ସିଏମ୍‌ସି କାର୍ଯ୍ୟାଳୟ ଆଗରେ ବେନିୟମ ଗାଡ଼ି ପାର୍କିଂ; ନିଗମ ହରାଉଛି ଲକ୍ଷାଧିକ ଟଙ୍କାର ରାଜସ୍ବ

କଟକ: ମହାନଗର ନିଗମ ଅଞ୍ଚଳର ବ୍ୟସ୍ତବହୁଳ ଛକରୁ ବେନିୟମ ଗାଡ଼ି ପାର୍କିଂ ବା ଟ୍ରାଫିକ ସମସ୍ୟାକୁ ଦୂର କରିବାକୁ ମହାନଗର ନିଗମ ପକ୍ଷରୁ ଦେୟଯୁକ୍ତ ପାର୍କିଂ ବ୍ୟବସ୍ଥା ରହିଛି। ସେପଟେ ବେନିୟମ ଭାବେ ରାସ୍ତାରେ ଗାଡି ରଖିଲେ ପୁଲିସ ଆଦାୟ କରୁଛି ଜରିମାନା। ସହରର ବିଭିନ୍ନ ସ୍ଥାନରେ ଦୁଇ ଓ ଚାରି ଚକିଆ ଗାଡି ପାର୍କିଂ ପାଇଁ ସିଏମସି ପକ୍ଷରୁ ପ୍ରତିବର୍ଷ ଟେଣ୍ଡର୍‌ ଡକାଯାଇ ଲିଜ୍‌ ଆକାରରେ ପ‌ାର୍କିଂ ସ୍ଥାନକୁ ଦିଆଯାଉଛି। ଏଥିରେ ନିଗମର ଆୟ ବଢ଼ିବା ସହିତ ସହର ଭିତରୁ ଅନେକାଂଶରେ ଟ୍ରାଫିକ୍‌ ସମସ୍ୟା ଦୂର ହେଉଛି। ମାତ୍ର ସହର ମଧ୍ୟରେ ଗାଡି ପାର୍କିଂକୁ ନେଇ ନିୟମ କରୁଥିବା ସିଏମସିର ବିଜୁ ଭବନ କାର୍ଯ୍ୟାଳୟ ଆଗରେ ବେନିୟମ ଭାବେ ଗାଡ଼ି ପାର୍କିଂ ହେଉଥିଲେ ବି ଏହାକୁ ଆଖି ବୁଜି ଦେଇଛନ୍ତି ନିଗମ କର୍ତ୍ତୃପକ୍ଷ ଓ ପୁଲିସ ପ୍ରଶାସନ। ଉକ୍ତ ଅଞ୍ଚଳରୁ ସିଏମସି ବ‌ର୍ଷକୁ ଦୁଇଲକ୍ଷରୁ ଅଧିକ ଟଙ୍କାର ରାଜସ୍ବ ହରାଉଥିବା ଅଭିଯୋଗ ହୋଇଛି।

ସହରର ରାସ୍ତାରେ ଗାଡି ପାର୍କିଂ କରିଲେ ସାଧାରଣ ଲୋକଙ୍କୁ ଗଣିବାକୁ ପଡୁଛି ଜରିମାନା। ଟିକେ ନିୟମ ଖିଲାପ କରିଲେ ଛାଡୁନି ପୁଲିସ। ସେପଟେ ସହରର ମଧ୍ୟରେ ଏକାଧିକ ପାର୍କିଂ ସ୍ଥାନରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ କରୁଛି ମହାନଗର ନିଗମ। ମାତ୍ର ବିଜୁଭବନ କାର୍ଯ୍ୟାଳୟ ଆଗରେ ବର୍ଷ ବର୍ଷ ଧରି ବେନିୟମ‌ ଭାବେ ଦିନ ରାତି ସବୁ ସମୟରେ ନିୟମକୁ ଭାଙ୍ଗି ଗାଡ଼ି ରଖାଯାଉଛି। ବିଶେଷ ଭାବେ ଚାରିଚକିଆ ଗାଡ଼ିକୁ ଏଠାରେ ସବୁ ସମୟରେ ରଖାଯାଉଛି। ଘରୋଇ ଲୋକଙ୍କ ଗାଡିରୁ ସିଏମସିର ଟ୍ରାକ୍ଟର ମଧ୍ୟ ରାସ୍ତା ଉପରେ ରହୁଛି। ସିଏମ୍‌ସି ପେଟ୍ରୋଲ ପମ୍ପରୁ ହନୁମାନ ମନ୍ଦିର ଓ ସହିଦ ଭବନର ଉଭୟ ଗେଟ୍‌ ପାଖରେ ଗାଡ଼ି ରହୁଛି। ରାସ୍ତାର ଉଭୟ ପାଶ୍ବାରେ ୩୦ରୁ ଅଧିକ ଗାଡ଼ି ସବୁ ସମୟରେ ରଖାଯାଉଥିବାରୁ ‌ସାଧାରଣ ଲୋକଙ୍କ ରାସ୍ତାରେ ଯିବା ଆସିବା କରିବାରେ ନାନା ସମସ୍ୟା ହେଉଛି।

ଏପରି ପରସ୍ଥିତି ହେଉଛି ଯେ ବିଜୁଭବନ ଓ ପେଟ୍ରୋଲ ପମ୍ପକୁ ବଡ଼ ଗାଡି ଆସିବାରେ ଅସୁବିଧା ହେଉଥିବାବେଳେ ସହିଦ ଭବନକୁ ମଧ୍ୟକୁ ଯିବାରେ ମଧ୍ୟ ସମସ୍ୟା ଦେଖାଯାଉଛି। ସହର ମଧ୍ୟରେ ଅନ୍ୟ କେଉଁ ସ୍ଥାନରେ ଏତେ ସଂଖ୍ୟାର ଗାଡ଼ି ବେନିୟମ ଭାବେ ରାସ୍ତା ଉପରେ ଛିଡ଼ା ହେବାର ଚିତ୍ର ଦେଖିବାକୁ ମିଳିବ ନାହିଁ। ସିଏମସି ଗାଡି ପାର୍କିଂକୁ ନେଇ ସହରର ମଧ୍ୟରେ ସ୍ଥାନ ନିରୂପଣ କରିବା ସହିତ ଏହାକୁ ଲିଜ୍‌ରେ ଦେଇ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ କରୁଛି। ନିଗମର କାର୍ଯ୍ୟାଳୟ ଆଗରେ ଏପରି ବେନିୟମ ଗାଡି ପାର୍କିଂକୁ ନେଇ ନିରବ ରହିଛି ସିଏମ୍‌ସି। ଏଠାରୁ ମଧ୍ୟ ଗାଡି ପାର୍କିଂ ପାଇଁ ଟେଣ୍ଡର ଦେଇ ବର୍ଷକୁ ୨ଲକ୍ଷରୁ ଅଧିକ ଟଙ୍କାର ରାଜସ୍ବ ଆଦାୟ କରିପାରନ୍ତା ସିଏମସି। ମାତ୍ର ଉକ୍ତ ସ୍ଥାନରେ ବର୍ଷ ବର୍ଷ ଧରି କରାଯାଉଥିବା ବେନିୟମ ପାର୍କିଂକୁ ନିଗମ ଓ ପୁଲିସ ପ୍ରଶାସନ ଆଖି ବୁଜିବା ଦିଗରେ କି ସ୍ବାର୍ଥ ରହିଛି ତାହା ଏବେ ପ୍ରଶ୍ନ ମଧ୍ୟରେ। ସୂଚନା ଯୋଗ୍ୟ, ସହରର ଛକ ବଜାରରୁ ଭିଡ କମାଇବା ପାଇଁ ମହାନଗର ନିଗମ ପକ୍ଷରୁ ସିଏମସିର ୨୨ଟି ଗାଡି ପାର୍କିଂର ଲିଜ୍‌ ପାଇଁ ଗତମାସ ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପାର୍କିଂ ଅଞ୍ଚଳରୁ ଦୁଇଚକିଆ ପାଇଁ ୫ଟଙ୍କା, ତିନିଚକିଆ ପାଇଁ ୧୦, ଚାରିଚକିଆ ପାଇଁ ୨୦ ଓ ସାଇକଲ ପ୍ରତି ୨ଟଙ୍କା ଆଦାୟ କରାଯାଉଛି।

ସମ୍ବନ୍ଧିତ ଖବର