କ’ଣ ହେବ ଓଟିଏମ୍‌ର ଭବିଷ୍ୟତ? ନେତା ଦେଖାଉଛନ୍ତି ଟେକ୍ସଟାଇଲ୍ ପାର୍କ ସ୍ବପ୍ନ,

କଟକ : ରାଜ୍ୟ ରାଜନୀତିରେ ଏକଦା ହଟଚମଟ ସୃଷ୍ଟି କରୁଥିଲା ଓଟିଏମ୍‌ ପ୍ରସଙ୍ଗ। ଧୀରେଧୀରେ ସିଏ ବି ସ୍ମୃତିରୁ ଉଭେଇ ଯିବାକୁ ବସିଲାଣି। ଦିନେ ଏସିଆର ସର୍ବବୃହତ୍‌ କପଡ଼ା କାରଖାନା ଭାବେ ସୁନାମ ଅର୍ଜନ କରିଥିବା ଚୌଦ୍ବାରର ଓଟିଏମ୍ ଏବେ ଭଙ୍ଗାରୁଜା ଅବସ୍ଥାରେ ଏକ ଇତିହାସର ଚିହ୍ନ ପାଲଟିଛି। ନିର୍ବାଚନ ଆସିଲେ ଚୌଦ୍ବାର ବାସିନ୍ଦାଙ୍କୁ ଓଟିଏମ୍ ପ୍ରସଙ୍ଗରେ ଅନେକ ପ୍ରତିଶ୍ରୁତି ମିଳେ। କିନ୍ତୁ ତା’ ପରେ ସବୁ କିଛି ପାଣିରେ ମିଳେଇ ଯାଏ। ଗଲା ୨୦ ବର୍ଷ ଧରି ଏଭଳି ସ୍ଥିତି ଲାଗି ରହିଛି ଓଟିଏମକୁ ନେଇ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟେକ୍ସଟାଇଲ୍‌ ପାର୍କ ପ୍ରସ୍ତାବ ସ˚କ୍ରାନ୍ତରେ ଚିଠି ଲେଖିବା ପରେ ଏବେ ଓଟିଏମର ଭବିଷ୍ୟତ କ’ଣ ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣି ଉତ୍ସୁକତା ସୃଷ୍ଟି ହୋଇଛି। ଏତେ ବିରାଟ ଭିତ୍ତିଭୂମିକୁ ବିନିଯୋଗ କରିବାରେ ସରକାର କାହିଁକି ସେତିକି ତତ୍ପର ହେଉ ନାହାନ୍ତି, ତାହା ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରୁଛି। ଓଟିଏମକୁ ନେଇ ଦିନରାତି ଚାଲିଥିବା ଆନ୍ଦୋଳନ ବି ଚମକ ହରାଉଛି। ରାଜ୍ୟ ସରକାର ୨୦୦୭ ମସିହାରେ ଟେକ୍ସଟାଇଲ ପାର୍କ ଆରମ୍ଭ କରାଯିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। କିନ୍ତୁ ତାହାର ବାସ୍ତବ ରୂପ ଆଜି ପର୍ଯ୍ୟନ୍ତ କେହି ଦେଖିବାକୁ ପାଇଲେନି। ବିଭିନ୍ନ ପ୍ରସଙ୍ଗ ବେଳେ ରାଜ୍ୟର ବୟନ ମନ୍ତ୍ରୀମାନେ ଓଟିଏମ୍‌ ପୁନରୁଦ୍ଧାର ଓ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ କେବଳ ପ୍ରତିଶ୍ରୁତି ଦେଇ ଆସିଛନ୍ତି। ରାଜ୍ୟର ଏକାଧିକ ସ୍ଥାନରେ ଟେକ୍ସଟାଇଲ୍‌ ପାର୍କ ପାଇଁ ପ୍ରକ୍ରିୟା ଆରମ୍ଭ ହେଲାଣି। ଅନେକ କମ୍ପାନି ଓଡ଼ିଶାକୁ ଆସି ବ୍ୟବସାୟ କରିବାକୁ ଆଗ୍ରହ ଦେଖାଉଛନ୍ତି।

ରାଜ୍ୟ ସରକାର ଜମି ଅଧିଗ୍ରହଣ ପାଇଁ ଅନେକ ଥର ବିରୋଧର ସାମ୍ନା କରିଛି। କିନ୍ତୁ ଚୌଦ୍ବାରର ଓଟିଏମ୍‌ ଜମି ଭଳି ସୁବ୍ୟବସ୍ଥିତ ଅଞ୍ଚଳ ଅନ୍ୟ କେଉଁଠି ନାହିଁ। ଏପରିକି ଚୌଦ୍ବାରବାସୀ ମଧ୍ୟ ଏଠାରେ ନୂଆ କମ୍ପାନିକୁ ସ୍ବାଗତ କରିବାକୁ ଚାହିଁ ବସିଛନ୍ତି। ଓଟିଏମ୍‌ ବିକ୍ରି ହେଲେ ଏହି ଟଙ୍କାରୁ ଶ୍ରମିକମାନଙ୍କ ବକେୟା ପ୍ରାପ୍ୟ ଦିଆଯିବା ସମ୍ଭବ ହୋଇପାରିବ। ହେଲେ ସରକାରଙ୍କ ଆଗ୍ରହର ଅଭାବ ଯୋଗୁଁ ନା ଓଟିଏମ୍‌ ପୁନରୁଦ୍ଧାର ହୋଇପାରୁଛି, ନା ଏହି ଜମିକୁ ଅନ୍ୟ କୌଣସି କମ୍ପାନିକୁ ବିକ୍ରି କରାଯାଇପାରୁଛି।
ଓଟିଏମ୍‌ ମାମଲା ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି। କିନ୍ତୁ ପାଖାପାଖି ୧୦ ବର୍ଷ ହେଲାଣି ଏହାର ଶୁଣାଣି କରିବା ପାଇଁ ତାରିଖ ଉଠି ପାରୁନାହିଁ। ଯଦି ସରକାର ଚାହିଁବେ ଏହି ମାମଲାର ଖୁବ୍‌ଶୀଘ୍ର ଅନ୍ତ ଘଟିପାରିବ। ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ ଲିକ୍ୟୁଡେଟର ମଧ୍ୟ ନିରୂପାୟ। ପୂର୍ବରୁ ୧୯୯୦ ଦଶକ ଶେଷ ଆଡ଼କୁ ବିଆଇଏଫ୍‌ଆର‌୍‌ (ବୋର୍ଡ ଫର ଇଣ୍ତଷ୍ଟ୍ରିଆଲ୍‌ ଆଣ୍ତ ଫାଇନାନ୍ସିଆଲ ରିକନ୍‌ଷ୍ଟ୍ରକସନ୍‌) ଶ୍ରମିକମାନଙ୍କ ପ୍ରାପ୍ୟ ଯୋଗାଇ ଦେବାକୁ ସରକାରଙ୍କୁ ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦିଆଯାଇଥିଲା। ଯଦି ସେତେବେଳେ ସରକାର ଏହାକୁ ମାନିଥାନ୍ତେ, ତାହେଲେ ଆଜି ଏଭଳି ଦୁର୍ଦ୍ଦଶା ଦେଖିବାକୁ ପଡ଼ିନଥାନ୍ତା। ବର˚ ଏକ ସମୃଦ୍ଧ ଚୌଦ୍ବାର ସହିତ ବୟନ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ନାମ ମଧ୍ୟ ବହୁ ଉପରେ ରହିଥାନ୍ତା। ବିଜୁ ବାବୁ ଯେଉଁ ଉଦ୍ଦେଶ୍ୟ ନେଇ ଏହି ଶିଳ୍ପର ପରିକଳ୍ପନା କରିଥିଲେ, ତାହା ସାକାର ହୋଇ ପାରିଥାନ୍ତା।

ସମ୍ବନ୍ଧିତ ଖବର