ବାପ-ମା, ପତ୍ନୀ ଓ ଦୁଇ ଶିଶୁଙ୍କ ଆତ୍ମହତ୍ୟା ଉଦ୍ୟମ

ମଦ୍ୟପ ଯୁବକର ଅତ୍ୟାଚାରରେ ପରିବାର ଅତିଷ୍ଠ

ଚୌଦ୍ୱାର-ଗୁରୁଡିଝାଟିଆ : ଚୌଦ୍ୱାର ପୌରାଞ୍ଜଳ ୩ ନମ୍ବର ଓ୍ଵାର୍ଡ ଅନ୍ତର୍ଗତ ମଙ୍ଗଳା ସାହିରେ ଘଟିଛି ଅଭାବନୀୟ ଘଟଣା। ଜଣେ ମଦ୍ୟପ ବ୍ୟକ୍ତିର ଅତ୍ୟାଚାରରେ ଅତିଷ୍ଠ ହୋଇ ତା’ର ପରିବାର ଲୋକ ଏକାଠି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ସେମାନଙ୍କୁ ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ ଆଜି ବଂଶୀଧର ଦେହୁରୀ (୭୬), ପତ୍ନୀ ମୀନତି ଦେହୁରୀ (୭୦), ବୋହୂ ଜୟନ୍ତୀ ଦେହୁରୀ ଏବଂ ୨ ଶିଶୁ ବିଲତେରୁଅାଁ ନିକଟସ୍ଥ ମା’ କଟକଚଣ୍ଡୀ ଗ୍ୟାସ୍‌ ଡିପୋ ପଛରେ ଥିବା ରେଳଧାରଣାରେ ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ‘ଉଦ୍ଧାର ଫାଉଣ୍ଡେସନ’ର ଅଧ୍ୟକ୍ଷ ନରୋତ୍ତମ ଦାସ, ସଭାପତି ପ୍ରମିଳା ଓଝା ଓ ତାଙ୍କ ସହଯୋଗୀମାନେ ସେମାନଙ୍କୁ ଉଦ୍ଧାର କରି ଚୌଦ୍ୱାର ଥାନାରେ ପହଞ୍ଚାଇଛନ୍ତି।

ଜୟନ୍ତୀଙ୍କ କହିବାନୁଯାୟୀ, ତାଙ୍କ ସ୍ୱାମୀ ପ୍ରଦୀପ ଦେହୁରୀ ସବୁ ବେଳେ ମଦ ପିଇ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଏହାର ପ୍ରତିବାଦ କଲେ ସେ ତାଙ୍କ ବାପା-ବୋଉଙ୍କୁ ମଧ୍ୟ ମାଡ ମାରିଥାନ୍ତି। ଏ ସଂପର୍କରେ ଚୌଦ୍ୱାର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଥିପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା । ପଡୋଶୀମାନେ ଏଥିରେ ହସ୍ତକ୍ଷେପ କଲେ ପ୍ରଦୀପ ସେମାନଙ୍କୁ ମଧ୍ୟ ଗାଳିଗୁଲଜ କରିଥାଏ। ଗତକାଲି ମଙ୍ଗଳବାର ରାତିରେ ପ୍ରଦୀପ ମଦ ନିଶାରେ ଘରକୁ ଆସି ପତ୍ନୀ ଜୟନ୍ତୀଙ୍କୁ ମାଡ ମାରିଥିଲା । ବାପ-ମା’ ପ୍ରତିବାଦ କରିବାରୁ ପ୍ରଦୀପ ସେମାନଙ୍କୁ ମଧ୍ୟ ମାଡମାରି ଶୀତ ରାତିରେ ଘରୁ ବାହାରକରି କବାଟ ଦେଇଦେଇଥିଲା। ରାତିରେ ପରିବାରର ସବୁ ସଦସ୍ୟ ଓ ଛୋଟ ଛୁଆ ଶୀତ କାକରରେ ଘର ସମ୍ମୁଖରେ ଉପାସରେ ବସି ରହିଥିଲେ ।

ଆଜି ସକାଳେ ପୁଅର ମାଡ ଭୟରେ ବାପ-ମାଙ୍କ ସହିତ ସ୍ତ୍ରୀ ଓ ଦୁଇ ଶିଶୁ ଚାଲି ଚାଲି ଆସି ବିଲତେରୁଅାଁ ରେଳଧାରଣା ନିକଟକୁ ପଳାଇଥିଲେ। ସେଠାରେ ଟ୍ରେନ ଯାଉଥିବାର ଦେଖି ଧାରଣାରେ ମୁଣ୍ଡରଖି ଆତ୍ମହତ୍ୟା କରିବାକୁ ଯାଉଥିଲେ। କିନ୍ତୁ ମୁଣ୍ଡମାଳ ଛକ ଠାରୁ ସମ୍ପୃକ୍ତ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ସେମାନଙ୍କ ଗତିବିଧିକୁ ସନ୍ଦେହ କରି ସେମାନଙ୍କର ପିଛା କରିଥିଲେ। ସେମାନଙ୍କୁ ରେଳ ଧାରଣାରୁ ଉଦ୍ଧାର କରି ଚୌଦ୍ୱାର ଥାନା ପୁଲିସ୍‌ ଜିମା ଦେଇଥିଲେ। ପୁଲିସ ଅଭିଯୁକ୍ତ ପ୍ରଦୀପକୁ ଧରିଆଣି ଏବେ ଜେରା କରୁଛି।

ସମ୍ବନ୍ଧିତ ଖବର