୨୦୦୧ରୁ ଆରମ୍ଭ ହେଲା ଦୁର୍ଦ୍ଦଶା, ଓଟିଏମ୍‌ କଲୋନି ବାସିନ୍ଦାଙ୍କ ଦୁଃଖ ଦୂର ହେବ କେବେ?

ଚୌଦ୍ବାର: ଓଡ଼ିଶାର ସର୍ବପୁରାତନ ଲୁଗାକଳ ଓଟିଏମ୍ ୩୧.୭.୨୦୦୧ରେ ବନ୍ଦ ହୋଇଥିଲା। ଓଟିଏମ୍ ଲେବର କଲୋନିର ୧୧୫୦ ଓ ଷ୍ଟାଫ୍ କଲୋନିର ୧୦୦ରୁ ଅଧିକ କ୍ବାର୍ଟର ବାସିନ୍ଦାଙ୍କର ମୌଳିକ ସମସ୍ୟା ସେହି ଦିନ ଠାରୁ ଦୁର୍ବିସହ ହେବାରେ ଲାଗିଛି। ଓଟିଏମ୍ ବନ୍ଦ ହେବା ପରେ ୬୯୮ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୨୯ଜଣ ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ଓଟିଏମ୍ ଲୁଗାକଳରେ ୧୯୮୧ ମସିହା ପୂର୍ବରୁ ୮ହଜାର ଶ୍ରମିକ ଓ କର୍ମଚାରୀ କାମ କରୁଥିବା ବେଳେ ଶେଷ ବେଳକୁ ଶ୍ରମିକମାନଙ୍କ ସଂଖ୍ୟା ୪ ହଜାର ପାଖାପାଖି ହୋଇଥିଲା। ଚୌଦ୍ବାର ପୌରପାଳିକାର ୭, ୮, ୧୧ ଓ ୧୨ ନମ୍ବର ୱାର୍ଡ଼ ପରିସରଭୁକ୍ତ ଥିବା ଏହି ଅଂଚଳ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ପାଇବାରୁ ବଂଚିତ ହୋଇଛନ୍ତି। ଓଟିଏମ୍ କ୍ବାର୍ଟରଗୁଡ଼ିକର ଛାତ ଭାଙ୍ଗି ଗଲାଣି।

ସଂପୂର୍ଣ୍ଣ ଅଞ୍ଚଳରେ ଏଯାଏ ପାନୀୟ ଜଳ କି ପରିମଳ ବ୍ୟବସ୍ଥା କରାଯାଇ ପାରିନାହିଁ। ଓଟିଏମ୍ ବନ୍ଦ ହେଲାବେଳକୁ ପାଖାପାଖି ୩୭୦୦ ଶ୍ରମିକ ଓଟିଏମ୍ କଲୋନି ସମେତ ଚୌଦ୍ବାର ଅଂଚଳରେ ରହୁଥିବା ବେଳେ ବହୁ ଶ୍ରମିକ ଦାଦନ ଖଟିବା ସହ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ବିଭିନ୍ନ ଜାଗାରେ କାର୍ଯ୍ୟ କରୁଛନ୍ତି। ଅନେକ କିନ୍ତୁ ବକେୟା ପ୍ରାପ୍ୟ ପାଇବା ଆଶାରେ ଏଠାରେ ପଡି ରହି ଅଭାବ ଅନଟନରୁ ଆତ୍ମହତ୍ୟା କରିବା ସହ ରୋଗରେ ପୀଡ଼ିତ ହୋଇ ବିନା ଚିକିତ୍ସାରେ ମୃତ୍ୟୁବରଣ କରିଛନ୍ତି। ମୌଳିକ ସୁବିଧାରୁ ବଂଚିତ ହେବା ଘଟଣାକୁ ନେଇ ଅତିଷ୍ଠ ବହୁ ବୁଦ୍ଧିଜୀବୀ ଆଗାମୀ ପୌର ନିର୍ବାଚନରେ ଭାଗ ନ ନେବାକୁ ଲୋ‌କଙ୍କୁ ଆହ୍ବାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଓଟିଏମ୍‌ କଲୋନିରେ ଲକ୍ଷ୍ମୀ ରହୁଥିଲେ
ଓଟିଏମ୍‌ କଲୋନିରେ ୧୯୬୪ ମସିହାରୁ ରହିଆସୁଛି। ଓଟିଏମ୍‌ରେ କିରାଣୀ ଭାବେ କାମ କରୁଥିବା ବେଳେ ୨୦୦୧ରେଏହା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା। ଓଟିଏମ୍‌ ବନ୍ଦ ହୋଇଯିବାରୁ କଲୋନିର ୧୨ଶହରୁ ଅଧିକ ଲୋକ ରୋଜଗାର ହରାଇଲେ। ଯେଉଁ ମାନଙ୍କ ପିଲାମାନେ କାମରେ ଲାଗିଛନ୍ତି ସେମାନଙ୍କ ଅବସ୍ଥା ଟିକେ ଭଲ ଥିବା ବେଳେ ଅନ୍ୟମାନେ ମଜୁରୀ ଲାଗି ପରିବାର ଚଳାଉଛନ୍ତି। ୨୦ ବର୍ଷ ପୂର୍ବରେ ଓଟିଏମ୍‌ କଲୋନି ଓ ଏହାର ଆଖପାଖ ଅଞ୍ଚଳରେ ଲକ୍ଷ୍ମୀ ବିରାଜମାନ କରୁଥିବାର କୁହ‌ାଯାଉ ଥିଲା। ମାତ୍ର ଏବେ ଚିତ୍ର ପୁରା ବଦଳି ଯାଇଛି।
ବିଜୟକେତନ ଦାସ, ଓଟିଏମ୍‌ର କର୍ମଚାରୀ

