କଟକ: ପେଟାନାଳରୁ ପଙ୍କୋଦ୍ଧାର, ଏହାର ଖନନ, ସୌନ୍ଦର୍ଯ୍ୟକରଣ ଦାବିରେ ପୂର୍ବତନ କର୍ପୋରେଟର ଚିତ୍ତରଞ୍ଜନ ଦାସ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରିଦୀପ ସିଂହ ପୁରୀଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି। ସିଡିଏ, ବିଡ଼ାନାସୀ, ମର୍କତନଗର ଅଞ୍ଚଳବାସୀଙ୍କ ପାଇଁ ପେଟାନାଳର ପୁର୍ନବିନ୍ୟାସ ଜରୁରୀ ହୋଇଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଦାସ ସ୍ମାରକପତ୍ରରେ ଅନୁରୋଧ କରିଛନ୍ତି। କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଦ୍ବାରା ନିର୍ମାଣ ହୋଇଥିବା ପେଟାନାଳ ସିଡିଏ ସେକ୍ଟର-୬ରୁ ଆରମ୍ଭ କରି ସିଡିଏ ସେକ୍ଟର-୧୦ ପର୍ଯ୍ୟନ୍ତ ବ୍ୟାପିଛି। ପ୍ରତିଦିନ ଏହା ମଧ୍ୟକୁ ବର୍ଜ୍ୟଜଳ ଓ ଜନବସତି ଆବର୍ଜନା ପ୍ରବେଶ କରୁଛି। କିନ୍ତୁ ତାହାକୁ ସଫା କରାଯାଉ ନାହିଁ। ଦୀର୍ଘ ଦିନ ହେଲା ଏଥିରୁ ପଙ୍କ କଢ଼ା ନ ହେବା ଫଳରେ ଏହା ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଛି। ଏଥିରୁ ଉତ୍କଟ ଦୁର୍ଗନ୍ଧ ବାହାରିବା ସହିତ ମଶାଙ୍କ ଉତ୍ପତି ସ୍ଥଳ ପାଲଟିଛି।
ଏଥି ପାଇଁ ସିଡିଏ, ବିଡ଼ାନାସୀ, ମର୍କତନଗର ଅଞ୍ଚଳରେ ରହୁଥିବା ୭୫ହଜାରରୁ ଅଧିକ ବାସିନ୍ଦାଙ୍କ ରହିବା କଷ୍ଟକର ହୋଇ ପଡ଼ିଛି। ସିଡିଏକୁ ସାଟେଲାଇଟ୍ ସହର ଭାବେ ଗଢ଼ିବା ପାଇଁ ହୋଇଥିବା ଯୋଜନା କେବଳ ଯୋଜନାରେ ରହିଯାଇଛି ବୋଲି ପୂର୍ବତନ କର୍ପୋରେଟର ଶ୍ରୀ ଦାସ କହିଛନ୍ତି। ସିଏମ୍ସି ଓ ସିଡିଏ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଟାଳଟୁଳ ନୀତି ପାଇଁ ପେଟାନାଳ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ନର୍କକୁଣ୍ଡ ପାଲଟିଛି। ଜିଲ୍ଲା ପ୍ରଶାସନ, ସିଏମ୍ସି, ସିଡିଏ ଏଭଳି ଗୁରୁତର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ଦାସ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/3ca7e8ed-88de-45bb-9074-c6c1979f890a-292x300-1.jpg)