ଚୌଦ୍ବାରର ଦୁଃଖ ୫୫ ନମ୍ବର ଜାତୀୟ ରାଜପଥ: ସାଢ଼େ ୩ ବର୍ଷ ବିତିଲା, ଆଉ କେତେବର୍ଷ?

ଚୌଦ୍ବାର: ଚୌଦ୍ବାର ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ସ୍ଥିତି ଏମିତି ଯେ ଏ ରାସ୍ତା ଦେଇ ଏବେ ଆଉ ଲଙ୍ଗ୍‌ ରୁଟ୍ ବସ୍ ବି ଚଳାଚଳ କରୁ ନାହାନ୍ତି। ରାଉରକେଲା, ସମ୍ବଲପୁର ଓ ଅନ୍ୟାନ୍ୟ ଦୂରଦୂରାନ୍ତର ବସ୍‌ ସେମାନଙ୍କ ରୁଟ୍ ଚେଞ୍ଜ୍ କରି ସାରିଲେଣି। ଏଭଳି ସ୍ଥିତି ଆଉ କେତେ ଦିନ ଲାଗି ରହିବ, ତାହାକୁ ନେଇ ସମସ୍ତେ ଆଶଙ୍କାରେ। ଏହା ସହ ଅଞ୍ଚଳରେ ଅସନ୍ତୋଷ ବି ବଢିବାରେ ଲାଗିଛି।

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ, ଗୋଡ଼ କାଢ଼ିଲେ ବିପଦ
ବର୍ଷ ବର୍ଷ ଧରି ଚୌଦ୍ବାରର ଏହି ରାଜପଥର କାମ ଶେଷ ହେଉନି। ଜାତୀୟ ରାଜପଥ ଦେଇ ଯିବାକୁ ଭୟ ଲାଗୁଛି। ଗୋଡ଼ କାଢିଲେ ବିପଦ ଥିବା ଭଳି ମନେ ହେଉଛି। ବର୍ଷା ଦିନେ ଏହି ରାଜପଥରେ ଚାରି ଚକିଆ ଯାନ ବି ଯିବା ଅସମ୍ଭବ ହୋଇ ପଡିଲା।
ଜ୍ୟୋତ୍ସ୍ନାରାଣୀ ଦାସ, ଗୃହିଣୀ, ଓଟିଏମ୍ କଲୋନି

ପେଟକୁ ଦାନା, ଦେହକୁ କନା ଯୋଗାଡ଼ କରିବା କଷ୍ଟ ହେଉଛି
ଧୂଳି, ଧୁଆଁ ଖାଇ ଆମେ ଅଣନିଃଶ୍ବାସୀ ହୋଇପଡିଲୁଣି। ଗ୍ରାହକ ଆସୁ ନାହାନ୍ତି ଦୋକାନକୁ। ରାସ୍ତାରେ ଲାଇନ୍ ନଥିବାରୁ ସଂଧ୍ୟାରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହୁଥିବା ବେଳେ ଚୋରମାନେ ଏହାର ସୁଯୋଗ ନେଉଛନ୍ତି। ଅନ୍ଧାରର ସୁଯୋଗ ନେଇ ଦୋକାନରୁ ଲୁଟ୍ କରାଯାଉଛି। ଏପରିକି ଦିନ ସାରା ଦୋକାନ ଖୋଲିଲେ ମଧ୍ୟ ଗ୍ରାହକ ଆସୁ ନାହାନ୍ତି। ପେଟକୁ ଦାନା, ଦେହକୁ କନା ଯୋଗାଡ଼ କରିବାକୁ କଷ୍ଟ ହେଉଛି।
ଜଗନ୍ନାଥ ମହାରଣା, ବ୍ୟବସାୟୀ, ଧୂମାବତୀ ବଜାର

ପାଣି ପଶିଲା ପରେ ହୋଟେଲ୍‌ ବନ୍ଦ କରିଦେଲି
୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ ଚୌଦ୍ବାରବାସୀଙ୍କ ପ୍ରତି ପ୍ରତାରଣା କରିଛନ୍ତି। ଶିଳ୍ପସମୃଦ୍ଧ ଚୌଦ୍ବାର ସହର ମଧ୍ୟ ଦେଇ ଯାଇଥିବା ଏହି ରାଜପଥରେ ହଜାର ହଜାର ବ୍ୟବସାୟୀ ଓ ସାଧାରଣ ଜନତା ବହୁ ଦୟନୀୟ ଅବସ୍ଥାରେ ଅଛନ୍ତି। ମୋ ହୋଟେଲରେ ବହୁ ଟଙ୍କା ଖଟାଇବା ପରେ ଶେଷରେ ବାରଦୁଆର ଶୁଣ୍ଢିପିଣ୍ତା ହେଲି। ରାଜପଥ ଭଙ୍ଗା ହେଲା ପରେ ହୋଟେଲରେ ପାଣି ପଶିଲା। ଆଉ ଗ୍ରାହକ ଆସିଲେନି କି ମୁଁ କର୍ମଚାରୀଙ୍କୁ ଦରମା ଦେଇ ପାରିଲିନି। ସେଥିପାଇଁ ମୋ ହୋଟେଲ ବନ୍ଦ ହୋଇଗଲା।
ସନ୍ଦୀପ କାନୁନଗୋ,
ହୋଟେଲ ମାଲିକ, ତାରିଣୀବଜାର, କପାଳେଶ୍ବର

ନିର୍ବାଚନରେ ଚୌଦ୍ବାରବାସୀ ଉଚିତ୍ ଜବାବ୍ ଦେବେ
ଦୀର୍ଘ ସାଢେ଼ ୩ବର୍ଷ ହେବ ଆମ ଭଳି ଛୋଟ ବ୍ୟବସାୟୀମାନଙ୍କ ପେଟକୁ ସରକାର ନାତ ମାରିଛନ୍ତି। କରୋନା ମହମାରୀ ସମୟରେ ଚୌଦ୍ବାରରେ ଛୋଟ ଛୋଟ ବ୍ୟବସାୟୀ ରାସ୍ତାକଡ଼ରେ ବସି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଜାତୀୟ ରାଜପଥ ଭଙ୍ଗାଯିବା ପରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହେଉନାହିଁ। ଏଥିପାଇଁ ପ୍ରଶାସନ ମଧ୍ୟ କୌଣସି ହସ୍ତକ୍ଷେପ କରୁନାହିଁ। ବିଶେଷକରି ଏ ଅଂଚଳରେ ଥିବା ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ଓ ନେତାମାନଙ୍କ ଦେଖା ମିଳୁନାହିଁ। ଆମେ ଏକ ହଜାରରୁ ଉର୍ଦ୍ଧ୍ବ ବ୍ୟବସାୟୀ ନିଜ ପରିବାରର ପ୍ରତିପୋଷଣ ପାଇଁ ଦୟନୀୟ ଅବସ୍ଥାରେ ଥିବା ବେଳେ ଆଗାମୀ ପୌର ଓ ପଂଚାୟତ ନିର୍ବାଚନରେ ଏହାର ଉଚିତ୍ ଜବାବ୍ ଦେବୁ।
ଧୀରରଂଜନ ସିଂ,
ବ୍ୟବସାୟୀ, ମରହଟ୍ଟାସାହି

ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଉଚିତ୍
ଦୀର୍ଘ ୩ ବର୍ଷ ହେବ ଚୌଦ୍ବାର ମଧ୍ୟ ଦେଇଯାଇଥିବା ଏହି ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ନ ହେବା ଘଟଣା ଦୁର୍ଭାଗ୍ୟଜନକ। ସ୍ଥାନୀୟ ବିଧାୟକ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାସ୍ତା କାମ ଶୀଘ୍ର ସାରିବା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କୁ ଚିଠି ଲେଖି ଜଣାଇଥିଲେ। ଜନସାଧାରଣଙ୍କ ହିତ ପାଇଁ ସମୂହ ଉଦ୍ୟମ ହେବା ଉଚିତ।
ଜ୍ଞାନେନ୍ଦ୍ର ସ୍ବାଇଁ,
ବିଜେପି ଓବିସି ମୋର୍ଚ୍ଚା ସାଧାରଣ ସଂପାଦକ

ସମ୍ବନ୍ଧିତ ଖବର