ବାଜିରେ ରୋଗୀଙ୍କ ଜୀବନ; ‘ସମ୍‌’ରୁ… ‘ସନ୍’, ତଥାପି ସୁଧୁରିଲାନି ବ୍ୟବସ୍ଥା

ବିନା ଫାୟାର ଏନ୍‌ଓସିରେ ବି ଚାଲିଛି ଆଇସିୟୁ, ଭେଣ୍ଟିଲେଟର୍‌ ଥିବା ହସ୍ପିଟାଲ

କଟକ: ନିଆଁ ଲାଗିଲେ ଆରମ୍ଭ ହୁଏ ହୋହଲ୍ଲା। ମାସେ ଦୁଇ ମାସର ତୁମ୍ବିତୋଫାନ ପରେ ସବୁ କିଛି ଚୁପ୍। ୨୦୧୬ରେ ଭୁବନେଶ୍ବରର ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଠାରୁ ଆଜିର ସନ୍ ହସ୍ପିଟାଲ ଅଗ୍ନିକାଣ୍ଡ ଯାଏ ସ୍ଥିତି ବିଶେଷ କିଛି ସୁଧୁରି ନଥିବା ପ୍ରମାଣିତ ହୋଇଛି। କଟକରେ ବି ଗଲା ୫ ମାସ ଭିତରେ ଇଏ ହେଉଛି ଦ୍ବିତୀୟ ହସ୍ପିଟାଲ ଅଗ୍ନିକାଣ୍ଡ। ସେପ୍ଟେମ୍ବର ମାସରେ ଜଗତପୁରର ସଦଗୁରୁ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଅନ୍ୟପଟେ ହସ୍ପିଟାଲ ବିନା ଫାୟାର ଏନ୍‌ଓସି (ଅଗ୍ନି ନିର୍ବାପକ ପ୍ରମାଣପତ୍ର)ରେ ଚାଲିଥିଲା ବୋଲି କହି ଅଗ୍ନିଶମ ଅଧିକାରୀ ନିଜର ଉତ୍ତରଦାୟିତ୍ବ ଖସାଇ ଦେବାକୁ ପ୍ରତ୍ୟେକ ଘଟଣା ପରେ ଉଦ୍ୟମ କରୁଛନ୍ତି। କିନ୍ତୁ ଏଭଳି ଅଗ୍ନିକାଣ୍ଡରେ ବାଜି ଲାଗୁଛି ରୋଗୀଙ୍କ ଜୀବନ। ଅଗ୍ନିଶମ ବିଭାଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ଏ କ୍ଷେତ୍ରରେ ସଂପୂର୍ଣ୍ଣ ନିରବ ରହୁଛନ୍ତି। କଟକରେ ଶତାଧିକ ହସ୍ପିଟାଲ ବିନା ଫାୟାର ଏନଓସିରେ ଚାଲିଛି। ଏପରିକି ଏକାଧିକ ଆଇସିୟୁ‌ ବେଡ ଥିବା ଓ ଭେଣ୍ଟିଲେଟର ବ୍ୟବହାର କରୁଥିବା ମେଡିକାଲ ବିନା ଏନଓସିରେ ଚାଲୁଛି। ଘରୋଇ ହସ୍ପିଟାଲ କର୍ତୃପକ୍ଷ କେବଳ ଆବେଦନ କରିଦେଇ ଏହାକୁ ଅନୁମତି ବୋଲି ଭାବି ନେଇ ବିନା ବାଧାରେ ସଂସ୍ଥା ଚଲାଉଛନ୍ତି।

ଆଜି ତୁଳସୀପୁର ସନ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ସଂପୃକ୍ତ ହସ୍ପିଟାଲର ଫାୟାର ଏନଓସି ନ ଥିଲା ଏବଂ ମାସକ ତଳେ ସେଠାରେ ଏକ ମକଡ୍ରିଲ କରାଯାଇଥିଲା ବୋଲି କହିଥିଲେ। କିନ୍ତୁ ଫାୟାର ଏନଓସି ନଥାଇ ବିଭିନ୍ନ ହସ୍ପିଟାଲ ଚାଲୁଛନ୍ତି କେମିତି? କଟକରେ କେତେ ହସ୍ପିଟାଲ ଏଭଳି ଚାଲିଛି? ବିନା ଅଗ୍ନି ନିରାପତ୍ତାରେ କଟକରେ ଆଇସିୟୁ ବେଡ ଥିବା ଶତାଧିକ ହସ୍ପିଟାଲଙ୍କୁ ଚାଲିବା ପାଇଁ କିଏ ଅନୁମତି ଦେଉଛନ୍ତି? ଅଗ୍ନି ନିରାପତ୍ତା ନିୟମକୁ କେତେ ହସ୍ପିଟାଲ ମାନୁଛନ୍ତି? ଏ କ୍ଷେତ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ( ସିଡିଏମଓ)ଙ୍କ ଭୂମିକା କ’ଣ? ରୋଗୀଙ୍କ ଜୀବନ ବିପନ୍ନ କରିବା ଘଟଣାର ଉତ୍ତରଦାୟୀ କିଏ? ୨୦୧୭ର ନୂଆ ନିୟମ ପରେ ବି କଟକରେ ବିନା ପ୍ରମାଣପତ୍ରରେ ବହୁ ନୂଆ ଘରୋଇ ହସ୍ପିଟାଲ ଖୋଲିଛି। ଏହି ନିୟମ ଆଳରେ ଠକିବାର ଏକ ନୂଆ ବାହାନା ମିଳି ଯାଇଥିବା ଅଭିଯୋଗ ହୋଇଛି। ଘରୋଇ ହସ୍ପିଟାଲ କର୍ତୃପକ୍ଷ କେବଳ ଆବେଦନ କରି ଦେଇ ହାତ ଝାଡ଼ି ବସି ଯାଉଛନ୍ତି। ଅଗ୍ନିଶମ ଆଉ ସିଡିଏମଓ ବି ତାହାର ଯାଞ୍ଚ କି ତଦାରଖ କରୁନାହାନ୍ତି। ଓଲଟା ଏନଓସି ନଥିବାର ଧମକ ଦେଇ ଅର୍ଥ ଆଦାୟର ବାଟ ବାହାର କରାଯାଉଛି।

