ମତାନ୍ତର ଭୁଲି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ପରାମର୍ଶ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

କଟକ: ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧୀନ ୨୬ ଓ ୨୭ ନମ୍ବର ଜିଲ୍ଲାପରିଷଦ ଜୋନରେ ବିଜେଡି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ରଣକୌଶଳ ସମ୍ପର୍କରେ ସୂଚନା ଦେଇଥିବା ଜଣାପଡ଼ିଛି। ଗତକାଲି ଅପରାହ୍ଣରେ କଟରପଡ଼ା ପଞ୍ଚାୟତ ନିକଟ ସ୍ବପ୍ନେଶ୍ବର ପଡ଼ିଆରେ ୨୬ ନମ୍ବର ଜୋନ୍ ଅଧୀନ ଅସୁରେଶ୍ବର, କଟରପଡ଼ା, କଟିକଟା, ସୁକରପଡ଼ା, କେଣ୍ଟାଳ, ବାଲିଆପଦା, ବୁହାଳ, ସରପଡ଼ା ଆଦି ୮ଟି ପଞ୍ଚାୟତର ଛାମୁଆ କର୍ମୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା।

ସେହିପରି ୨୭ ନମ୍ବର ଜିଲ୍ଲାପରିଷଦ ଜୋନ୍ର ବୈଠକ ଦାଉଦପୁର ପଞ୍ଚାୟତର ସାଇମନ୍ଦିର ନିକଟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓରତି, କେରିଲୋ, ଜମରା, ତରତଶାସନ, ଝାଡ଼େଶ୍ବରପୁର, ଦାଉଦପୁର, ନଗସପୁର, ନରେନ୍ଦ୍ରପୁର ଓ ବନ୍ଧକାଟିଆ ଆଦି ୯ଟି ପଞ୍ଚାୟତର ଛାମୁଆ କର୍ମୀ ଯୋଗଦେଇଥିଲେ। ଉଭୟ ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ଦଳର ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ କିପରି ବିଜୟ କରାଯିବ ସେ ସମ୍ପର୍କରେ ସୂଚନା ଦେଇଥିଲେ।
ପ୍ରକାଶଥାଉ କି, ପ୍ରତି ପଞ୍ଚାୟତରୁ ପ୍ରାୟ ୫୦ଜଣ ଲେଖାଏଁ ଛାମୁଆ କର୍ମୀଙ୍କୁ ବୈଠକକୁ ଡକାଯାଇଥିଲା। କେତେକ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ଏକାଧିକ ପ୍ରାର୍ଥୀ ମଇଦାନରେ ଥିବାରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭୋଟହାରକୁ ନେଇ ସଂକଟ ଦେଖାଯାଇଥିବା କେତେକ କର୍ମୀ ମତ ରଖିଥିଲେ। ମନ୍ତ୍ରୀ ଶ୍ରୀ ଜେନା ମନାନ୍ତର ଓ ମତାନ୍ତର ଭୁଲି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ପରାମର୍ଶ ଦେଇଥିଲେ।

 

ସମ୍ବନ୍ଧିତ ଖବର