କଟକ: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ କର୍କଟ ଚିକିତ୍ସା ଶାଖା (କ୍ୟାନସର ୱିଙ୍ଗ୍) ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି। ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ଓ ଆଉ ଦୁଇଟି ମହଲା କୋଠାରେ ପ୍ରଥମ ପର୍ଯ୍ୟାୟରେ ଏହି କର୍କଟ ଚିକିତ୍ସା ଶାଖା ଚାଲିବ। ଭବିଷ୍ୟତରେ ଆଉ ୪ଟି ମହଲାକୁ ଏହି ଚିକିତ୍ସା କେନ୍ଦ୍ର ସଂପ୍ରାସାରିତ ହେବ। ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ (କୋଠା)ଙ୍କ ତରଫରୁ ଏହି ନିର୍ମାଣ କାର୍ଯ୍ୟ ପାଇଁ ୨୦୨୩ ଫେବ୍ରୁଆରି ୨୨ରେ ଟେଣ୍ଡର ଆହ୍ବାନ କରାଯାଇଛି। ପ୍ରଥମ ମହଲାରେ ପେଟ୍-ସିଟି ସ୍କାନ ବ୍ୟବସ୍ଥା ପାଇଁ ଯୋଜନା କରାଯାଇଛି। ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ପେଟ୍ ସିଟି ପାଇଁ ସରଞ୍ଜାମ ଆଣିବା ପ୍ରକ୍ରିୟା ଆରମ୍ଭ ହେବ। ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ଦୁଇ ବର୍ଷ ଲାଗିବ ଓ ଏହାପରେ ପେଟ୍ ସିଟି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ।
ଏବେ ବାଲେଶ୍ବର ଓ ବ୍ରହ୍ମପୁରରେ ସମ୍ଭବ ନୁହେଁ
ହାଇକୋର୍ଟରେ କର୍କଟ କେନ୍ଦ୍ର ସଂପର୍କିତ ଜନସ୍ବାର୍ଥ ମାମଲାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଡାକ୍ତର ଏ. କେ. ମହାନ୍ତି ଏଭଳି ସତ୍ୟପାଠ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ବିମାନ ଚଳାଚଳ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ବ୍ରହ୍ମପୁର ଓ ବାଲେଶ୍ବରରେ ପେଟ୍ ସିଟି ବ୍ୟବସ୍ଥା କାର୍ଯ୍ୟକ୍ଷମ ସମ୍ଭବ ନୁହେଁ ବୋଲି ସତ୍ୟପାଠରେ ସ୍ପଷ୍ଟ କରାଯାଇଛି। ପେଟ୍ ସିଟି ପାଇଁ ଆବଶ୍ୟକ ଇସୋଟପ୍ସ ଭୁବନେଶ୍ବରରେ ପ୍ରସ୍ତୁତ କରାଯାଉ ନାହିଁ। ଏହା ଭୁବନେଶ୍ବରରେ ମଧ୍ୟ ଉପଲବ୍ଧ ନୁହେଁ। ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତାରୁ ଇସୋଟପ୍ସ ବିମାନ ଯୋଗେ ପରିବହନ କରାଯାଇ ଭୁବନେଶ୍ବର ଅଣାଯାଉଛି। ସାଇକ୍ଲୋେଟ୍ରାନ ପ୍ରସ୍ତୁତ ପାଇଁ ଇସୋଟପ୍ସ ଭୁବନେଶ୍ବରକୁ ପରିବହନ ପାଇଁ ପ୍ରାୟ ୪ ଘଣ୍ଟା ସମୟ ଲାଗୁଛି। ଏହାପରେ ଭୁବନେଶ୍ବରରୁ ଇସୋଟପ୍ସ ବ୍ରହ୍ମପୁର ଓ ବାଲେଶ୍ବରକୁ ସଡ଼କ ପଥରେ ପରିବହନ ପାଇଁ ଆଉ ପ୍ରାୟ ତିନି ଘଣ୍ଟା ଲାଗିବ। ପରିବହନ ପାଇଁ ମୋଟ ୭ ଘଣ୍ଟା ଲାଗିବାକୁ ଥିବାରୁ ବାଲେଶ୍ବର ଓ ବ୍ରହ୍ମପୁରରେ ଇସୋଟପ୍ସ ପହଞ୍ଚିବା ବେଳେକୁ ଏହା ବ୍ୟବହାର ଉପଯୋଗୀ ପ୍ରସଂଗ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ବାଲେଶ୍ବର ଓ ବ୍ରହ୍ମପୁର ଭଳି ସହରରେ ବିମାନ ସଂଯୋଗ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ପେଟ୍ ସିଟି କାର୍ଯ୍ୟକ୍ଷମ ସମ୍ଭବ ହୋଇ ନ ପାରେ ବୋଲି ରାଜ୍ୟ ସରକାରଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସତ୍ୟପାଠର କପି ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଅନିତା ବୁଦ୍ଧିଆଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ କଟକ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ପେଟ୍ ସିଟି ସ୍କାନ ସୁବିଧା ରୋଗୀଙ୍କ ପାଇଁ ଉପଲବ୍ଧ ହୋଇଥିବା ବେଳେ ବାଲେଶ୍ୱର, ବ୍ରହ୍ମପୁର, ଓ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ୍ରେ ଏହି ବ୍ୟବସ୍ଥା ପ୍ରଦାନ ପ୍ରସଂଗରେ ସତ୍ୟପାଠ ଦାଖଲ ପାଇଁ ଜାନୁଆରି ୪ରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
କର୍କଟ ରୋଗୀଙ୍କ ପାଇଁ ଉପଯୁକ୍ତି ଚିକିତ୍ସା ଓ ପରୀକ୍ଷା ବ୍ୟବସ୍ଥା ପ୍ରସଂଗକୁ ନେଇ ଅନିତା ବୁଦ୍ଧିଆ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। କର୍କଟ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ପ୍ରସଂଗ ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ସଭାପତି ଆଇନଜୀବୀ ଅଜୟ ମହାନ୍ତିଙ୍କ ପକ୍ଷରୁ ମଧ୍ୟ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରବର୍ତ୍ତୀ ସମୟରେ କର୍କଟ ରୋଗରେ ଅନିତାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ ଦ୍ବାରା ଦାୟର ମାମଲାର ଶୁଣାଣି ଚାଲିଛି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପ୍ରଥମେ ପେଟ ସିଟି ସ୍କାନ ବ୍ୟବସ୍ଥା ସରକାର କରିଥିଲେ। ଏହାପରେ ରାଜ୍ୟର ଅନ୍ୟ ସ୍ଥାନ ପ୍ରସଂଗରେ ମଧ୍ୟ କର୍କଟ ଆକ୍ରାନ୍ତଙ୍କ ପାଇଁ ଏହି ବ୍ୟବସ୍ଥା ପ୍ରସଂଗ ନେଇ ହାଇକାର୍ଟରେ ଶୁଣାଣି ଚାଲିଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ ଆଚାର୍ଯ୍ୟ ଓ ଆଇନଜୀବୀ ଅରୁଣ ବୁଦ୍ଧିଆ ମାମଲା ପରିଚାଳନା କରୁଛନ୍ତି।