ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

ହକି ତାରକାଙ୍କ ବିରୋଧରେ ହତ୍ୟା ଅଭିଯୋଗରେ ପୁଲିସ ନିଷ୍କ୍ରିୟତା ମାମଲା

କଟକ: ବନ୍ଧୁ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରା। ବୀରେନ୍ଦ୍ରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଆନନ୍ଦଙ୍କ ପିତା ବନ୍ଧନ ଟପ୍ପୋ। ହକି ତାରକା ବୀରେନ୍ଦ୍ରଙ୍କ ବିରୋଧରେ ହତ୍ୟା ଅଭିଯୋଗ ନେଇ ଦିଆଯାଇଥିବା ଏତଲା ପୁଲିସ ଗ୍ରହଣ କରୁନାହିଁ। ଇତିମଧ୍ୟରେ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁକୁ ୭ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୁଲିସ ମୃତକଙ୍କ ବାପାଙ୍କ ଏତଲାକୁ ପଞ୍ଜୀକରଣ କରି ନାହିଁ। ଏଭଳି ଅଭିଯୋଗକୁ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ନଭେମ୍ବର ୨୩ ତାରିଖ ଦିନ ଇନଫୋସିଟି ଥାନା ଆଇଆଇସିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭର୍ଚୁଆଲ ମୋଡ଼ରେ ଆଇଆଇସି ବ୍ୟକ୍ତିଗତ ଭାବେ ହାଜର ହୋଇ ମାମଲାରେ ପକ୍ଷ ରଖିବେ। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବନ୍ଧନ ଟପ୍ପୋଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ଟପ୍ପୋଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ବୀରେନ୍ଦ୍ର ଓ ଆନନ୍ଦ ପିଲାଦିନର ସାଙ୍ଗ ଥିଲେ। ଗତ ଫେବ୍ରୁଆରି ୨୮ ତାରିଖରେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଏକ ଫ୍ଲାଟରେ ବେକରେ ଶାଢୀ ଦେଇ ଆନନ୍ଦ ଆତ୍ମହତ୍ୟା କରିଥିବା ନେଇ ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ। ମୃତ ଶରୀରର ବେକରେ ୨ଟି ଦାଗ ରହିଥିଲା। କିଛି ଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ। ଆନନ୍ଦ ଆତ୍ମହତ୍ୟା କରିବା ଭଳି କୌଣସି କାରଣ ନଥିଲା। ଆନନ୍ଦଙ୍କ ମୃତ ଶରୀର‌ର ବେକ ଓ ଅନ୍ୟ ସ୍ଥାନରେ ଥିବା ଦାଗରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆନନ୍ଦଙ୍କୁ ବୀରେନ୍ଦ୍ର ଓ ତାଙ୍କ ବାନ୍ଧବୀ ହତ୍ୟା କରିଥିବା ନେଇ ମୃତକଙ୍କ ବାପା ମାର୍ଚ୍ଚ ୧ରେ ଇନଫୋସିଟି ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଏହାକୁ ଗ୍ରହଣ କରି ନଥିଲା। ଏହାପରେ ଏପ୍ରିଲ ୧ରେ ସେ ଆଉ ଥରେ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଶୁଣି ନଥିଲା।

ମେ ୧୧ରେ ଏ ନେଇ ଆବେଦନକାରୀ ଭୁବନେଶ୍ବର ଡିସିପିଙ୍କୁ ଅବଗତ କରିଥିଲେ। କିଛି ପଦକ୍ଷେପ ନିଆ ନ ଯିବାରୁ ମେ ୧୭ରେ ସେ ପୁଲିସ କମିସନରଙ୍କୁ ଲିଖିତ ଅଭିଯୋଗ କରିଥିଲେ ଆବେଦନକାରୀ। କିନ୍ତୁ ଏହା ପରେ ବି ଆନନ୍ଦଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ଆବେଦନକାରୀ କରିଥିବା ଅଭିଯୋଗକୁ ପୁଲିସ ଗ୍ରହଣ କରି ନଥିଲା, କି ଏତଲା ପଞ୍ଜୀକରଣ କରି ନଥିଲା। କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ବସି ଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ବୀରେନ୍ଦ୍ର ଜଣେ ଡିଏସପି ହୋଇଥିବା ବେଳେ ଅପମୃତ୍ୟୁ ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ସବ୍-ଇନ୍ସପେକ୍ଟର ପାହ୍ୟା‌ର ଅଧିକାରୀ ହୋଇଥିବାରୁ ତଦନ୍ତ ଆଉ ଆଗେଇ ପାରୁ ନାହିଁ। ଏ ପର୍ଯ୍ୟନ୍ତ ଆନନ୍ଦଙ୍କ ମୃତ୍ୟୁ ଘଟଣାର ତଦନ୍ତରେ କୌଣସି ଅଗ୍ରଗତି ହୋଇ ନଥିବା ବେଳେ ପରିବାର ସଦସ୍ୟଙ୍କ ଅଭିଯୋଗକୁ ପୁଲିସ ତଦନ୍ତପରିସରଭୁକ୍ତ କରି ନାହିଁ। ଏହି ଘଟଣାର ସ୍ବାଧୀନ ଏଜେନ୍ସି ମାଧ୍ୟମରେ ବା କ୍ରାଇମବ୍ରାଞ୍ଚ ଦ୍ବାରା ତଦନ୍ତ କରାଗଲେ ପ୍ରକୃତ ଦୋଷୀ ଧରା ପଡନ୍ତେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର