ଜଗତପୁର: ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଆଦିବାସୀ ଅଧ୍ୟୁଷିତ ବସ୍ତିଅଞ୍ଚଳରେ ଦିଗହରା ହୋଇଛି। ଏଠାରେ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେବା ଦୂରର କଥା, ମୌଳିକ ସୁବିଧାସୁଯୋଗ ବି ବସ୍ତିବାସିନ୍ଦାଙ୍କ ପାଖରେ ପହଞ୍ଚି ପାରୁନି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଜଗତପୁର ନୂତନ ଶିଳ୍ପାଞ୍ଚଳ ସଂଲଗ୍ନ ଚମ୍ପତି ପଞ୍ଚାୟତ ସୁନାରିବଣ ଆଦିବାସୀ ବସ୍ତିରେ।
ସାଧାରଣ ଲୋକେ କିଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ନ ହେବେ ସେଥିପ୍ରତି ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇ ଆସୁଛନ୍ତି। ଏଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି। କିନ୍ତୁ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ସୁନାରିବଣ ଆଦିବାସୀ ବସ୍ତିବାସିନ୍ଦାଙ୍କ ପାଖରେ ପରିଚୟପତ୍ର ଆଧାରକାର୍ଡ ନାହିଁ। ସରକାରଙ୍କ ନିୟମ ଅନୁଯାୟୀ, ଆଧାରକାର୍ଡ ନଥିବାରୁ ସେମାନେ ରାସନକାର୍ଡ, ବିଜୁ ସ୍ୱାସ୍ଥ୍ୟ ଯୋଜନା ଭଳି ବିଭିନ୍ନ ଯୋଜନାରୁ ବଞ୍ଚିତ। ପ୍ରାୟ ୩୦ବର୍ଷ ଧରି ଏହି ବସ୍ତିରେ ଶହେରୁ ଅଧିକ ପରିବାର ବସବାସ କରି ଆସୁଛନ୍ତି। ସେମାନଙ୍କ ଭିତରୁ ୩୫ରୁ ଅଧିକ ପରିବାରର ସଦସ୍ୟ ମାନଙ୍କର ଆଜିଯାଏ ଆଧାରକାର୍ଡ, ରାସନ୍କାର୍ଡ ସୁବିଧା ହୋଇପାରୁନାହିଁ।
କେବଳ ଭୋଟ୍ ଦେବା ପାଇଁ ସେମାନଙ୍କୁ ଭୋଟର ପରିଚୟପତ୍ର ଖଣ୍ଡିଏ କରି ଦିଆଯାଇଛି। ରାସନ୍କାର୍ଡ ନ ଥିବାରୁ ସେମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସ୍ମାର୍ଟ କାର୍ଡ ସେବାରୁ ବଞ୍ଚିତ। ସେହିପରି ବସ୍ତିର ଉପରମୁଣ୍ଡ ନଦୀବନ୍ଧରେ ଏକ ପାନୀୟଜଳ ଟାଙ୍କି ନିର୍ମାଣ କରାଯାଇଥିଲେ ବି ପାଣି ଟୋପାଏ ଠିକ୍ ସମୟରେ ମିଳୁନାହିଁ। ଏବେ ବିଭିନ୍ନ ସ୍ଥାନରେ ପାଇପ୍ ଫାଟିଥିବା ଯୋଗୁଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଛି। ଫଳରେ ବସ୍ତିବାସିନ୍ଦା ଲୁହାଗୁଣ୍ଡମିଶ୍ରିତ ନଳକୂପ ପାଣି ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ନେଇ ଅନେକ ସମୟରେ ବସ୍ତିବାସିନ୍ଦାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ଦେଖାଯାଇଛି। ବସ୍ତିବାସିନ୍ଦାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ଯୁବକାର୍ଯ୍ୟକର୍ତ୍ତା ଅଜିତ କୁମାର ଭୂୟାଁଙ୍କ ସମେତ ବସ୍ତିବାସିନ୍ଦାଙ୍କ ପକ୍ଷରୁ ମୁରବି ରାଜେନ୍ଦ୍ର ଗାଗରାଇ, ଭରତ ଦିଗି, ରମେଶ ପିଙ୍ଗୁଆ, ସାବିତ୍ରୀ ତିୟୁ, ସିନା ପ୍ରଧାନ, ସବିତା ସଏ, ପୁତୁଲି ପାଳିଆ, ଚମ୍ପା ପିଙ୍ଗଲ, ରମା ମହାକୁଡ, ଶିବ ସିଂ, ମମତା ସାମଲ ଓ ସହଦେବ ଦିଗି ପ୍ରମୁଖ ଦାବି ଜଣାଇଛନ୍ତି।