ହଜି ଯିବ ଦ୍ବିତୀୟ ବିଶ୍ବଯୁଦ୍ଧ ସ୍ମାରକୀ! ପାରା ସେବାକେନ୍ଦ୍ରର ଅଧାଅଂଶ ହେବ କ୍ବାର୍ଟର

କଟକ: ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଓଡ଼ିଶା ପୁଲିସ ବିଭାଗରେ ଆରମ୍ଭ ହୋଇଥିଲା ପାରା ସେବାକେନ୍ଦ୍ର। ଅନେକ ରୋଚକ ତଥା ଐତିହାସିକ ଘଟରାର ସାକ୍ଷୀ ଥିବା ଏହି କେନ୍ଦ୍ରକୁ ବିଶ୍ବ ଐତିହ୍ୟ ସ୍ମାରକୀ ମାନ୍ୟତା ପାଇଁ ଗୋଟିଏ ପଟେ ନିଷ୍ପତ୍ତି ହୋଇଥିବା ବେଳେ ଅନ୍ୟପଟେ ପରକୁ ପର ଯେଉଁ ନିଷ୍ପତ୍ତି ନିଆଯାଉଛି, ସେଥିରେ ଖୁବଶୀଘ୍ର ଏହା ହଜି ଯିବା ଭଳି ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମେ ସେବା କେନ୍ଦ୍ରର ପଦବି ଗୁଡିକୁ ଉଚ୍ଛେଦ କରି ଦିଆଯାଇଥିଲା। ଏବେ ଏହି ପାରା ସେବା କେନ୍ଦ୍ରର ମୁଖ୍ୟ କାର୍ଯ୍ୟାଳୟର ଅଧାଅଂଶକୁ କ୍ବାର୍ଟର୍ କରିବାକୁ ପୁଲିସ ବିଭାଗ ନିଷ୍ପତ୍ତି ନେଇଛି। ଏବେ ଅଧା ଅଂଶରେ ବିଦ୍ୟୁତ ସଂଯୋଗ ବି ନାହିଁ। ପାରା ସେବା କେନ୍ଦ୍ରରେ ୧୫୦ ପାରା ରହିଥିବା ବେଳେ କ୍ବାର୍ଟର ହେବା ପରେ ସେମାନେ ରହିବେ କେଉଁଠି, ତାହାକୁ ନେଇ ପ୍ରଶ୍ନ ଉଠୁଛି।

କ୍ରାଇମବ୍ରାଞ୍ଚ ଅଧୀନରେ ଥିବା ପାରା ସେବାକେନ୍ଦ୍ର କଟକ ବକ୍ସିବଜାର ପୁଲିସ ଲେନ୍‌ର ସି/୫୮ ଘରେ ଚାଲି ଆସୁଥିଲା। କ୍ରାଇମବ୍ରାଞ୍ଚ୍‌ ପରେ ତାହା ସିଗନାଲ ଅଧୀନକୁ ଆସିଥିଲା। ଏହି କେନ୍ଦ୍ରକୁ ରାଜ୍ୟର ପାରାକେନ୍ଦ୍ରର ମୁଖ୍ୟାଳୟ କୁହାଯାଉଥିଲା। ଜଣେ ଇନ୍‌ସ୍ପେକ୍ଟର, ଦୁଇ ଏସ୍‌ଆଇ, ଜଣେ ଏଏସ୍‌ଆଇ, ୫ କନଷ୍ଟେବଳ, ଜଣେ ଏଫ୍‌ଓଙ୍କୁ ନେଇ ଆରମ୍ଭ ଏହି କେନ୍ଦ୍ରରେ ୫୦ ପାରା ଥିଲେ। ସବୁ ଜିଲ୍ଲାରେ ଗୋଟିଏ ଲେଖାଏ ଶାଖା ଅଫିସ ପାରା ସେବାକେନ୍ଦ୍ରର କାର୍ଯ୍ୟ କରୁଥିବା ବେଳେ ଦୁଇଜଣ ଲେଖାଏ କନଷ୍ଟେବଳ କାର୍ଯ୍ୟ କରୁଥିଲେ। ଗୋଟିଏ ସମୟରେ ରାଜ୍ୟରେ ପାଖାପାଖି ୧ ହଜାର ୪୬ ପାରା ଥିବା କୁହାଯାଏ।

ଏମାନେ ପୁଲିସ ବିଭାଗର ଗୁରୁତ୍ବପୂର୍ଣ୍ଣ ଚିଠିପତ୍ର ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତରରେ ମୁଖ୍ୟତଃ ନିୟୋଜିତ ହେଉଥିଲେ। ଏମିତିକି ୧୯୯୯ ମହାବାତ୍ୟା ସମୟରେ ସୂଚନା ଆଦାନପ୍ରଦାନରେ ଏହି ପାରାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରାଯାଇଥିଲା।

୨୦୦୭ ଡିସେମ୍ବର ୨୭ ତାରିଖରେ ଗୃହ ବିଭାଗର ଏକ ଚିଠି (ନଂ ୬୦୬୭୫) ପାରା ସେବାକେନ୍ଦ୍ରକୁ ସମ୍ପୂର୍ଣ୍ଣ ଅକାମୀ କରିଦେବାର ଭିତ୍ତିଭୂମି ପକାଇଥିଲା। ଅନୁଗୁଳ ଜିଲ୍ଲାକୁ ବାଦ୍ ଦେଇ ଜିଲ୍ଲାଓ୍ବାରି ସମସ୍ତ ପାରାଙ୍କୁ କଟକ ପାରା ସେବାକେନ୍ଦ୍ର ମୁଖ୍ୟାଳୟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାରେ ଥିବା କେନ୍ଦ୍ରରେ ନିଯୁକ୍ତ କନଷ୍ଟେବଳଙ୍କୁ ଜିଲ୍ଲା ପୁଲିସରେ ମିଶ୍ରଣ କରାଗଲା। କଟକ ମୁଖ୍ୟାଳୟରେ ବି ପଦବି ଉଚ୍ଛେଦ ହେଲା। ଜଣେ ଏସ୍‌ଆଇ ଓ ୨ ଜଣ କନଷ୍ଟେବଳ ରହିଲେ। ରାଜ୍ୟରେ ଥିବା ୧ ହଜାର ୪୬ ପାଖାପାଖି ପାରାରୁ କଟକରେ ପହଞ୍ଚିଲା ବେଳକୁ ସଂଖ୍ୟା ୩୦୦ ହୋଇଯାଇଥିଲା। ଅବଶିଷ୍ଟ ପାରା ପୁଲିସ ବିଭାଗର ଅବହେଳା ଓ ରୋଗ କାରଣରୁ ମୃତ୍ୟୁମୁଖରେ ପଡ଼ିଥିବା କୁହାଯାଏ। ରାଜ୍ୟରେ ମାତ୍ର ଦୁଇଟି ଅଫିସ ରହିଲା। କଟକରେ ପାରା ସେବାକେନ୍ଦ୍ର ମୁଖ୍ୟାଳୟ ଓ ଅନୁଗୁଳରେ ଶାଖା ଅଫିସ ରହିଲା। ଅନୁଗୁଳରେ ଦୁଇଜଣ କନଷ୍ଟେବଳଙ୍କ ସହିତ ୬୦ ପାରା ରହିଲେ। ୨୦୨୦ ଜୁନ ୯ ତାରିଖରେ ଆଇଜି ଆଧୁନିକୀକରଣ, କଟକ ପାରା କେନ୍ଦ୍ର ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ଦୁଇ କନଷ୍ଟେବଳ ପଦବିକୁ ଉଚ୍ଛେଦ କରିଦେଲେ।

ଅନ୍ୟପଟେ ଯେଉଁ ଘରେ ଆରମ୍ଭରୁ ପାରା ସେବାକେନ୍ଦ୍ରର ମୁଖ୍ୟାଳୟ ଚାଲିଆସୁଥିଲା ଉକ୍ତ ଘରର ଅଧାଅଂଶକୁ ୨୦୨୧ ଜୁଲାଇ ୯ ତାରିଖରେ ଜାରି (୧୮୮୯/ବିଲ୍ଡିଂ) ଚିଠି ବଳରେ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଜଣେ ଏଏସ୍‌ଆଇଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ସମ୍ପୃକ୍ତ ପୁଲିସ ଅଧିକାରୀ ପାରା ସେବାକେନ୍ଦ୍ରର ମୁଖ୍ୟାଳୟ ଚାଲିଆସୁଥିବା ଘରେ ପରିବାର ସହିତ ରହିବେ। ଅଫିସ ଭିତର ଦେଇ ସମ୍ପୃକ୍ତ ଏଏସ୍‌ଆଇ ଏବେ ନିଜ ଘରକୁ ଯିବାଆସିବା କରିବେ। ବ୍ରିଟିସ୍ ଅମଳର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏହି ଅଫିସରେ ଥିବାବେଳେ ଏବେ ଉକ୍ତ ଘରେ ଏକ ପୁଲିସ ପରିବାର ରହିବାକୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି। ଅବସରପ୍ରାପ୍ତ ପୁଲିସ ଡିଜି ଗୋପାଳ ନନ୍ଦଙ୍କ କହିବା ଅନୁଯାୟୀ, ସ୍ମାରକୀ ହିସାବରେ ଓଡ଼ିଶା ପୁଲିସ ଏହି କେନ୍ଦ୍ରକୁ ରଖିଛି। ଯୋଗାଯୋଗ ଯେଉଁଠି ବିଚ୍ଛିନ୍ନ ହୋଇଯାଉଥିଲା ପାରା ମାଧ୍ୟମରେ ବାର୍ତ୍ତା ପଠାଯାଉଥିଲା। ବର୍ତ୍ତମାନ ବ୍ୟବହାର ହେଉ ନଥିଲେ ବି ସ୍ମାରକୀ ହିସାବରେ ଏହାକୁ ସଂରକ୍ଷିତ ରଖାଯିବା ଆବଶ୍ୟକ ବୋଲି ଶ୍ରୀ ନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର