ସହରରେ ହାଇ ଆଲର୍ଟ ଜାରି; ‘ଫେରିବାଲା ଗ୍ରୁପ’ ଆତଙ୍କ

ସାଦା ପୋଷାକରେ ଛକିଲେ ପୁଲିସ

କଟକ: କଟକ ସହରରେ ଫେରିବାଲା ଗ୍ରୁପ୍‌ର ସିରିଜ୍‌ ଲୁଟ୍‌ ପରେ ହାଇ ଆଲର୍ଟ ଜାରି କରିଛି କମିସନରେଟ୍‌ ପୁଲିସ। ରାତି ୧୦ଟାରୁ ସକାଳ ୬ଟା ଯାଏ ପ୍ରତ୍ୟେକ ଛକରେ ପ୍ରାୟ ୫୦୦ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୪୦ଟି ଚାରି ଚକିଆ ଗାଡ଼ି ଓ ୪୦ଟି ବାଇକ୍‌ ପିସିଆର‌୍‌ ନିୟୋଜିତ କରାଯାଇଛି। ସ୍ବତନ୍ତ୍ର ଭାବେ ମଧୁପାଟଣାରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି। ଏହି ଥାନାକୁ ୫ଟି ଜୋନ୍‌ରେ ବିଭକ୍ତ କରାଯାଇ ଅଫିସରଙ୍କୁ ସାଦା ପୋଷାକରେ ନିୟୋଜିତ କରାଯାଇଛି। ସୂଚନା ଅନୁଯାୟୀ, କରୋନା ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ଏକ ବର୍ଷ ଭିତରେ ମଧୁପାଟଣା ଅଞ୍ଚଳରେ ୧୧ଟି ତାଲା ଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ଲୁଟ୍‌ ହୋଇସାରିଲାଣି। ବାଦାମବାଡ଼ି ସୂର୍ଯ୍ୟ ନଗର ଅଞ୍ଚଳରେ ଗୋଟିଏ ଓ ବିଡାନାସୀ କୃଷକ ବଜାର ଅଞ୍ଚଳରେ ଗୋଟିଏ ଲେଖାଏ ଚୋରି ସମାନ ଧରଣର ହୋଇଛି। ଏଥିରେ ପଶ୍ଚିମବଙ୍ଗର ଫେରିବାଲା କିମ୍ବା ଗଞ୍ଜାମର କେଳା ଗ୍ରୁପର ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି।

ଏହି ଗ୍ୟାଙ୍ଗ୍‌ ଏବେ ନରସି˚ହପୁର ଆଡ଼କୁ ମୁହାଁଇଥିବା ବେଳେ ଜିଲ୍ଲାରେ ଆତଙ୍କ ସୃଷ୍ଟି କଲାଣି। ମଧୁପାଟଣା ଥାନା ଅଞ୍ଚଳରେ ତିନିଘରିଆ, ନୂଆପଡ଼ା, କଲ୍ୟାଣୀନଗର, ପ୍ରେସ୍‌ ଛକ, ଘାଟକୂଳକୁ ୫ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ୩ଟି ବାଇକ୍‌ ପିସିଆର‌୍‌, ଗୋଟିଏ ପିସିଆର‌୍‌, ଗୋଟିଏ ମୋବାଇଲ୍‌ ଭ୍ୟାନ୍‌ ଏବ˚ ୩୦ ପାଖାପାଖି ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସାଦା ପୋଷାକରେ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରାତି ୧୦ଟାରୁ ସକାଳ ୬ଟା ଯାଏ ଏମାନେ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ସହରରେ ଥାନା ଵାରି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ଥାନାରେ ଯେଭଳି ଲୁଟ୍‌ ନହୁଏ, ସେଥିପ୍ରତି କଡ଼ା ନଜର ରଖାଯାଇଛି। ହାପ୍‌ ପ୍ୟାଣ୍ଟ ପିନ୍ଧିଥିବା ବ୍ୟକ୍ତି କେହି ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ ସେମାନଙ୍କୁ କାବୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିିଛି।

ସମ୍ବନ୍ଧିତ ଖବର