ବୁଢା ବୟସରେ ବି ମୂଲ ଲାଗିବାକୁ ଯାଉଛି
ଓଟିଏମ୍‌ ବନ୍ଦ ହୋଇଯିବା ପରେ ଆମର ଅବସ୍ଥା ଅତି ଖରାପ ହୋଇଯାଇଛି। ୫୫ ବର୍ଷ ଧରି କଲୋନିରେ ମୁଁ ରହି ଆସୁଛି। କମ୍ପାନି ବନ୍ଦ ହୋଇ ଯିବାରୁ ବୃଦ୍ଧ ବୟସ‌ରେ ବି ମୂଲ ଲାଗିବାକୁ ବାହାରକୁ ଯାଉଛି। ଅନ୍ୟପଟେ କଲୋନିରେ ୧୨ଶହ ପରିବାର ରହୁଥିଲେ ବି ଏଥିପ୍ରତି ପ୍ରଶାସନ କି ପୌର ପରିଷଦ ଦୃଷ୍ଟି ଦେଉ ନାହିଁ। କଲୋନିକୁ ନିୟମିତ ପାଣି କି ଆଲୋକ ଆସୁନାହିଁ। ଅଳିଆ ଓ ଡ୍ରେନ ସଫା ହେଉ ନଥିବାରୁ ଦିନ ସମୟରେ ବି ମଶା ଘରେ ଓ ବାହାରେ କାମ କରିବାକୁ ଦେଉ ନାହାନ୍ତି।
ଅଭିରାମ ଭୂୟଁା, ଓଟିଏମ୍‌ କର୍ମଚାରୀ

Sambad

ପାଣି, ଆଲୋକ ଓ ପରିମଳ ପରି ମୌଳିକ ସମସ୍ୟା ରହିଛି
୧୯୮୦ରେ ଓଟିଏମ୍‌ରେ କାମ ପାଇଥି‌ଲି। ସେବେଠାର ଏଠାରେ କ୍ବାର୍ଟର୍ସ ପାଇ ରହି ଆସୁଛି। କମ୍ପାନି ବନ୍ଦ ହୋଇଯିବାର କିଛି ବର୍ଷ ପରେ ଏକ ଦୁର୍ଘଟଣାରେ ମୋର ଗୋଡ ଭାଙ୍ଗିଗଲା। ଭଙ୍ଗା ଗୋଡରେ କାମ କରିବା ମୋ ପାଇଁ ଆଉ ସମ୍ଭବ ହେଲାନି। ବହୁ କଷ୍ଟରେ ଏବେ ଚଳିବାକୁ ପଡୁଛି। କଲୋନିରେ ପାଣି, ଆଲୋକ, ପରିମଳ ଓ ଡ୍ରେନପରି ମୌଳିକ ସମସ୍ୟା ଲାଗି ରହିଛି।
କବିକର୍ଣ୍ଣ ଦାସ, ଓଟିଏମ୍‌ କର୍ମଚାରୀ

ଭଙ୍ଗା ଛାତ ତଳେ ଜରି ଟାଣି ରହୁଛୁ
୧୯୬୫ରୁ ଚୌଦ୍ବାର ଓଟିଏମ୍ କଲୋନିରେ ରହି ଆସୁଛି। ଓଟିଏମ୍‌ ବନ୍ଦ ହୋଇଯିବା ପରେ ଆମର ରୋଜଗାର ଶୂନ ହୋଇଗଲା। କେବଳ କଲୋନିରେ ରହୁଥିବା ଘରଟି ଆମ ପାଖରେ ରହିଗଲା। ଏବେ ମୁଁ ରହୁଥିବା କ୍ବାର୍ଟର ଛାତରୁ ପାଣି ଗଳୁଛି। ପେଟକୁ ଦାନା ଦେବାକୁ ମୂଲ ଲାଗିବାକୁ ପଡୁଛି। ପରିବାର ଚଳିବା ପାଇଁ ଟଙ୍କା ନଥିବା ବେଳେ ଛାତର ମରାମତି ପାଇଁ କେଉଁଠାରୁ ଟଙ୍କା ଆଣିବି ତାହା ଚିନ୍ତା କରୁଛି। ଭଙ୍ଗା ଛାତ ତଳେ ଜରି ଟାଣି ରହିବାକୁ ପଡୁଛି।
ବ୍ରଜବନ୍ଧୁ ଜେନା, ଓଟିଏମ୍‌ କର୍ମଚାରୀ

୨ ମାସରେ ଥରେ ଅଳିଆ ଉଠୁଛି
ଓଟିଏମ୍‌ କଲୋନିର ଅବସ୍ଥା ଅତି ଖରାପ ହୋଇଯାଇଛି। ୨୨ ବର୍ଷ ପୂର୍ବେ ଓଟିଏମ୍ ବନ୍ଦ ସମୟରେ କିଛି ଟଙ୍କା ପାଇଥିଲୁ। ସେଥିରେ ୨ରୁ ୩ ବ‌ର୍ଷ ଚଳିଗଲୁ। ଏବେ ଆମର ବୟସ ଅଧିକ ହୋଇଯିବାରୁ କାମ କରିବାକୁ ବାହାରକୁ ଯାଇ ପାରୁନାହୁଁ। ସରକାରଙ୍କ ଠାରୁ ପାଉଥିବା ଏକ ହଜାର ଟଙ୍କାର ପେନସନ୍‌ରେ ଚଳିବାକୁ ପଡୁଛି। କଲୋନରି ପରିମଳ ବ୍ୟବସ୍ଥା ଅତି ଖରାପ ଅବସ୍ଥାରେ ଅଛି। କଲୋନି ପରିସରରେ ୨ ଦୁଇ ମାସ ଧରି ଅଳିଆ ଗଦା ହେବା ପରେ ଏହାକୁ ଉଠାଯାଉଛି।
ହେମଲତା ସାହୁ, କଲୋନି ବାସିନ୍ଦା

ଖରା ଦିନେ ପିଇବା ପାଣି ଗୁରୁତର ହେଉଛି
ଓଟିଏମ୍‌ କଲୋନିରେ ଡ୍ରେନ ଓ ପିଇବା ପାଣିର ସମସ୍ୟା ସବୁଠାରୁ ଅଧିକ ରହିଛି। ଦୀର୍ଘ ବର୍ଷଧରି ଡ୍ରେନ ମରାମତି ଓ ସଫା ହୋଇ ନଥିବାରୁ ବର୍ଜ୍ୟ ଓ ବର୍ଷା ପାଣି ନିଷ୍କାସନରେ ସମସ୍ୟା ହେଉଛି। ପାଣି ଜମି ରହିବାରୁ ମଶା ଓ ମାଛିଙ୍କ ବଂଶ ବଢୁଛି। ପିଇବା ପାଣି ନିୟମିତ ଭାବେ ଆସୁନାହିଁ। ବିଶେଷ ଭାବେ ଖରାଦିନରେ ଏହି ସମସ୍ୟା ଅତି ଗୁରୁତର ହେଉଛି। ଏହାର ସମାଧାନ କରିବା ଦିଗରେ ପ୍ରଶାସନ ଦୃଷ୍ଟି ଦେଉ।
ଗୌରୀ ଦାସ, କଲୋନି ବାସିନ୍ଦା

ସମ୍ବନ୍ଧିତ ଖବର