କଟକ: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଗାଁ ରାଜନୀତିରେ ଭରିଲାଣି ଉଷ୍ମତା। ନେତା ଏବେଠାରୁ ରଣନୀତି ପ୍ରସ୍ତୁତ କଲେଣି। ଦଳ ଡିଆଁ ରାଜନୀତି ବି ଆରମ୍ଭ ହୋଇଗଲାଣି। କଟକ ଜିଲ୍ଲାର ୯ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ବାରବାଟୀ-କଟକକୁ ବାଦ୍ଦେଲେ ବାକି ୮ଟି ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ପାଇଁ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଆରମ୍ଭ ହୋଇଗଲାଣି। ତେବେ ମାହାଙ୍ଗା ରାଜନୀତିରେ ସବୁ ଦଳରେ ମିଶ୍ରଣ ପର୍ବ ଓ ଦଳ ଡିଆଁ ରାଜନୀତି ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।
ବିଜେଡି, ବିଜେପି ଓ କଂଗ୍ରେସ ଭିତରେ ମିଶ୍ରଣ ପର୍ବବୁ ନେଇ ସୋସିଆଲ ମିଡିଆରେ ପ୍ରତିଦିନ ଭାଇରାଲ ହେଉଛି ଅନେକ ଭିଡିଓ। ପରସ୍ପର ବିରୋଧରେ ଆକ୍ଷେପ, ଗୋଟିଏ ଦଳ ଅନ୍ୟ ଦଳର ମିଶ୍ରଣ ପର୍ବକୁ ନେଇ ପ୍ରଶ୍ନ ଉଠାଇବା ଭଳି ଘଟଣା ରୋଚକ ସ୍ଥିତି ସୃଷ୍ଟି କରୁଛି। ଅନ୍ୟପଟେ ସବୁ ଦଳରେ ଏକାଧିକ ଆଶାୟୀ ନେତାଙ୍କ ମୁଣ୍ଡବିନ୍ଧାର କାରଣ ସାଜିଲେଣି। ତେବେ ସବୁଠାରୁ ଚର୍ଚ୍ଚିତ ଘଟଣା ହେବାକୁ ଯାଉଛି କଟକ ଜିଲ୍ଲାର ତିଗିରିଆ ବ୍ଲକ୍ର ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ଏହି ବ୍ଲକର ଅଧ୍ୟକ୍ଷ ଆସନ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ବ୍ଲକ୍ର ୧୪ଟି ସମିତିସଭ୍ୟ ଆସନରୁ ଗୋଟିଏ ଆସନ ଅର୍ଥାତ୍ ବାଲିପୁଟ ସମିତିସଭ୍ୟ ଆସନ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ଥିବାରୁ ସେହି ଆସନରୁ ବିଜୟୀ ପ୍ରାର୍ଥୀ ପଂଚାୟତ ସମିତି ଅଧ୍ୟକ୍ଷ ହେବା ସ୍ପଷ୍ଟ ହେଉଛି।
ଅବଶ୍ୟ ଅସଂରକ୍ଷିତ ଆସନରୁ ଯଦି କେହି ପଛୁଆ ବର୍ଗର ପ୍ରାର୍ଥୀ ବିଜୟୀ ହୁଅନ୍ତି, ତେବେ ସେ ବି ଅଧ୍ୟକ୍ଷ ପଦ ଦୌଡରେ ରହି ପାରିବେ। କିନ୍ତୁ ଏଭଳି ସ୍ଥିତିକୁ ନେଇ ସେଠାରେ ଏବେ ଆପତ୍ତି ଉଠିଛି। ଜିଲ୍ଲାର ଅନ୍ୟ ସବୁ ପଂଚାୟତ ସମିତି ଅଧ୍ୟକ୍ଷ ପାଇଁ ଯେଉଁ ସବୁ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି ସେଥିରେ ବାରଙ୍ଗ ବ୍ଲକ୍ ଅଧ୍ୟକ୍ଷ ଏସ୍ସି(ମହିଳା), ସଦର ପଛୁଆବର୍ଗ(ମହିଳା) ଓ କଣ୍ଟାପଡା ଏସ୍ସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ଫଳରେ ଏହି ତିନୋଟି ବ୍ଲକ୍ରେ ଖୁବ ବେଶୀରେ ୨ଟି ପଂଚାୟତର ସମିତି ସଭ୍ୟ ପଂଚାୟତ ସମିତି ଅଧ୍ୟକ୍ଷ ଦୌଡରେ ରହିବେ।
ସେହିପରି ଟାଙ୍ଗୀ-ଚୌଦ୍ବାର ଆସନ ଅସଂରକ୍ଷିତ (ମହିଳା) ଓ ନିଶ୍ଚିନ୍ତକୋଇଲି ଅଧ୍ୟକ୍ଷ ଆସନ ଏସ୍ସି(ମହିଳା) ସଂରକ୍ଷିତ ରହିଥିବାବେଳେ ସେଠାରେ ୫ଟି ଆସନରେ ବିଜୟୀ ପ୍ରାର୍ଥୀ ଏହି ଦୌଡରେ ରହିବେ। ହେଲେ ମାହାଙ୍ଗା, ସାଲେପୁର, ନରସିଂହପୁର, ନିଆଳି, ବାଙ୍କୀ-ଡମପଡାର ପଂଚାୟତ ସମିତି ଅଧ୍ୟକ୍ଷ ଆସନ ଅସଂରକ୍ଷିତ ରହିଥିବାରୁ ସେଠାରେ ଅଶାୟୀଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି। କିନ୍ତୁ ବର୍ତ୍ତମାନର ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଶାସକ ଦଳ ଭିତରେ ଅସନ୍ତୋଷ କୁହୁଳୁଥିବା ସୂଚନା ମିଳିଛି। ବିଭିନ୍ନ ଅଞ୍ଚଳର ନେତା କଟକ ଜିଲ୍ଲା ବିଜେଡି ସଭାପତିଙ୍କୁ ଭେଟି ଏ ସଂପର୍କରେ ଅଭିଯୋଗ କରିବା ପାଇଁ ଆଗଭର ହେଲେଣି। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/election-fff.jpg)