୨୦୧୯ରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ( ମେଡିକାଲ କୋଠା)ର ଅଗ୍ନି ନିରାପତ୍ତା ପାଇଁ କେତେକ ନିୟମର ସଂଶୋଧନ କରାଯାଇଥିଲା। ନିୟମ ମୁତାବକ ମେଡିକାଲ କୋଠାର ଉଚ୍ଚତା ଅତିକମରେ ୧୨ ମିଟର ହୋଇଥିବ। ତିନି ମହଲା କୋଠା ହୋଇଥିବ ବା ତିନିଟି ଫ୍ଲୋର ଥିବ। ମେଡିକାଲ ପାଖକୁ ଅଗ୍ନି ନିର୍ବାପକ ଗାଡି ସହଜରେ ଯାଇ ପାରୁଥିବ। ମେଡିକାଲ ଚାରିପାଖରେ ଅଗ୍ନିଶମ ଗାଡି ବୁଲି ପାରୁଥିବ। କିନ୍ତୁ ମେଡିକାଲ‌ର ଯଦି ଆଇସିୟୁ ଥିବ, ଭେଣ୍ଟିଲେଟର ବ୍ୟବହାର ହେଉଥିବ, ତେବେ ସଂପୃକ୍ତ ହସ୍ପିଟାଲ ପାଇଁ ଫାୟାର ଏନଓସି ଅପରିହାର୍ଯ୍ୟ। ଅନ୍ୟପଟେ ଯଦି ସମସ୍ତ ସୁବିଧା ଥାଇ ମେଡିକାଲ ୩୦ ଶଯ୍ୟା ବିଶିଷ୍ଟ ହୋଇଥିବ ଆଉ ଆଇସିୟୁ ନଥିବ ତେବେ ସେହି ହସ୍ପିଟାଲ ପାଇଁ ଫାୟାର ଏନଓସି ଆବଶ୍ୟକ ପଡିବ ନାହିଁ ବୋଲି ନିୟମ ରହିଛି। କଟକ ସହରରେ ଏବେ ୫ଟି ବଡ ହସ୍ପିଟାଲକୁ ବାଦ ଦେଲେ ଏମିତି ପ୍ରାୟ ଶହେରୁ ଅଧିକ ନର୍ସିଂହୋମ ଆଉ ହସ୍ପିଟାଲ ଅଛନ୍ତି, ଯେଉଁଠି ୩୦ରୁ ଅଧିକ ବେଡ ଆଉ ଆଇସିୟୁ ରହିଛି। କିନ୍ତୁ ସେମାନଙ୍କର ଫାୟାର ଏନଓସି ନାହିଁ। ଏହି ନିୟମ କୋହଳ କରିବାକୁ ୨୦୧୮ ମସିହାରେ କଟକର ଘରୋଇ ମେଡିକାଲ ସଂଘ ହାଇକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲା। କଟକ ଏକ ପୁରାତନ ସହର‌ ହୋଇଥିବା କାରଣରୁ ଗଳି କନ୍ଦି‌ରେ ବି ମେଡିକାଲ ରହିଛି। ତେଣୁ ନିୟମକୁ କୋହଳ କରିବାକୁ ସେମାନେ ନିବେଦନ କରିଥିଲେ। ଏ ମାମଲା ଏବେ ବିଚାରାଧୀନ ରହିଛି। କିନ୍ତୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ବିକଳ୍ପ କ’ଣ ତାହାକୁ ନେଇ ବି ଗୋଟିଏ ମହଲରେ ପ୍ରଶ୍ନ ଉଠୁଛି। କିନ୍ତୁ ରୋଗୀଙ୍କ ଜୀବନ ସହ ସିଧାସଳଖ ଜଡିତ ବ୍ୟବସ୍ଥାରେ ଏ ପ୍ରକାର ଅବହେଳା ଦୂର ହୋଇ ବିଧିବଦ୍ଧ ନିୟମ ଆଉ ବ୍ୟବସ୍ଥା କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର