କଟକ: ମାର୍ଚ୍ଚ ୨୦ ତାରିଖ ପଖାଳ ଦିବସ। ଏହି ପଖାଳ ଦିବସକୁ ପାଳିବା ପାଇଁ ଏବେ ସହରବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା। ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ। ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ଘରେ ଘରେ ଆରମ୍ଭ ହୋଇଯାଏ ପଖାଳ ପ୍ରସ୍ତୁତି। କେବଳ ଘରେ ନୁହେଁ ଏହାକୁ ଅଧିକ ଆକର୍ଷଣୀୟ କରିବା ଲାଗି ସହରରେ ଥିବା ବଡ଼ ବଡ଼ ହୋଟେଲ ମାନଙ୍କରେ ବି ଏବେ ପଖାଳର ସ୍ବତନ୍ତ୍ର ଆୟୋଜନ ହେବ। ଏଥର ଏହି ଆୟୋଜନରେ କେତେକ ସାମାଜିକ ସଂଗଠନ ବି ସାମିଲ ହୋଇ ମନ୍ଦିରରେ ପଖାଳ ଦିବସ ପାଇଁ ପ୍ରସ୍ତୁତି କରିଛନ୍ତି।
ଗ୍ରାଣ୍ଡ୍ରେ ଭେଜ୍ ଓ ନନ୍ଭେଜ୍ ଫ୍ଲେଭର୍ ପଖାଳ
ବାଦାମବାଡ଼ିର ହୋଟେଲ ଗ୍ରାଣ୍ତ ରେସିଡ଼େନ୍ସି ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପଖାଳ ସହ ରହିଛି ଉଭୟ ଭେଜ ଓ ନନ୍ ଭେଜ ଖାଦ୍ୟ। ପଖାଳ ମଧ୍ୟରେ ରହିଛି ଦୁଇ ପ୍ରକାରର ପଖାଳ। ଭେଜ ପଖାଳ ଓ ନନ୍ ଭେଜ ଫ୍ଲେଭର ପଖାଳ। ଭେଜ ପଖାଳରେ ଦହି, ଆମ୍ବ କସିଆ ଅଦା, ଭୁର୍ସଙ୍ଗ ପତ୍ର ଦିଆଯାଇ ଛୁଙ୍କ ମରାଯାଇ ଖାଇବାକୁ ଦିଆଯାଏ। ସେହିପରି ଫ୍ଲେଭର ପଖାଳରେ ଲେମ୍ବୁ ରସ, ଲଙ୍କା ରସୁଣ ଛୁଙ୍କକୁ ପଖାଳରେ ମିଶାଇ ତାହା ୧ ଘଣ୍ଟା ରଖାଯାଇଥାଏ। ଚିଙ୍ଗୁଡ଼ିକୁ ଦ୍ବିତୀୟ ଥର ସିଝା ଯିବା ସମୟରେ ସେହି ସିଝା ପାଣିକୁ ରଖି ସେଥିରେ ଟବାସ୍କୋ ସସ୍, ଲୁଣ ଅଦା, ଲଙ୍କା ଛୁଙ୍କ କରାଯାଇ ପଖାଳରେ ମିଶାଯାଇ ଖାଇବାକୁ ଦିଆଯାଏ। ଭେଜରେ ପଖାଳ ସହ ରହିଛି- ସଜନା ଛୁଇଁ ଚଡ଼୍ଚଡ଼ି, ବଡି ଚୁରା, କଲରା ଆଳୁ ଚିପ୍ସ, କଖାରୁ ଫୁଲ ଭଜା, ଆଳୁ ଭର୍ତ୍ତା, ତନ୍ଦୁର ଟମାଟୋ ପୋଡ଼ା ଚଟଣୀ, ବାଇଗଣ ଫ୍ରାଏ, ବେସର