କନ୍ଦରପୁର କୃଷକ ସେବା ସମବାୟ ସମିତିରେ ଧାନ ସଂଗ୍ରହରେ ଅବ୍ୟବସ୍ଥା

ଚାଷୀଙ୍କ ପାଖରେ ଟୋକନ୍ ଥାଇ ବି ବିକି ପାରୁ ନାହାନ୍ତି ଧାନ

କଟକ-ବିଦ୍ୟାଧରପୁର: କଟକ ସଦର ବ୍ଲକ କନ୍ଦରପୁର କୃଷକ ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ଧାନ ସଂଗ୍ରହ ‌‌‌ମଣ୍ଡି ଖୋଲାଯାଇଛି। ଏହି ମଣ୍ଡି ଅଧୀନରେ କନ୍ଦରପୁର, ଫକିରପଡା ଓ ଆୟତ୍ତପୁର ପଞ୍ଚାୟତର ୮୭୫ ଜଣ ଚାଷୀ ୨୬ ହଜାର କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିଲେ। ଧାନ ସଂଗ୍ରହ ପାଇଁ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ  ସୁପାରିସରେ ସଦର ବିଡ଼ିଓ ରାଜୀବ ଲୋଚନ ପରିଡ଼ା  ୬ଜଣିଆ କମିଟି ଗଠନ କରିଥିଲେ। କିନ୍ତୁ ଏଠି ପ୍ରକୃତ ଚାଷୀ ବାଦ ପଡି ବେପାରୀଙ୍କ ଧାନ ସଂଗ୍ରହ କରାଯାଉଥିବା ଅନେକ ଚାଷୀ ଅଭିଯୋଗ କରିଛନ୍ତି। ଏଠାରେ ସପ୍ତାହକୁ ଦୁଇ ଦିନ ବୁଧବାର ଓ ଶନିବାର ମଣ୍ଡି ଖୋଲା ଯାଉଥିବା ବେଳେ ଦୁଇଟି ମିଲର ଧାନ କିଣିବାକୁ ଅନୁମତି ପାଇଛନ୍ତି। ସଂପାଦକ ଧୀରେନ୍ ଦାସଙ୍କ ସୂଚନା ଅନୁଯାୟୀ ଫେବ୍ରୁଆରି ୨୫ ତାରିଖ ସୁଦ୍ଧା ୮୭୫ ଜଣ ଚାଷୀଙ୍କ ମଧ୍ୟରୁ ମାତ୍ର ୩୩୪ ଜଣ ଚାଷୀ ୧୧ ହଜାର ୧୩ ଶହ କୁଇଣ୍ଟାଲ ଧାନ ବିକିଛନ୍ତି। ଆହୁରି ୫୪୧ ଜଣ ଚାଷୀ ଧାନ ବିକିବା ପାଇଁ ଚାହିଁ ରହିଛନ୍ତି। ଉଲ୍ଲେଖନୀୟ ବିଷୟ ହେଲା ଯେ ଯେଉଁ ତାରିଖରେ ଚାଷୀଙ୍କ ମୋବାଇଲକୁ ଟୋକନ୍ ଆସୁଛି, ଖର୍ଚ୍ଚାନ୍ତ ହୋଇ ମଣ୍ଡିକୁ ଉକ୍ତ ତାରିଖରେ ଚାଷୀ ଧାନ ବିକିବାକୁ ପହଞ୍ଚିବା ବେଳେ ସେମାନଙ୍କୁ ଫେରାଇ ଦିଆଯାଉଛି। ଆୟତ୍ତପୁର ପଞ୍ଚାୟତର ଗୋକୁଳ ପ୍ରଧାନ ମାନସ ପ୍ରଧାନ, ଗୁରୁପଦ ସେଠୀ, ପ୍ରଦୀପ ସ୍ବାଇଁ, ନିହାର ବିନ୍ଦୁ ପ୍ରଧାନ ପ୍ରମୁଖ ଚାଷୀ ଏଭଳି ଅଭିଯୋଗ କରିଛନ୍ତି। କନ୍ଦରପୁର ପଞ୍ଚାୟତର ମାଧବ ଚନ୍ଦ୍ର ହାତୀ ୨୬ କୁଇଣ୍ଟାଲ ଧାନ ବିକିବା ପାଇଁ ଯୋଗ୍ୟ ଥିଲେ ବି ତାଙ୍କ ଠାରୁ ୨୦କୁଇଣ୍ଟାଲ କିଣା ହୋଇଥିବା ଅଭିଯୋଗ କରିଛନ୍ତି।

ଟୋକନ୍ ଥାଇ ବି ଧାନ ନ ନେବା ଘଟଣା ସଂପର୍କରେ ସେ ସଂପାଦକ ଧୀରେନ୍ ଦାସଙ୍କୁ ପଚାରିଥିଲେ ବି ତାଙ୍କ କଥା ଶୁଣା ଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ଦଣ୍ଡୁଆସିପଡାର ଚାଷୀ ଡକ୍ଟର ନିମାଇଁ ନନ୍ଦ କହିଛନ୍ତି ଯେ ଏବର୍ଷ ସୋସାଇଟି ତାଙ୍କ ଧାନ ନକିଣି ଫେରାଇ ଦେଲା। ଅନ୍ୟପଟେ ଏହି ସମବାୟ ସମିତିର ନିର୍ଦେଶକ ମନୋରଞ୍ଜନ ମହାପାତ୍ରଙ୍କର ଏକକାଳୀନ ଦେଢ଼ ଶହ କୁଇଣ୍ଟାଲ ଧାନ କିଣା ସଂପର୍କରେ ସଂପାଦକ କହିଛନ୍ତି ଯେ ଏହା ଜାନୁଆରି ମାସରେ କିଣାଯାଇଥିଲା। ପରେ ସରକାର ଧାନ କିଣିବାକୁ ଅନୁମତି ଦେଲେ ନାହିଁ। ତେଣୁ ଆଉ ଧାନ କିଣା ଯାଇ ପାରୁନି। କିନ୍ତୁ ଏସବୁ ଦୁର୍ନୀତିର ତଦନ୍ତ ପାଇଁ ସ୍ଥାନୀୟ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି। ଏ ଆର୍ ସି ଏସ୍ ଅନିତା ବେହେରା ଅଭିଯୋଗର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିବା ବେଳେ ଅତିରିକ୍ତ ଯୋଗାଣ ବିଭାଗ ଅଧିକାରୀ ପୂର୍ଣ୍ଣେନ୍ଦ୍ର ମିଶ୍ର ପ୍ରତି ଚାଷୀଙ୍କ ଠାରୁ ୩ କିଲୋ ଧାନ କଟାଯାଇଥିବା ଅଭିଯୋଗ ପାଇଛନ୍ତି ବୋଲି କହିବା ସହିତ ଏହାର ତଦନ୍ତ ପାଇଁ ସେ ଉପଯୁକ୍ତ ଫୋରମରେ ସୁପାରିସ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର