ମୂର୍ତ୍ତି କହୁଛି ନେତାଜୀଙ୍କ ଜୀବନ କାହାଣୀ, ୧୨୫ତମ ଜୟନ୍ତୀ ଅବସରରେ ମୃଣ୍ମୟ ଭାସ୍କର୍ଯ୍ୟ ଶିବିର

କଟକ: ନେତାଜୀଙ୍କ ଜୀବନର ପ୍ରମୁଖ ଘଟଣାକୁ ନେଇ କଟକରେ ପ୍ରଥମଥର ପାଇଁ ଆୟୋଜନ ହୋଇଛି ମୃଣ୍ମୟ ଭାସ୍କର୍ଯ୍ୟ ଶିବିର। କଟକର ୧୫ ଜଣ ଶିଳ୍ପୀଙ୍କୁ ନେଇ ଆରମ୍ଭ ହୋଇଛି ଏହି ଭାସ୍କର୍ଯ୍ୟ ଶିବିର। ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟ ପକ୍ଷରୁ ନେତାଜୀ ସଂଗ୍ରହାଳୟ ଠାରେ ଆଜି ମୃଣ୍ମୟ ଭାସ୍କର୍ଯ୍ୟ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଶିବିରକୁ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଏକାଡ଼େମୀର ସଭାପତି ତଥା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁର୍ଦଶନ ପଟ୍ଟନାୟକ, ଏକାଡ଼େମୀର ସାଧାରଣ ସମିତି ସଭ୍ୟା ସ୍ମିତା ମୂଳିଆ ଏବଂ ସଚିବ ପଞ୍ଚାନନ ସାମଲ ଉଦ୍‌ଘାଟନ କରିଛନ୍ତି। କଟକ ସହରର ଶିଳ୍ପୀଙ୍କ କଳାକୁ ଗୁରୁତ୍ବ ଦିଅଯାଇ ପ୍ରତିବର୍ଷ ହୋଇ ଆସୁଥିବା ଚିତ୍ରକଳା ପଦର୍ଶନୀ ପରିବର୍ତ୍ତ‌େ ଚଳିତବର୍ଷ ମୂର୍ତ୍ତିକା ଶିଳ୍ପୀଙ୍କୁ ନେଇ ଏହି ଭାସ୍କର୍ଯ୍ୟ ଶିବିର କରାଯାଇଥିବା ନେଇ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ କହିଛନ୍ତି।

Sambad

କଟକ ସହରର ୧୫ଜଣ ଶିଳ୍ପୀ ନେତାଜୀଙ୍କ ବୀରତ୍ବର କାହାଣୀ, ନେତାଜୀଙ୍କ ଆଦର୍ଶ ତଥା ବିଶେଷ ଘଟଣା ସମ୍ବନ୍ଧୀୟ ମୃଣ୍ମୟ ଭାସ୍କର୍ଯ୍ୟ ଗୁଡ଼ିକୁ ତିଆରି କରିଛନ୍ତି। ଆସନ୍ତା ୨୩ ଜାନୁଆରି ନେତାଜୀ ଜୟନ୍ତୀ ଅବସରରେ ସଂଗ୍ରହାଳୟ ପରିସରରେ ଏହି ଭାସ୍କର୍ଯ୍ୟ କଳା ପ୍ରଦର୍ଶନ କରାଯିବ। ଶିଳ୍ପୀ ମାନଙ୍କ ମଧ୍ୟରେ କେଦାରନାଥ ବେହେରା, କୌଳାସ ଚନ୍ଦ୍ର ରଣା, ଶ୍ରୀକାନ୍ତ ବେହେରା, ରଘୁନାଥ ବେହେରା, ସିତନ ବେହେରା, ମୂରଲୀଧର ସେନାପତି, ପ୍ରମୋଦ କୁମାର ବେହେରା, ସୁବା‌ସ ପରିଡ଼ା, ଅଭିମନ୍ୟୁ ବେହେରା, ଅଜୟ କୁମାର ବେହେରା, ଦେବେନ୍ଦ୍ର ମୁଦୁଲି, ସୁଧାକର ମୁଦୁଲି, ଲକ୍ଷ୍ମୀଧର ମୁଦୁଲି, ବସନ୍ତ ଦାସ, ରାଜେନ୍ଦ୍ର ଦାସ ଏହି ଭାସ୍କର୍ଯ୍ୟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

ସଂଗ୍ରହାଳୟର ସୌନ୍ଦର୍ଯ୍ୟ ବଢ଼ାଇବ ମୂର୍ତ୍ତି
ପ୍ରତିବର୍ଷ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥାଏ। ହେଲେ ଚଳିତବର୍ଷ ମୂର୍ତ୍ତିକା ଶିଳ୍ପୀଙ୍କ ନେଇ ଥ୍ରି ଡ଼ାଇମେନ୍‌ସନାଲ ପିକ୍‌ଚର ପ୍ରଦର୍ଶନୀ କରିବା ପାଇଁ ଆମର ପ୍ରୟାସ ରହିଛି। ‌ପାର୍ବଣ ଋତୁ ସମ୍ପୂର୍ଣ୍ଣ ଭାବେ ସଙ୍କୁଚିତ ହୋଇଥିବା‌ବେ‌ଳେ ମୂର୍ତ୍ତିକା ଶିଳ୍ପୀ ନିଜ ‌କଳା ପ୍ରଦର୍ଶନର ସୁଯୋଗ ହରାଉଛନ୍ତି। ଏହାକୁ ନଜରରେ ରଖି ଏହି ମୃଣ୍ମୟ ଭାସ୍କର୍ଯ୍ୟ ଶିବିର ଆୟୋଜନ କରାଯାଇଛି। ଏହି ମୃଣ୍ମୟ ଭାସ୍କର୍ଯ୍ୟକୁ ୨୩ ତାରିଖ ଦିନ ପ୍ରଦର୍ଶନୀ କରାଯିବ। ବିଭାଗ ପକ୍ଷରୁ ଏକ ସ୍ଥାୟୀ ଆର୍ଟ ଗ୍ୟାଲେରି କରିବା ପାଇଁ ଅର୍ଥ ମଞ୍ଜୁର କରାଯାଇଛି। ଯାହାର କାମ ଖୁବଶୀଘ୍ର ଆରମ୍ଭ ହେବ। ଏହି ଆର୍ଟ ଗ୍ୟାଲେରିରେ ମୂର୍ତ୍ତିକା ଶିଳ୍ପୀଙ୍କ ଦ୍ବାରା ନିର୍ମିତ ଏହି ମୂର୍ତ୍ତି ଗୁଡ଼ିକ ସ୍ଥାନ ପାଇବ। ଏହାସହ ସଂଗ୍ରହାଳୟ ସମ୍ମୁଖରେ ଥିବା ପୋଖରୀର ସୌନ୍ଦର୍ଯ୍ୟକରଣ କାମ ପାଇଁ ସିଏମସି କମିସନର ଓ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି। ସୌନ୍ଦର୍ଯ୍ୟକରଣ ବୋଟିଂ ସୁବିଧା କରାଯିବ। ଯାହାଦ୍ବାରା କଟକକୁ ଆସୁଥିବା ପର୍ଯ୍ୟଟକ ମାନେ ଏହାର ଭରପୁର ମଜା ନେଇପାରିବେ।
ରଞ୍ଜନ କୁମାର ଦାସ
ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ

Sambad

ମୂର୍ତ୍ତିକା ଶିଳ୍ପୀଙ୍କ ମହତ୍ବ ବଢ଼ାଇବ
କଟକର ମୂର୍ତ୍ତିକା କାମର ସାରା ବିଶ୍ବରେ ପ୍ରସିଦ୍ଧି ରହିଛି। ଏହି ମୂର୍ତ୍ତିକା କାମ ପ୍ରଦର୍ଶିତ କରିବା ପାଇଁ ଓଡ଼ିଆ ଭା‌ଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡ଼ିଶା ଲଳିତକଳା ଏକାଡ଼େମୀର ଏଭଳି ପ୍ରୟାସ ନିଆରା। ଏହା ଶିଳ୍ପୀଙ୍କ କଳାକୁ ଓ ମହତ୍ବକୁ ଦ୍ବିଗୁଣିତ କରିବ। ନେତାଜୀଙ୍କ ଜୀବନ କାହାଣୀ ଉପରେ ନିର୍ମିତ ମୃଣ୍ମୟ ମୂର୍ତ୍ତି ସଂଗ୍ରହାଳୟର ସୌନ୍ଦର୍ଯ୍ୟକୁ ବଢ଼ାଇବ।
ସୁର୍ଦଶନ ପଟ୍ଟନାୟକ
ବାଲୁକା ଶିଳ୍ପୀ, ଏକାଡ଼େମିର ସଭାପତି

ଧନ୍ୟ ମନେ କରୁଛି
ନେତାଜୀଙ୍କ ଏଭଳି ଜୀବନୀ ଉପରେ ମୂର୍ତ୍ତି ନିର୍ମାଣ କରିବା ସୁଯୋଗ ପାଇ ମୁଁ ଗର୍ବିତ। ଆମେ ବିଶ୍ବ ଦରବାରରେ ପରିଚିତ। ହେଲେ ଆମକୁ ଏଭଳି ଭାବେ ନିଜ ସ୍ଥାନରେ ସୁଯୋଗ ଦିଆଯାଇଥିବାରୁ ସେଥିପାଇଁ ବିଭାଗକୁ ଅଶେଷ ଧନ୍ୟବାଦ ଜଣାଉଛି।
କେଦାରନାଥ ବେହେରା
ଶିଳ୍ପୀ, କୁମ୍ଭାର ସାହି, ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘ ସଭାପତି

ସ୍ବାଧୀନତାର ସ୍ବପ୍ନକୁ ମୂର୍ତ୍ତିରେ ପ୍ରତିଫଳନ କରିଛି
୪୮ ବର୍ଷ ହେବ ଏହି କାମ କରି ଆସୁଛି। ଆଜି ନେତାଜୀଙ୍କ ଜୀବନ କାହାଣୀ ମଧ୍ୟରୁ ଦେଶକୁ ସ୍ବାଧୀନ କରାଇବା ସ୍ବପ୍ନକୁ ନେଇ ମୁଁ ମୂର୍ତ୍ତି ଆଙ୍କିଛି। ବର୍ତ୍ତମାନ ପରିସ୍ଥିତିରେ ମୂର୍ତ୍ତି କାମ କମି ଆସୁଛି। ହେଲେ ଲଳିତକଳା ଏକାଡ଼େମୀ ଆମକୁ ଏହି କାମ କରିବାକୁ ସୁଯୋଗ ଦେଇଥିବାରୁ ମୁଁ ଧନ୍ୟ ମନେ କରୁଛି। ଯୁବପିଢ଼ି ମାନେ ଏହି କଳାକୁ ବଂଚାଇ ରଖିବା ଉଚିତ୍।
କୌଳାସ ଚନ୍ଦ ରଣା, ଶିଳ୍ପୀ, କାଠଗଡ଼ା ସାହି

Sambad

ଘୋଡ଼ାରେ ଯାତ୍ରା କରିବା ସମୟ ମୂର୍ତ୍ତି
୪୫ ବର୍ଷ ହେବ ଏହି ମାଟି କାମ କରୁ ଆସୁଛି। ଆଜି ନେତାଜୀଙ୍କ ଘୋଡ଼ାରେ ବସି ଯିବା ସମୟର ମୂର୍ତ୍ତି ତିଆରି କରିଛି। ଏଭଳି ନିଆରା ଢ଼ଙ୍ଗରେ ଏହି କଳାକୁ ଆଗେଇ ନେବାକୁ ପ୍ରୟାସ ଖୁବ ପ୍ରଂଶସନୀୟ। ନେତାଜୀଙ୍କ ଜୀବନ କାହାଣୀ ତାଙ୍କ ବୀରତ୍ବର କାହାଣୀ ମୂର୍ତ୍ତିରେ ଗଢ଼ି ତୋଳିଥିବାରୁ ମୁଁ ଗର୍ବିତ।
ରାଜେନ୍ଦ୍ର ମୁଦୁଲି, ଶିଳ୍ପୀ, କୁମ୍ଭାର ସାହି

ଗାନ୍ଧିଜୀ ଓ ନେତାଜୀଙ୍କ ଆଲୋଚନା ସମୟର ମୂର୍ତ୍ତି
ନେତାଜୀ ଓ ଗାନ୍ଧିଜୀଙ୍କ ଆଲୋଚନା ସମୟର ମୂର୍ତ୍ତି ନିର୍ମାଣ କରିଛି। ଏହି ମୂର୍ତ୍ତି କାମ ୧୯୭୩ ମସିହାରୁ କରିବା ଆରମ୍ଭ କରିଛି। ମୂର୍ତ୍ତିକା ଶିଳ୍ପୀଙ୍କୁ ଏଭଳି ପ୍ରୋତ୍ସାହନ ଦେଇଥିବାରୁ ଓ ଏଭଳି ମୂର୍ତ୍ତି ଆଙ୍କି ନିଜକୁ ଗର୍ବିତ ଅନୁଭବ କରୁଛି। ଆଗକୁ ମଧ୍ୟ ସୁଯୋଗ ମିଳିଲେ ମୂର୍ତ୍ତି ଆଙ୍କିବି।
ଅଭିମନ୍ୟୁ ବେହେରା, ଶିଳ୍ପୀ, ହରିପୁର

ନେତାଜୀଙ୍କ ଛିଡ଼ା ହେବାର ମୂର୍ତ୍ତି ଆଙ୍କିଛି
୩୦ ବର୍ଷ କାମ ମଧ୍ୟରେ ଆଜିର ଦିନ ସମ୍ପୂର୍ଣ୍ଣ ମହତ୍ବପୂର୍ଣ୍ଣ। ବିଭାଗକୁ କୃତଜ୍ଞତା ଜଣାଉଛି। ଆଜି ନେତାଜୀ ଛିଡ଼ା ହୋଇଥିବା ମୂର୍ତ୍ତି ଆଙ୍କିଛି। ନେତାଜୀଙ୍କ ଜୀବନ କାହାଣୀକୁ ନେଇ ଏଭଳି ମୂର୍ତ୍ତି କାମ କରିବା ପାଇଁ ‌ସୁଯୋଗ ମିଳିବା ମୋର ସୌଭାଗ୍ୟ।
ସୁବାସ ପରିଡ଼ା, ଶିଳ୍ପୀ, ବିଡ଼ାନାସୀ

ସମ୍ବନ୍ଧିତ ଖବର