ତରକାରୀ, ଆଳୁ ଝୁରି ଭଜା, ଆଚାର, ପାମ୍ପଡ଼ ଇତ୍ୟାଦି। ଭେଜ୍ ପଖାଳର ଦର ୨୯୯ ଟଙ୍କା ରହିଥିବାବେଳେ ଏହି ସମସ୍ତ ଭେଜ ଖାଦ୍ୟ ମଧ୍ୟରୁ ୭ଟି ପ୍ରକାରର ଖାଇବାକୁ ଗ୍ରାହକ ଅର୍ଡ଼ର କରିପାରିବେ। ସେହିପରି ନନ୍ ଭେଜ ଦର ୩୯୯ ଟଙ୍କା ରହିଥିବାବେଳେ ସେଥି ମଧ୍ୟରେ ରହିଛି ପୋହଳା ମାଛ, ଚିଙ୍ଗୁଡ଼ି ଛେଚା, ରୋହି ମାଛ ବେସର ତାୱା ଫ୍ରାଏ, ମହୁରାଳୀ ଭଜା। ଏଥିମଧ୍ୟରୁ ଗ୍ରାହକ କୌଣସି ଦୁଇଟି ନନ୍ ଭେଜ ଖାଦ୍ୟ ଅର୍ଡ଼ର କରି ଖାଇ ପାରିବେ ବୋଲି କହିଛନ୍ତି ଗ୍ରାଣ୍ତ ରେସିଡେନ୍ସିର ଜେନେରାଲ ମ୍ୟାନେଜର ରିତେଶ ନାୟକ।
ମହାବୀର ଗ୍ୟାଲେକ୍ସିରେ ଛୁଙ୍କ ପଖାଳ
ବଜ୍ରକବାଟୀ ରୋଡ ହୋଟେଲ ମହାବୀର ଗ୍ୟାଲେକ୍ସିରେ ସ୍ବତନ୍ତ୍ର ଭାବେ ଛୁଙ୍କ ପଖାଳ ଆୟୋଜନ କରାଯାଇଛି। ଏଥିରେ ଦହି, ଆମ୍ବ କସିଆ ଅଦା, ଭୁର୍ସଙ୍ଗ ପତ୍ର ଛୁଙ୍କ ଦିଆଯାଇ ଗ୍ରାହକଙ୍କୁ ପରସା ଯିବ। ଏହାସହ ଭେଜ ଖାଦ୍ୟରେ ରହିଛି ଶାଗ ଭଜା, ବଡି ଚୁରା, ଧନିଆ ଚଟଣୀ, ସଜନା ଛୁଇଁ ବେସର, ବାଇଗଣ ଭର୍ତ୍ତା, ଟମୋଟୋ ଚଟଣୀ, ଆଳୁ ଭର୍ତ୍ତା, ଆମ୍ବ ଚଟଣୀ, କଲରା ଚିପ୍ସ, ପାମ୍ପଡ଼, କଖାରୁ ଫୁଲ ଭଜା। ଭେଜ ପଖାଳର ଦର ୧୯୯ ଟଙ୍କା ରହିଛି। ସେହିପରି ନନ୍ ଭେଜ ଖାଦ୍ୟରେ ରହିଛି ଚିଙ୍ଗୁଡ଼ି ଛେଚା ଓ ମାଛ ଭଜା। ନନ୍ ଭେଜ ପଖାଳର ଦର ୨୪୯ ଟଙ୍କା ରହିଥିବା କହିଛନ୍ତି ମହାବୀର ଗ୍ୟାଲେକ୍ସି ମ୍ୟାନେଜର ଦୀପକ ବାଗ୍।

ବିଏନ୍ସନ୍ ବ୍ଲୁରେ ଶୁଖା ବ୍ୟଞ୍ଜନ ସ୍ପେଶାଲ୍
କାଳିଆବୁଦା ନିକଟରେ ଥିବା ହୋଟେଲ ବିଏନ୍ ସନ୍ ବ୍ଲୁରେ ଛୁଙ୍କ ଦହି ପଖାଳ ସହ ଭେଜରେ ରହିଛି- ସଜନା ଛୁଇଁ ଆଳୁ ଭଜା, ବଡ଼ି ଚୁରା, କଲରା ଚିପ୍ସ, ପୋଟଳ ଭଜା, ଆଳୁ ଝୁରା, ଆଳୁ ଭର୍ତ୍ତା, ବାଇଗଣ ଫ୍ରାଏ, ଟମୋଟୋ ଚଟଣୀ, ଶାଗ ଭଜା ଇତ୍ୟାଦି। ଏହାସହ ନନ୍ ଭେଜରେ ଭଳି କି ଭଳି ମାଛ ଫ୍ରାଏ, ଚିଙ୍ଗୁଡ଼ି ଛେଚା ରହିଥିବା କହିଛନ୍ତି ହୋଟେଲ ବିଏନ୍ ସନ୍ ବ୍ଲୁ ମାଲିକ ଅଭୟ କୁମାର ପରିଡ଼ା।
ଶୀତଲ୍ରେ ପତ୍ରପୋଡ଼ା ଉଇଥ୍ ଲେମନ୍ ଗ୍ରାସ୍
ବାଦାମବାଡିର ହୋଟେଲ ଶୀତଲରେ ପଖାଳ ଦିବସ ପାଇଁ ବି ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ପଖାଳ ସହ ଭେଜ୍ରେ ରହିଛି ଦହି ଛୁଙ୍କ, ସଜନା ଆଳୁ ବେସର ଭଜା, କଖାରୁ ଫୁଲ ଭଜା, ଶାଗ ଭଜା, ବଡ଼ି ଚୁରା, କଲରା ପୋଟଳ ଚିପ୍ସ, ଆଳୁ ଚୋଖା, ଟମାଟୋ ଚଟଣୀ, କାକୁଡ଼ି ସାଲାଡ଼, ପାମ୍ପଡ଼, ନଡ଼ିଆ ଧନିଆ ଚଟଣୀ, ଭେଣ୍ତି କୁରକୁରେ। ସେହିପରି ନନ୍ ଭେଜରେ ରହିଛି ଚିଙ୍ଗୁଡ଼ି ଛେଚା, ରୋହି ମାଛ ପତ୍ର ପୋଡ଼ା, ମହୁରାଳୀ ରସୁଣ ଚଡ଼୍ଚଡ଼ି, ପତ୍ର ପୋଡ଼ା ଉଇଥ୍ ଲେମନ ଗ୍ରାସ। ଭେଜ ପଖାଳର ଦର ୨୯୯ ଟଙ୍କା ରହିଥିବାବେଳେ ନନ୍ ଭେଜ ପଖାଳର ଦର ୩୯୯ ଟଙ୍କା ରହିଛି। ଗ୍ରାହକଙ୍କ ପସନ୍ଦ ମୁତାବକ ବ୍ୟଞ୍ଜନ ରହିଥିବା ନେଇ କହିଛନ୍ତି ହୋଟେଲ ଶୀତଲର ମ୍ୟାନେଜର ଉମାକାନ୍ତ ପରିଡ଼ା।
ମିଳାମିଶାରେ ୬ ପ୍ରକାର ଆଇଟମ୍
ହୋଟେଲ ମିଳାମିଶା ପକ୍ଷରୁ ସ୍ବତନ୍ତ୍ର ଦହି ପଖାଳ ପ୍ରସ୍ତୁତ କରାଯିବ। ତା’ ସହ ଭେଜ ଖାଦ୍ୟରେ ରହିଛି ଶାଗ ଭଜା, ବଡି ଚୁରା, ଟମୋଟୋ ଚଟଣୀ, ଆଳୁ ଭର୍ତ୍ତା, ବାଇଗଣ ଭର୍ତ୍ତା, ସଜନା ଛୁଇଁ ବେସର, କଲରା ଚିପ୍ସ, ଧନିଆ ଚଟଣୀ, ପାମ୍ପଡ଼, କଖାରୁ ଫୁଲ ଭଜା, ସାଲାଡ଼। ଭେଜର ସସମ୍ତ ଖାଦ୍ୟ ମଧ୍ୟରୁ ପଖାଳ ସହ ୬ଟି ଆଇଟମ ଗ୍ରାହକ ଖାଇ ପାରିବେ। ନନ୍ ଭେଜ ଖାଦ୍ୟରେ ରହିଛି ଚିଙ୍ଗୁଡ଼ି ଛେଚା ଓ ମାଛ ଭଜା। ଭେଜ ପଖାଳର ଦର ୯୦ ଟଙ୍କା ରହିଥିବା ବେଳେ ନନ୍ ଭେଜ ପଖାଳର ଦର ୧ଶହ ଟଙ୍କା ରହିବ ବୋଲି କହିଛନ୍ତି ହୋଟେଲ ମିଳାମିଶାର ମାଲିକ ପ୍ରମୋଦ କୁମାର ସ୍ବାଇଁ।