ନାଳ ଉଭୟପାର୍ଶ୍ବରେ ଗଦାଯାଉଛି କୁଢ଼ କୁଢ଼ ଆବର୍ଜନା

ପୁନରୁଦ୍ଧାର ବଦଳରେ ପୋତାଯାଉଛି ପେଟାନାଳ

କଟକ: ପେଟାନାଳର ପୁନରୁଦ୍ଧାର ବଦଳରେ ଏବେ ଏ‌ହା ସହରର ଆବର୍ଜନାରେ ପୋତା ଯାଉଛି। ସରକାରୀ ସ୍ତରରେ ପେଟାନାଳର ପୁନରୁଦ୍ଧାର ପାଇଁ ବାରମ୍ବାର ଯୋଜନା ହେଉଛି। ଏପରିକି ଏହାର ବିକାଶ ପାଇଁ ଏକାଧିକ ଥର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଲିଖିତ ଭାବେ ଜଣାଯାଉଛି ଓ ପ୍ରକଳ୍ପ ପାଇଁ ଟଙ୍କା ସ୍ଥିର କରାଯାଉଛି। ମାତ୍ର ସରକାରୀ କଳର ଉଦାସୀନତା ଯୋଗୁଁ ନାଳର ପୁନରୁଦ୍ଧାର ବଦଳରେ ଏହା ଏବେ କଂକ୍ରିଟ ଆବର୍ଜନା, ଡ୍ରେନ୍‌ର ପଙ୍କ ଇତ୍ୟାଦିରେ ପୋତା ଯାଉଥିବା ଦେଖିବାକୁ ମିଳିଛି। ସିଡିଏ ସେକ୍ଟର୍‌-୬ରୁ ସେକ୍ଟର୍‌-୧୦ସ୍ଥିତ ହଙ୍ଗର୍‌ ଲଞ୍ଚ ଛକ ପର୍ଯ୍ୟନ୍ତ ଥିବା ଅଢ଼େଇ କିଲୋମିଟରରୁ ଅଧିକ ଦୂରତ୍ବ ପେଟାନାଳର ଉଭୟପାର୍ଶ୍ବରେ ଗଦା ହୋଇ ରହିଛି କୁଢ଼ କୁଢ଼ ଆବର୍ଜନା। ପୌର ନିଗମ, ପ୍ରଶାସନ ଓ ସ୍ଥାନୀୟ ପୁଲିସର ନିଷ୍କ୍ରିୟତା ପାଇଁ ପେଟାନାଳ ଏବେ ପୋତି ହେବାକୁ ବସିଥିବା ସାଧାରଣରେ ଅଭିଯୋଗ ହୋଇଛି। ସିଡିଏ ସେକ୍ଟର୍‌-୬ର କାଠଯୋଡ଼ି ନଦୀ (ଅଶ୍ବିନୀ ହସ୍ପିଟାଲ୍‌) ପାର୍ଶ୍ବରୁ ସେକ୍ଟର୍‌-୧୦ ପର୍ଯ୍ୟନ୍ତ ଥିବା ଅଢେଇ କିଲୋମିଟରରୁ ଅଧିକ ଲମ୍ବ ନାଳଟିକୁ ଦୀର୍ଘବର୍ଷ ଧରି ସଫା କରାଯାଇ ନାହିଁ। ଏଥିଯୋଗୁଁ ସ୍ଥାନୀୟ ଅଞ୍ଚଳର ପରିବେଶ ଦୂଷିତ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପଙ୍କ ଉଦ୍ଧାର କରାଯାଉ ନଥିବାରୁ ପାଣି ଜମି ମଶା ବଂଶ ବଢ଼ିବା ସହିତ ବର୍ଷାଦିନେ ପାଣି ନିଷ୍କାସନରେ ସମସ୍ୟା ହେଉଛି।

‌ପାଣି ନିଷ୍କାସନ ହୋଇ ପାରୁ ନଥିବାରୁ ବର୍ଷାଦିନେ ସିଡିଏର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିବା ଦେଖିବାକୁ ମିଳୁଛି। ସିଡିଏ ବାସିନ୍ଦାଙ୍କ ହିତକୁ ଦୃଷ୍ଟିରେ ରଖି ପେଟାନାଳରୁ ପଙ୍କ ଉଦ୍ଧାର ଓ ଦଳ ସଫା କାମ ସହ ନାଳର ପଥର ପ୍ୟାକିଂ, ଆଲୋକୀକରଣ କରିବାକୁ ଏକାଧିକ ଥର ଯୋଜନା କରାଯାଇଛି। ଏପରିକି ପେଟାନାଳର ରୂପାନ୍ତରଣ ପାଇଁ ବିଗତ ଦିନରେ ୧୨୬ କୋଟି ଟଙ୍କାରେ ରୂପରେଖ ପ୍ରସ୍ତୁତ ହୋଇଥିଲା। ମାତ୍ର ସମସ୍ତ ଯୋଜନା, ଯୋଜନାରେ ରହିଗଲା। ସେପଟେ ପେଟାନାଳର ପୁନରୁଦ୍ଧାର କରିବା ବଦଳରେ ଏହାକୁ ଏବେ ପୋତାଯାଉଥିବା ଦେଖିବାକୁ ମିଳିଛି। ନାଳର ଉଭୟପାର୍ଶ୍ବରେ ସହର ମଧ୍ୟରୁ ବାହାରୁଥିବା କକ୍ରିଂଟ ଆବର୍ଜନା, ‌ଛୋଟ ଓ ବଡ଼ଡ୍ରେନ୍‌ର ପଙ୍କ ସହ ସିଡିଏ ଅଞ୍ଚଳର ଆବର୍ଜନା ଗଦା ଯାଉଥିବା ଦେଖିବାକୁ ମିଳିଛି। ଏପରିକି ଅଶ୍ବିନୀ ହସ୍ପିଟାଲ୍‌ ପାର୍ଶ୍ବରୁ ସେକ୍ଟର୍‌-୧୦କୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଆବର୍ଜନା ଗଦାଯାଉଛି। ଏଥିରେ ରାସ୍ତା ସଂକୁଚିତ ହେବା ସହ ଗମନାଗମନରେ ସାଧାରଣ ଲୋକଙ୍କୁ ବହୁ ସମ୍ମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଦିନ ଓ ରାତି ସବୁ ସମୟରେ ଟ୍ରାକ୍ଟର୍‌ ଓ ଡମ୍ପର୍‌ ମାଧ୍ୟମରେ ସହର ମଧ୍ୟରୁ କକ୍ରିଂଟ ଆବର୍ଜନା ଓ ଡ୍ରେନ୍‌ର ପଙ୍କକୁ ଏଠାରେ ଗଦାଯାଉଛି। ଏହାକୁ ପୌର ନିଗମ, ପ୍ରଶାସନ ଓ ସ୍ଥାନୀୟ ପୁଲିସ ଦେଖୁଥିଲେ ବି ସମସ୍ତେ ଚୁପ୍‌। ପେଟାନାଳ ପୁନରୁଦ୍ଧାର କାମ ବିଳମ୍ବ ହେଉଥିବା ବେଳେ ଏବେ ଏହାକୁ ପୋତାଯାଉଥିବାରୁ ଏହାକୁ ନେଇ ସିଡିଏର ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର