ପୁଲିସ୍‌ ଚୁପ୍‌ କାହିଁକି? ଅଟୋ-ଉଠାଦୋକାନୀଙ୍କ କବ୍‌ଜାରେ କଲେଜ ଛକ

କଟକ: କଲେଜ ଛକରେ ଅଟୋ ପାର୍କିଂ ପାଇଁ ଗୋଟିଏ ବି ସ୍ଥାନ କମିସନରେଟ୍ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇନାହିଁ। ପୋଷ୍ଟ୍‌ ଅଫିସ ନିକଟରେ ଏକକାଳୀନ ୧୫ଟି ଅଟୋ ରହିବା ପାଇଁ ଗୋଟିଏ ଷ୍ଟାଣ୍ଡ କରିବାକୁ ଗଲା ୩ ମାସ ତଳେ ଟ୍ରାଫିକ୍ ମ୍ୟାନେଜମେଣ୍ଟ କମିଟି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସିଏମ୍‌ସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନଥିବାରୁ ବାଦାମବାଡ଼ି ପରେ କଲେଜ ଛକ କଟକ ସହରରେ ସବୁଠାରୁ ଅଧିକ ବେଆଇନ୍ ପାର୍କିଂ ଅଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି। କଟକ ରେଳଷ୍ଟେସନରେ ୨୧୦ଟି ପ୍ରିପେଡ୍ ଅଟୋ ପାଇଁ ଦୁଇଟି ଷ୍ଟାଣ୍ଡ୍‌ ରହିଛି। ଅନ୍ୟ ଅଟୋଗୁଡ଼ିକ ରେଭେନ୍ସା ବିଶ୍ବବିଦ୍ୟାଳୟ ପାଚେରିପାର୍ଶ୍ବରେ ଧାଡ଼ି କରି ମୁଖ୍ୟ ଗେଟ୍ ଯାଏ ପାର୍କିଂ କରୁଛନ୍ତି। ଏଠି କମିସନରେଟ୍ ପୁଲିସ ପକ୍ଷରୁ ‘ନୋ ପାର୍କିଂ’ ବୋର୍ଡ ଲଗାଯାଇଥିଲେ ସୁଦ୍ଧା ସେଠାରେ ମାଳ ମାଳ ଗାଡ଼ି ପାର୍କିଂ କରୁଛନ୍ତି। ସେହିଭଳି ସୁଭାଷ ବୋଷ ପ୍ରତିମୂର୍ତ୍ତି ନିକଟରେ ଛକ ମଝିରେ ଘଣ୍ଟା ଘଣ୍ଟା ଅଟୋ ବେଆଇନ ପାର୍କିଂ କରୁଛନ୍ତି। କଲେଜ ଛକରୁ ଷ୍ଟେସନବଜାର ରାସ୍ତାରେ ବି ଅବସ୍ଥା ସମାନ। ରାସ୍ତାର ଦୁଇପାର୍ଶ୍ବରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଅଟୋ ଚାଳକମାନେ ରାସ୍ତାକୁ ଜବରଦଖଲ କରିନେଇଛନ୍ତି।

Sambad

ପୋଷ୍ଟ୍‌ ଅଫିସ ନିକଟରୁ ବମ୍ବେ ହୋଟେଲ ଯାଏ ରାସ୍ତାର ଦୁଇପଟେ ବି ଗାଡ଼ି ପାର୍କିଂ କରିଛନ୍ତି। ବମ୍ବେ ହୋଟେଲରୁ କଲେଜଛକ ଟ୍ରାଫିକ ଯାଏ ରାସ୍ତା ଦୁଇପଟ ଜବରଦଖଲ ହୋଇଛି। ରାଣୀହାଟ ପୋଲ ନିକଟରୁ କଲେଜଛକ ଟ୍ରାଫିକ୍‌ ଯାଏ ରାସ୍ତାର ବାମପଟେ ପ୍ଲାଷ୍ଟିକ୍‌ ବ୍ୟବସାୟୀମାନେ ରାସ୍ତାର ଅଧା ଅଞ୍ଚଳକୁ ଜବରଦଖଲ କରିନେଇଛନ୍ତି। ସୁଭାଷ ବୋଷ ପ୍ରତିମୂର୍ତ୍ତି ନିକଟରୁ ଓଏମ୍‌ପି ଆଡ଼କୁ ଯାଇଥିବା ରାସ୍ତାର ବାମପଟେ ଲୁହା ବ୍ୟବସାୟୀମାନେ ରାସ୍ତା ଉପରେ ଲୁହା ସାମଗ୍ରୀ ଠୁଳ କରି ବ୍ୟବସାୟ କରୁଥିବା ବେଳେ ବାଇକ୍ ପାର୍କିଂ ବି ହୋଇଛି। ଅଧାରାସ୍ତା ଜବରଦଖଲ ହୋଇପଡ଼ିଛି। ତେଣୁ ସକାଳ ଓ ସନ୍ଧ୍ୟା ସମୟରେ କଲେଜଛକ ଟ୍ରାଫିକ୍‌ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ୁଛି। ଏଥିପ୍ରତି ଟ୍ରାଫିକ୍‌ ପୁଲିସ କି ପ୍ରକାର ପଦେକ୍ଷପ ଗ୍ରହଣ କରୁଛି? ସ୍ଥାୟୀ ଅଟୋ ଷ୍ଟାଣ୍ଡ କାହିଁକି ଚିହ୍ନଟ ହେଉନାହିଁ? ବ୍ୟବସାୟୀମାନେ ରାସ୍ତାକୁ ଜବରଦଖଲ କରିଥିବାରୁ ଏମାନଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ ହେଉନାହିଁ? ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର