ଦୁଇଟି ପୁରୁଣା ଗାଡ଼ିରେ ୪୦୦ କିମି ପାଟ୍ରୋଲିଂ, କେମିତି ଚାଲିବ କଟକ ଜିଆର୍‌ପି?

୫ ଅଫିସର ପଦବି ଖାଲି, ପଚିସଢ଼ି ଯାଉଛି ଅଚିହ୍ନା ଶବ

କଟକ: ରାଜ୍ୟର ସର୍ବାଧିକ ରେଳଧାରଣା ସୀମା ଥିବା କଟକ ଜିଆରପି ଥାନା ଅଧୀନରେ ୪୦୦ କିମି ଦୂର ଯିବାକୁ ପଡୁଥିବା ବେଳେ ଜିଆରପିକୁ ମାତ୍ର ଦୁଇଟି ପୁରୁଣା ଗାଡ଼ି ଯୋଗାଇ ଦିଆଯାଇଛି। ଅପରାଧୀକ ମାମଲା ଓ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପାଇଁ ଯୋଗାଇ ଦିଆଯାଇଥିବା ଗାଡ଼ିକୁ ମାତ୍ର ୮୦ ଲିଟର ତେଲ ମଞ୍ଜୁରି ମିଳୁଛି। କେନ୍ଦ୍ରାପଡ଼ା, ପାରାଦୀପ ଓ ଅନୁଗୁଳ ରୁଟରେ ଦିନ ସମୟରେ ରେଳ ଚଳାଚଳ ଆଦୌ ନଥିବାରୁ ଗାଡ଼ିରେ ଯିବା ସମୟସାପେକ୍ଷ ହେଉଛି। ଧାର୍ଯ୍ୟ ତେଲ ବାଦ ଅଧିକ ତେଲ ଖର୍ଚ୍ଚ କଲେ ଅଫିସରମାନେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ସେଥିରେ ୫ ଜଣ ଅଫିସର ପଦବି ବି ଖାଲି ପଡ଼ିଛି। ଏଭଳି ସ୍ଥିତିରେ ଠିକ୍ ସମୟରେ ଅଚିହ୍ନା ଶବ ରେଳ ଧାରଣାରୁ ପୁଲିସ ଉଦ୍ଧାର କରିପାରୁ ନଥିବାରୁ ଶବ ପଚି ସଢ଼ିଯାଉଛି। ଏହାକୁ ଚିହ୍ନଟ କରିବା ପୁଲିସ ପାଇଁ ଏବେ ବଡ଼ ସମସ୍ୟା ହେଲାଣି। କଟକ ରେଳବାଇ ଥାନା ଅଧୀନରେ କଟକ ସମେତ ଜଗତପୁରସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଅନୁଗୁଳ ଭଳି ୫ଟି ଜିଲ୍ଲାର ରେଳଧାରଣା ରହିଛି। ପାରାଦୀପରୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ୩୦୦ କିମି, କଟକରୁ ପାରାଦୀପ ୧୦୦ କିମି, ବାରଙ୍ଗରୁ ରାଜାଆଠଗଡ଼ ୩୦ କିମି ରେଳ ଧାରଣା ରହିଛି। ଗଲା ଦୁଇ ବର୍ଷ ହେବ ଅନୁଗୁଳରୁ ରେଢ଼ାଖୋଲ ଏବଂ ପାରାଦୀପରୁ ହରିଦାସପୁର ରେଳଧାରଣା ନୂଆ ଯୋଡ଼ି ହୋଇଛି। ପାଖାପାଖି ୧୩୦ କିମି ନୂଆ ରେଳ ଲାଇନ୍ ଯୋଡ଼ି ହୋଇଛି। ଏଭଳି ସୀମାକୁ ନେଇ କାମ କରୁଥିବା କଟକ ଜିଆରପି ଥାନାରେ ଜଣେ ଇନସ୍ପେକ୍ଟର ଥିବା ବେଳେ ଏସଆଇ ଦୁଇ ମଞ୍ଜୁରି ପଦବିରୁ ଜଣେ ଅଛନ୍ତି, ୬ ଏଏସଆଇରୁ ୨ ଜଣ ଅଛନ୍ତି। କଟକ ଜିଆରପି ଥାନା ପାଇଁ ମାତ୍ର ଗୋଟିଏ ଚାରି ଚକିଆ ଗାଡ଼ି। ୭ରୁ ୮ ବର୍ଷ ପୁରୁଣା ଗାଡ଼ିକୁ ମାସିକ ମାତ୍ର ୭୫ ଲିଟିର ତେଲ ମଞ୍ଜୁର ହେଉଛି। ଗାଡ଼ି ଲିଟର ପିଛା ଗାଡ଼ି ମାତ୍ର ୧୦ କିମି ଯାଉଛି। ସେହିଭଳି ବାରଙ୍ଗ, ପାରାଦୀପ ଓ ତାଳଚେରରେ ଥିବା ତିନୋଟି ଫାଣ୍ଡିରେ ଜଣେ ଲେଖାଏ ଏଏସଆଇ ଓ ଚାରି କନଷ୍ଟେବଳ ଥିବା ବେଳେ କେବଳ ତାଳଚେର ଫାଣ୍ଡିରେ ଗୋଟିଏ ମାତ୍ର ପୁରୁଣା ବାଇକ୍ ଗଲା ୬ ମାସ ହେବ ଯୋଗାଇ ଦିଆଯାଇଛି।

ମାସିକ ବାଇକକୁ ମାତ୍ର ୫ ଲିଟର୍ ତେଲ ମଞ୍ଜୁର ହେଉଛି। ଏହାବାଦ୍ ତେଲ ଖର୍ଚ୍ଚ ହେଲେ ସମ୍ପୃକ୍ତ ଅଧିକାରୀ ହିଁ ପକେଟରୁ ଖର୍ଚ୍ଚ କରିବେ। ଅନ୍ୟ ଦୁଇଟି ଫାଣ୍ଡିରେ କୌଣସି ପ୍ରକାର ଗାଡ଼ି ନାହିଁ। ଅନୁଗୁଳ ରୁଟରେ ସନ୍ଧ୍ୟାରେ ଗୋଟିଏ ପାସେଞ୍ଜର ଟ୍ରେନ ଅନୁଗୁଳ-ପୁରୀ ଯାଉଛି। ଦୁର୍ଗ-ପୁରୀ, ତପସ୍ବନୀ ଏକ୍ସପ୍ରେସ ରାତି ୮ଟାରୁ ୯ଟା ଭିତରେ ଯାଉଛି। ଦିନରେ କୌଣସି ଟ୍ରେନ୍ ଚଳାଚଳ ଏହି ରୁଟରେ ନାହିଁ। ଜଗତସିଂହପୁର, ପାରାଦୀପ ରୁଟରେ ଗୋଟିଏ ପାସେଞ୍ଜର ଟ୍ରେନ୍ ସନ୍ଧ୍ୟାରେ ଯାଉଛି। ଦିନରେ କୌଣସି ଟ୍ରେନ୍ ଚଳାଚଳ କରୁନାହିଁ। କେନ୍ଦ୍ରାପଡ଼ା ରୁଟରେ ପାସେଞ୍ଜର ଟ୍ରେନ ଆଦୌ ଚାଲୁନାହିଁ। ଗୋଟିଏ ପଟେ ପର୍ଯ୍ୟାପ୍ତ ଗାଡ଼ି ନଥିବା ବେଳେ ଟ୍ରେନ ନିୟମିତ ବ୍ୟବଧାନରେ ନାହିଁ। ଏଭଳି ପରିସ୍ଥିତିରେ କେମିତି ଚାଲିବ ଜିଆରପି ଥାନା ଓ ଫାଣ୍ଡି? ତେବେ ରେଳ ଧାରଣାରେ କୌଣସି ଶବ କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ନାକେଦମ୍ ହେଉଛି କଟକ ଜିଆରପି। ଅନୁଗୁଳ ଜିଲ୍ଲା ବାମୁର ଷ୍ଟେସନରେ କୌଣସି ଅଘଟଣ ଘଟିଲେ କଟକରୁ ପୁଲିସ ଜିପରେ ଗଲେ ଅତି କମରେ ୫ ଘଣ୍ଟା ଲାଗି ଯାଉଛି। ପର୍ଯ୍ୟାପ୍ତ ଥାନା ଓ ଫାଣ୍ଡି ଏହି ୫ଟି ଜିଲ୍ଲାରେ ନଥିବାରୁ କେନ୍ଦ୍ରାପଡ଼ା ରୁଟ, ପାରାଦୀପ କିମ୍ବା ଅନୁଗୁଳ ରୁଟରେ ଗୋଟିଏ ଗୋଟିଏ ଶବ ପଡ଼ିଲେ ୬ରୁ ୭ ଦିନ ପରେ ଖବର ମିଳୁଛି। ସେତେବେଳକୁ ଶବ ପଚିସଢ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି। ଶବ ଚିହ୍ନଟ କରିବା ବି ପୁଲିସ ପାଇଁ ଏକ ପ୍ରମୁଖ ସମସ୍ୟା ହେଉଛି। ବାର୍ଷିକ କଟକ ଜିଆରପିରେ ୧୨୦ରୁ ୧୩୦ ଶବ ଉଦ୍ଧାର ହେଉଥିବା ବେଳେ ୮୦ରୁ ୯୦ ଶବର ପରିଚୟ ମିଳୁନାହିଁ। ଶବ ସଢ଼ିଯାଉଥିବାରୁ ପରିଚୟ ପୁଲିସ ପାଇଁ ଅଡ଼ୁଆ ହେଉଛି। ହାଓଡା-ଚେନ୍ନାଇ ମୁଖ୍ୟ ରେଳ ଧାରଣା କଟକ ଦେଇ ଯାଇଥିବାରୁ ସର୍ବାଧିକ ଟ୍ରେନ୍ ଓଡ଼ିଶାରେ ଏହି ରୁଟରେ ହିଁ ଚଳାଚଳ କରୁଛି। ଏଭଳି ସୀମାରେଖା ଅନ୍ୟ ୧୪ଟି ରେଳବାଇ ଥାନାରେ ନାହିଁ। କଟକରୁ ପାରାଦୀପ ମଝିରେ ରଘୁନାଥପୁର କିମ୍ବା ବଡ଼ ଖଣ୍ଡେଇତା, କେନ୍ଦ୍ରାପଡ଼ା ରେଳ ଷ୍ଟେସନ, ଢେଙ୍କାନାଳ ଏବଂ ଅନୁଗୁଳରେ ଥାନା ଏବଂ ଫାଣ୍ଡିର ଆବଶ୍ୟକତା ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପର୍ଯ୍ୟାପ୍ତ ଭିତ୍ତିଭୂମି ନଥିବାରୁ କୌଣସି ଆଇନଶୃଙ୍ଖଳା ପରିସ୍ଥିତି କିମ୍ବା ଅପରାଧୀକ ମାମଲା ହେଲେ ପୁଲିସ ପାଇଁ ସମସ୍ୟା ହେଉଛି।

ସମ୍ବନ୍ଧିତ ଖବର