ ହାଇକୋର୍ଟଙ୍କୁ ହସ୍ତାନ୍ତର କରି ଦେଇଥିଲେ। କମ୍ପାନି ଏତେମାତ୍ରାରେ କ୍ଷତିରେ ଚାଲୁଥିଲା ଯେ, ୧୯୯୬ ମସିହା ପରଠୁ ଶ୍ରମିକମାନଙ୍କ ପିଏଫ୍ ଭାଗକୁ ଦାଖଲ କରାଯାଇନଥିଲା। ଯେଉଁଥିପାଇଁ ପେନସନ୍ ରାଶି କମି ଯାଇଥିଲା। ଶେଷରେ ୨୦୦୧ ମସିହା ଜୁଲାଇ ୩୧ ତାରିଖରେ ଓଟିଏମ୍ ଗେଟ୍ରେ ସବୁଦିନ ପାଇଁ ତାଲା ପଡ଼ିଯାଇଥିଲା। ଓଟିଏମ୍ ବନ୍ଦ ହେବାବେଳକୁ ସେଥିରେ ପାଖାପାଖି ୩୭୦୦ ଶ୍ରମିକ କାର୍ଯ୍ୟ କରୁଥିଲେ। ୨୦୦୫ ଅଗଷ୍ଟ ୩୦ ତାରିଖରେ ଗୁଜୁରାଟର ଆଇ.ବି. ଏଣ୍ଟରପ୍ରାଇଜର୍ସକୁ ଯନ୍ତ୍ରା˚ଶ ବିକ୍ରି କରିବା ପାଇଁ ଅନୁମତି ଦେଇଥିଲେ। ଯେଉଁଥିପାଇଁ ରାତାରାତି ଏହି ସ˚ସ୍ଥାର ଲୋକମାନେ ଓଟିଏମ୍ ଭିତରେ ପ୍ରବେଶ କରିଥିଲେ। କିନ୍ତୁ ଏହାକୁ ଶ୍ରମିକମାନେ ଜାଣିପାରିବାରୁ ସେପ୍ଟେମ୍ବର ୧ ତାରିଖଠୁ ଏହାର ପ୍ରତିବାଦ ଆରମ୍ଭ କରିଥିଲେ। ଏବ˚ ଓଟିଏମ୍ ଆରମ୍ଭ କରାଯିବା ଦାବିରେ ସେବେଠାରୁ ଆଜି ପର୍ଯ୍ୟନ୍ତ ଧାରଣା ଦେଇ ଚାଲିଛନ୍ତି। ଏତେ ବର୍ଷ ଧରି ଚାଲିଥିବା ଧାରଣା ଗିନିସ୍ ବୁକ୍ରେ ମଧ୍ୟ ରେକର୍ଡ ହୋଇସାରିଛି।