ସେକ୍ଟର୍‌-୧୩ରେ ଲୁଟେରା ଆତଙ୍କ; ଠେଙ୍ଗାବାଡ଼ି ଧରି ଲୋକେ କରୁଛନ୍ତି ପାଟ୍ରୋଲିଂ

କଟକ: କଟକ ସହରରେ ବି ଏମିତି ଅଞ୍ଚଳ ରହିଛି, ଯେଉଁଠି ସଂଜ ବୁଡ଼ିଲେ ଅନ୍ଧାର ହୋଇଯାଉଛି। ଗୋଟିଏ ବି ଷ୍ଟ୍ରିଟ୍ ଲାଇଟ୍ ନାହିଁ। ସପ୍ତାହ ଭିତରେ ସିରିଜ୍ ଲୁଟ୍ ପରେ ଲୋକେ ନିଜେ ରାତିରେ ଠେଙ୍ଗାବାଡ଼ି ଧରି ରାତିରେ ପାଟ୍ରୋଲିଂ କରୁଛନ୍ତି। ପୁଲିସ ସେମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ସିଡିଏ ସେକ୍ଟର ୧୩ ବାସିନ୍ଦା। ଗଲା ଏକ ସପ୍ତାହ ହେବ ସ୍ଥାନୀୟ ବାସିନ୍ଦା ଗଳି ଗଳିରେ ବୁଲି ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁଯାୟୀ, ସିଡିଏ ଫେଜ୍ ୨ ଥାନା ଅଧୀନରେ ସେକ୍ଟର ୧୦, ୧୧, ୧୨, ୧୩ ଓ ବ୍ରଜବିହାରୀପୁର ରହୁଛି। କିନ୍ତୁ ୨୦୧୮ରୁ ଆରମ୍ଭ ହୋଇଥିବା ସେକ୍ଟର ୧୩ ବାସିନ୍ଦା ଏବେ ଚୋରଙ୍କ ଭୟରେ ଦିନ କାଟୁଛନ୍ତି। ମୋଟ ୧୭ ଶହ ପ୍ଲଟ୍‌ରୁ ୨୦୦ ପ୍ଲଟ୍‌ରେ ଲୋକ ରହୁଥିବା ବେଳେ ଆହୁରି ୪୦୦ ପ୍ଲଟ୍‌ରେ କାମ ଚାଲିଛି। ବାହାର ଜିଲ୍ଲାର ଶ୍ରମିକ କୋଠା ନିର୍ମାଣ କାମରେ ନିୟୋଜିତ ହୋଇଥିବାରୁ ଏବେ ଜନଗହଳି ଆହୁରି ବଢ଼ିବାକୁ ଲାଗିଲାଣି। ସେମାନେ ଚୋରି, ଛିନତାଇ ଭଳି ଅପରାଧୀକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଛନ୍ତି। ପାଖାପାଖି ୧ ହଜାର ଲୋକ ସଂଖ୍ୟାକୁ ନେଇ ଛିଡ଼ା ହୋଇଥିବା ଏହି ଅଞ୍ଚଳରେ ୪ ବର୍ଷ ଭିତରେ ଗୋଟିଏ ବି ଷ୍ଟ୍ରିଟ୍ ଲାଇଟ୍ ଲାଗି ପାରିଲା ନାହିଁ। ୨୦୧୮ ମସିହାରୁ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ଦାବି ହୋଇ ଆସୁଛି। ଫେଜ୍ ୨ ଥାନା ଆଇଆଇସି ବିଜୟନୀ ସିଂହ ଥିବା ବେଳେ ସେକ୍ଟର ୧୩ର ୨ ନମ୍ବର ଗଡ଼ା ନିକଟରେ ଏକ ବିଟ୍ ହାଉସ୍ ହେବା ନେଇ ସ୍ଥାନ ଚିହ୍ନଟ ହୋଇଥିଲା।

ସିଡିଏ ଏଥିପାଇଁ ଜମି ବି ଯୋଗାଇ ଦେଇଥିଲା। କିନ୍ତୁ ପରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଷ୍ଟ୍ରିଟ୍ ଲାଇଟ୍ ଓ ବିଟ୍ ହାଉସ୍ ପାଇଁ ସ୍ଥାନୀୟ ବାସିନ୍ଦାମାନେ ୨୦୧୮ ପରଠାରୁ ବାରମ୍ବାର ଡିସିପି, ଜିଲ୍ଲାପାଳ, ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି। କିନ୍ତୁ ଦାବି ପୂରଣ ହେଲାନାହିଁ। ସେକ୍ଟର ୧୩ ବାସିନ୍ଦାଙ୍କୁ ପୁଣି ଅନ୍ଧାରରେ ରହିବାକୁ ଏକ ପ୍ରକାର ଛାଡ଼ି ଦିଆଯାଇଛି। ଗଲା ୭ ଦିନ ଭିତରେ ଏହି ଅଞ୍ଚଳରେ ୪ଟି ସିରିଜ୍ ଲୁଟ୍ ହୋଇଛି। ଡାକ୍ତର ମନୋଜ ପଟ୍ଟନାୟକଙ୍କ ଘରୁ ୪ଟି ମୋବାଇଲ୍ ଚୋରି ହୋଇଥିବା ବେଳେ ସୁଶାନ୍ତ ଦାସଙ୍କ ଘରୁ ୨ଟି ମୋବାଇଲ୍ ଓ ୧୦ ହଜାର ଟଙ୍କା ଚୋରି ହୋଇଛି। ସେହିଭଳି ଆଉ ଜଣେ ବ୍ୟକ୍ତିଙ୍କ ଘରୁ ନିଶାଡ଼ିମାନେ ଟଙ୍କା ଛଡ଼ାଇ ନେଇଥିବା ବେଳେ ଅନ୍ୟ ଜଣେ ପଡ଼ୋଶୀଙ୍କ ଘରୁ ମଧ୍ୟ ଚୋରି ହୋଇଥିବା ସେକ୍ଟର ୧୩ ଆବାସିକ ସଂଘର ସମ୍ପାଦକ ସୋମରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

୧୮୭ ଏକର ଜମିକୁ ନେଇ ଗଠିତ ସେକ୍ଟର ୧୩ରେ ମାତ୍ର ଦୁଇ ଜଣ ପୁଲିସ କର୍ମଚାରୀ ବାଇକରେ ଆସି ପାଟ୍ରୋଲିଂ କରୁଛନ୍ତି। ପିସିଆର୍ ଭ୍ୟାନ୍ କେବେ ଆସୁନାହିଁ। ତେବେ ଏଭଳି ପରିସ୍ଥିତିରେ ସୁରକ୍ଷା କିଭଳି ମିଳିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଦୈନିକ ରାତି ରାତି ପ୍ରାୟ ୮ଟାରୁ ୧୨ଟା ଯାଏ ସ୍ଥାନୀୟ ଲୋକେ ଠେଙ୍ଗାବାଡ଼ି ଧରି ବୁଲୁଥିବା ବେଳେ ବିଟ୍ ହାଉସ ନଖୋଲି ପୁଲିସ ଓଲଟି ପାଟ୍ରୋଲିଂରେ ସାହାଯ୍ୟ କରିବାକୁ ଦୁଇ ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ମାଗୁଥିବା ଆବାସିକ ସଂଘ ଅଭିଯୋଗ କରିଛି। ସିଡିଏ ଫେଜ ୨ ଥାନା ଆଇଆଇସି ସନ୍ଧ୍ୟାରାଣୀ ସିଂହ କହିଛନ୍ତି ଯେ ସେକ୍ଟର ୧୩ରେ ଦିନ ୨ଟାରୁ ରାତି ୧୦ ଓ ରାତି ୧୦ରୁ ଭୋର୍ ୫ଟା ପର୍ଯ୍ୟନ୍ତ ଦୁଇ ଜଣ ପୁଲିସ କର୍ମଚାରୀ ସ୍ବତନ୍ତ୍ର ଭାବେ ସେକ୍ଟର ପାଟ୍ରୋଲିଂ କରୁଛନ୍ତି। ବିଟ୍ ହାଉସ୍ ଖୋଲିବା ସମ୍ପର୍କରେ ବିଚାରବିମର୍ଷ କରାଯିବ।

ସମ୍ବନ୍ଧିତ ଖବର