କଟକ: ମହାନଗର ନିଗମର ୪୫ ନମ୍ବର ୱାର୍ଡ ଖାନନଗରଠାରେ ନିର୍ମାଣ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ପକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ବସ୍‌ ଟର୍ମିନାଲ ହେବାକୁ ଥିବା ଜାଗାର ଆଖପାଖ ଅଞ୍ଚଳରେ ଥିବା ସରକାରୀ ଜମି ଉପରେ ଏବେ ନଜର ପକାଇଲେଣି ଜବରଦଖଲକାରୀ। ସେହିସବୁ ସ୍ଥାନକୁ କିଛି ଲୋକ ନିଜ କବଜାକୁ ନେବାକୁ ବସିଥିବା ଅଭି‌ଯୋଗ ହୋଇଛି। ଖାନନଗର ରିଂ-ବନ୍ଧ ରାସ୍ତା ହେଉ କି’ ବାଦାମବାଡ଼ିରୁ ମଲାଚଣ୍ଡିଆ ଛକ ରାସ୍ତାପାର୍ଶ୍ବ ଅଞ୍ଚଳକୁ ଏବେ ଜବରଦଖଲରେ ନେବାକୁ ଉଦ୍ୟମ ଆରମ୍ଭ ହୋଇଛି।
ଭୁବନେଶ୍ବର ପରେ କଟକ ଖାନନଗରଠା‌ରେ ଆଉ ଏକ ବିଶ୍ବସ୍ତରୀୟ ବସ୍‌ ଟର୍ମିନାଲ କରିବାକୁ ରାଜ୍ୟ ସରକାର ଗତ ୧୩ ତାରିଖରେ ଘୋଷଣା କରିଥିଲେ। ସିଏମସି ୪୫ ନମ୍ବର ୱାର୍ଡ ଖାନନଗରଠାରେ ୧୨ ଏକର ଜମିରେ ୬୫ କୋଟି ଟଙ୍କା ଖର୍ଚ୍ଚରେ ଏହା କରାଯିବ ବୋଲି କୁହାଯାଇଛି। ଏଥିରେ ସିଏମ୍‌ସିର ଅନେକ କାର୍ଯ୍ୟାଳୟ ଭାଙ୍ଗାଯିବ।

Advertisment

ପ୍ରଶାସନ ପକ୍ଷରୁ ଏବେ ଏଥିପାଇଁ ଜାଗା ଚିହ୍ନଟ ପକ୍ରିୟା ଆରମ୍ଭ ହୋଇଛି। ସେପଟେ ବସ୍‌ ଟର୍ମିନାଲ ନିର୍ମାଣ ହେବାକୁ ଥିବା ଅଞ୍ଚଳର ଆଖପାଖରେ ଥିବା ସରକାରୀ ଜମି ଉପରେ ଅସାଧୁ ଲୋକଙ୍କ ନଜର ପଡିଲାଣି। ବିଶେଷ ଭାବେ ଖାନନଗର ଅଞ୍ଚଳର ନଦୀ ବନ୍ଧପାର୍ଶ୍ବ ଓ ବାଦାମବାଡିରୁ ମଲାଚଣ୍ଡିଆ ଛକକୁ ଯିବା ରାସ୍ତା (ସିଏମ୍‌ସି ଚାରା କେନ୍ଦ୍ର) ପାର୍ଶ୍ବରେ ଏକାଧିକ କ୍ୟାବିନ ବସିଲାଣି। ପୂର୍ବରୁ ଏହା ନଥିବା‌ ବେଳେ ଗତ କିଛିଦିନ ମଧ୍ୟରେ ସେଗୁଡିକ ବସିଥିବା ଅଭିଯୋଗ ହୋଇଛି। ଏପରିକି ରାସ୍ତାପାର୍ଶ୍ବ ବାଲି ଓ ଚିପ୍‌ସ ଗଦାଇ କିଛି ଲୋକଜମିକୁ ନିଜ ଅକ୍ତିଆରରେ ରଖିଥିବା ଅଭିଯୋଗ ହୋଇଛି। ବସ୍‌ ଟର୍ମିନାଲ ନିର୍ମାଣ ସହିତ ଖାନନଗର ରିଂ-ବନ୍ଧ ରାସ୍ତାକୁ ୬ ଥାକିଆ କରିବାକୁ ସରକାର ଘୋଷଣା କରିଛନ୍ତି। ଏଥିପାଇଁ ଅନେକ କ୍ୟାବନ ନଦୀବନ୍ଧ ପାର୍ଶ୍ବରେ ନୂଆ ଭାବେ ବସୁଥିବାର ଦେଖିବାକୁ ମିଳିଛି। ପ୍ରଶାସନ ନୂଆ ଭାବେ ବସୁଥିବା କ୍ୟାବିନ୍‌ ଓ ବାଲି କିମ୍ବା ଚିପସ୍‌ ପକାଇ ଜବରଦଖଲରେ ରଖାଯାଉଥିବା ଜାଗା ଉପରେ ନଜର ରଖିବାକୁ ସାଧାରଣରେ ଦାବି ହୋଇଛି।