ରାଜ୍ୟରେ ଆଳୁ ଚାଷରେ ପ୍ରଥମ କଟକ ଜିଲ୍ଲାର ଚାଷୀ ବିମୁଖ; ସମସ୍ୟା କରୁଛି ମଞ୍ଜି, ଶୀତଳ ଭଣ୍ଡାର

କେବେ ଦୂର ହେବ ଆଳୁ ସଂକଟ?

ଫୁଲନଖରା: ସାଧାରଣ ଭାବେ ଲୋକଙ୍କ ଖାଦ୍ୟରେ ଆଳୁ ସବୁଠୁ ଅଧିକ ବ୍ୟବହାର ହେଉଥିବା ପରିବା ଭାବେ ପରିଗଣିତ ହୋଇଆସୁଛି। ମାତ୍ର କିଛି ବର୍ଷ ହେଲା ଆଳୁର ଆକାଶଛୁଆଁ ମୂଲ୍ୟ ବୃଦ୍ଧି ଓ ଅଭାବ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରି ଆସିଛି। ଗଲା ନଭେମ୍ବର ମାସରେ ତ ଆଳୁ କିଲୋ ୬୦ରୁ ୮୦ ଟଙ୍କାରେ ବିକ୍ରି ହେଲା। ତଥ୍ୟ ଅନୁଯାୟୀ, ରାଜ୍ୟର ଜଣେ ସାବାଳକ ଦୈନିକ ହାରାହାରି ୬୦ ଗ୍ରାମ ଆଳୁ ଖାଉଥିବାବେଳେ ମୁଣ୍ତପିଛା ମାସିକ ବ୍ୟବହାର ୧.୮୩୦ ଗ୍ରାମ ରହିଛି। ଏହି ହିସାବରେ ଓଡ଼ିଶାରେ ବାର୍ଷିକ ବିଲାତି ଆଳୁର ଚାହିଦା ରହିଛି ୯ ଲକ୍ଷ ୨୭ ହଜାର ମେଟ୍ରିକ୍‌ ଟନ୍‌। କିନ୍ତୁ ରାଜ୍ୟରେ ଆଳୁ ଉତ୍ପାଦନ ହେଉଛି ମାତ୍ର ୨.୧ଲକ୍ଷ ମେଟ୍ରିକ୍‌ ଟନ୍‌। ଅର୍ଥାତ ଆବଶ୍ୟକତାର ୪ ଭାଗରୁ ଭାଗେ ରାଜ୍ୟରେ ଉତ୍ପାଦନ ହେଉଛି। ଅବଶିଷ୍ଟ ଚାହିଦା ପୂରଣ କରିବା ପାଇଁ ପଶ୍ଚିମବଙ୍ଗ, ଆନ୍ଧ୍ର, ମହାରାଷ୍ଟ୍ର ଆଦି ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ରିପୋର୍ଟ ଅନୁଯାୟୀ, ୭୦/୮୦ ଦଶକରେ ଓଡ଼ିଶାରେ ୩୦ ହଜାର ହେକ୍ଟର ପରିମିତ ଜମିରେ ବିଲାତି ଆଳୁ ଚାଷ ହେଉଥିବାସ୍ଥଳେ ବର୍ତ୍ତମାନ ତାହା ହ୍ରାସ ପାଇ ମାତ୍ର ୧୪ ହଜାର ହେକ୍ଟରରେ ପହଞ୍ଚିଛି।

ବିଲାତି ଆଳୁ ଚାଷରେ କଟକ ଜିଲ୍ଲା (୪୬୦ ହେକ୍ଟର) ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଛି। ଜିଲ୍ଲାର ୪୨ମୌଜା ଅଞ୍ଚଳରେ ସର୍ବାପେକ୍ଷା ଅଧିକ ଆଳୁ ଚାଷ ହୋଇଥାଏ। ମାତ୍ର ଏହା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ପ୍ରମୁଖ ଆଳୁ ଚାଷୀମାନେ ବିଭିନ୍ନ କାରଣରୁ ଏହି ଚାଷରୁ ଓହରିବାକୁ ବାଧ୍ୟ ହେଉଛନ୍ତି।
ପୂର୍ବରୁ ୮/୧୦ଏକର ଆଳୁ ଚାଷ କରୁଥିବା ୪୨ମୌଜାର ଅଗ୍ରଣୀ ଚାଷୀ ଶରତ ଦେବତା ବର୍ତ୍ତମାନ ମାତ୍ର ୫/୬ ଏକର ଜମିରେ ଆଳୁ ଚାଷ କରୁଥିବା କହିଛନ୍ତି। ସଂରକ୍ଷଣ ସୁବିଧା ନଥିବାରୁ ପ୍ରତିବର୍ଷ ୪/୫ଟଙ୍କା ଦରରେ ଏହାକୁ ବିକ୍ରି କରିବାକୁ ପଡ଼ୁଛି। ତେଣୁ ବ୍ୟବସାୟିକ ଦୃଷ୍ଟିରୁ ଲାଭ ହେଉ ନଥିବାରୁ ସେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଅବଶ୍ୟ ଚଳିତ ବର୍ଷ ଜିଲ୍ଲାରେ ୧୩ ହଜାର ଟନ ଆଳୁ ସଂରକ୍ଷଣ ପାଇଁ ବ୍ୟବସ୍ଥା ହୋଇଥିବା ଜଣାପଡିଛି। କିନ୍ତୁ ତାହା ବି ପର୍ଯ୍ୟାପ୍ତ ନ ଥିବା ଚାଷୀମାନେ ମତ ଦେଇଛନ୍ତି। ଆଳୁ ଚାଷ ପାଇଁ ଓଡ଼ିଶାରେ ଅନୁକୂଳ ଜଳବାୟୁ ଓ ପରିବେଶ ରହିଥିବା ସତ୍ତ୍ବେ କେତେକ କାରଣରୁ ବିସ୍ତୃତ ଜମିରେ ଏହା ସମ୍ଭବ ହୋଇପାରୁନାହିଁ।

ପୂର୍ବରୁ ସମଗ୍ର ରାଜ୍ୟର ବ୍ୟାପକ ଅଞ୍ଚଳରେ ଆଳୁ ଚାଷ ହେଉଥିଲା, କିନ୍ତୁ ଆବଶ୍ୟକ ଶୀତଳ ଭଣ୍ତାର ଅଭାବରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଏଥିପ୍ରତି ଆଉ ଆଗ୍ରହୀ ହେଲେନାହିଁ। ଅନ୍ୟପକ୍ଷରେ ଏଥିପାଇଁ ଦରକାର ହେଉଥିବା ବିହନ ସରକାର ସୁଲଭ ଦର ଏବଂ ଠିକ୍‌ ସମୟରେ ଉପଲବ୍ଧ କରାଇନପାରିବାରୁ କେତେକ ଚାଷୀ ଏଥିପ୍ରତି ବିମୁଖ ହେଲେ। ରାଜ୍ୟରେ ସରକାର ୨୦୧୪, ଡିସେମ୍ବର ୨୭ରୁ ‘ଆଳୁ ମିଶନ’ ଆରମ୍ଭ କରିଥିଲେ ବି ତାହା ଏଯାଏ ଉଦ୍ଦେଶ୍ୟ ପୂରଣରେ ସଫଳ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର