‘ଆମ ପୁଲିସ’ ଯୋଜନା ଦିଗହରା; ସମିତି ନାହିଁ କି ବୈଠକ ନାହିଁ
ବର୍ଷକୁ ୪ ଥର ହେବାକୁ ଥିବା ଜିଲ୍ଲା ପରାମର୍ଶଦାତା ବୈଠକ ବସିଛି ୫ ବର୍ଷରେ ଦୁଇ ଥର
କଟକ: ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଥିବା ଦୂରତା ହ୍ରାସ କରି ଉତ୍ତମ ବୁଝାମଣା ସହିତ ସୁସଂପର୍କ ରଖି ଅପରାଧ ନିୟନ୍ତ୍ରଣ କରିବା, ଲୋକଙ୍କ ସହଯୋଗରେ ପୁଲିସ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ପୁଲିସ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ରାଜ୍ୟ ସରକାର ପ୍ରୟାସ କରିଥିଲେ। ୨୦୧୩ ଏପ୍ରିଲ ପହିଲାରେ ରାଜ୍ୟ ପୁଲିସ ସଂସ୍କାର ବ୍ୟବସ୍ଥାରେ ନୂଆଫର୍ଦ୍ଦ ‘ଆମ ପୁଲିସ’ ବା କମ୍ୟୁନିଟି ପୁଲିସ ପ୍ରୋଜେକ୍ଟ ଯୋଡ଼ି ହୋଇଥିଲା। ମାତ୍ର ୮ ବର୍ଷ ଭିତରେ ଏହି ପୁଲିସ ସଂସ୍କାର ପୁଣି ଦିଗହରା ହୋଇଛି। ପ୍ରତି ମାସରେ ଅନୁଷ୍ଠିତ ହେବାକୁ ଥିବା ଆମ ପୁଲିସ ବୈଠକ ବର୍ଷକରେ ଥରେ ବି ହେଉନାହିଁ। କଟକ ଜିଲ୍ଲାରେ ପୁଲିସ ସମିତି ବୈଠକ ତ ଏକ ପ୍ରକାର ଅଚଳ ହୋଇପଡିଛି। ଜିଲ୍ଲାସ୍ତରରେ ଥିବା ଜିଲ୍ଲା ପୁଲିସ ଆଡଭାଇଜରି( ପରାମର୍ଶଦାତା) କମିଟି ବୈଠକ ୫ ବର୍ଷରେ ମାତ୍ର ଦୁଇ ଥର ବସିଛି। ପ୍ରତି ତିନି ମାସରେ ହେବାକୁ ଥିବା ଜିଲ୍ଲା ପୁଲିସ ପରାମର୍ଶଦାତା ବୈଠକ ହାରାହାରି ଭାବେ ବର୍ଷକୁ ଥରେ ବି ନ ହେବା ପୁଲିସ ସଂସ୍କାର ବ୍ୟବସ୍ଥାକୁ ପ୍ରଭାବହୀନ କରି ଦେଇଛି। ଥାନାସ୍ତରରେ ମଧ୍ୟ ଆମ ପୁଲିସ ବା ପୁଲିସ ସମିତି ବୈଠକ ନିୟମିତ ହେଉନାହିଁ।
ଆମ ପୁଲିସ ସମିତି ଗଠନ ପୁଲିସ ସଂସ୍କାରର ଏକ ମହତ ପରିକଳ୍ପନା ଥିଲା। ପୁଲିସ ବ୍ୟବସ୍ଥାକୁ ଲୋକଙ୍କ ସହିତ ଯୋଡ଼ିବା, ଲୋକଙ୍କ ସହିତ ସହିତ ମିଶି ଅପରାଧ ନିୟନ୍ତ୍ରଣ କରିବା, ପୁଲିସ ଓ ଲୋକଙ୍କ ମଧ୍ୟରେ ଥିବା ଦୂରତା ହ୍ରାସ କରିବା ପାଇଁ ଆମ ପୁଲିସରେ ଏକ ତିନି ଥାକିଆ ବ୍ୟବସ୍ଥା କରାଯାଇଥିଲା। ପ୍ରଥମେ ଆମ ପୁଲିସ ବିଟ୍, ଦ୍ବିତୀୟରେ ଥାନା ସ୍ତରରେ ଆମ ପୁଲିସ ସମିତି ଓ ତୃତୀୟରେ ଜିଲ୍ଲାସ୍ତରୀୟ ପୁଲିସ ଉପଦେଷ୍ଟା କମିଟି ଗଠନ କରାଯାଇଥିଲା। ସମସ୍ତ ଥାନାରେ ଆମ ପୁଲିସ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ହୋଇଥିଲା। ଜିଲ୍ଲାସ୍ତରରେ ଏସପି ଓ ଡିସିପି, ଥାନାସ୍ତରରେ ଆଇଆଇସି, ସବ ଇନସପେକ୍ଟର ଏହାର ପ୍ରତିନିଧିତ୍ବ କରିବାର ବ୍ୟବସ୍ଥା ହୋଇଥିଲା।
ଆମ ପୁଲିସ ସମିତିରେ ସବୁ ବର୍ଗର ପ୍ରତିନିଧିତ୍ବ ରଖିବାକୁ ନିୟମ ଥିଲା। ମହିଳା, ଅନୁସୂଚିତ ଜନଜାତି/ ଜାତି, ଶିକ୍ଷାବିତ, ଅଞ୍ଚଳର ପ୍ରଧାନଶିକ୍ଷକ, କଲେଜ ଅଧ୍ୟକ୍ଷ, ସମାଜିକ କର୍ମୀ, ପୂଜା କମିଟି ଓ ଅନ୍ୟ ବର୍ଗର ଲୋକଙ୍କୁ ନେଇ ପୁଲିସ ସମିତି ଗଠନ କରାଯିବାର ଯୋଜନା ହୋଇଥିଲା। ଏହି ସମିତିରେ ୧୦ରୁ ୨୫ ଜଣ ସଭ୍ୟ ରହିପାରିବେ। ପ୍ରତି ଥାନସ୍ତରରେ ସମିତି ଗଠନ କରାଯିବ। ଜଣେ ସିଆରଓ( କମ୍ୟୁନିଟ ରିଲେସନ ଅଫିସର) ଏଥିପାଇଁ ନିଯୁକ୍ତି ପାଇବେ। ସବ ଇନସପେକ୍ଟର ପାହ୍ୟାର ଜଣେ ଅଧିକାରୀ ଏହି ପଦରେ ରହିବେ। ପ୍ରତି ମାସରେ ଥରେ ବୈଠକ ନିଶ୍ଚିତ ହେବ। ବୈଠକର ବିବରଣୀ ଏସପି ଓ ଡିସିପିଙ୍କୁ ପଠାଯିବ। ଚୋରି, ଡକାୟତୀ, ଟ୍ରାଫିକ ଜନିତ ଅପରାଧ, ପାଟ୍ରୋଲିଂ ସଂପର୍କରେ ବୈଠକରେ ଆଲୋଚନା କରାଯିବ ବୋଲି ସଂସ୍କାର ବ୍ୟବସ୍ଥାରେ ସ୍ପଷ୍ଟ ଉଲ୍ଲେଖ ଥିଲେ ବି ଏହି ମହତ ଯୋଜନା କିନ୍ତୁ ଫଳପ୍ରଦ ହେଉନାହିଁ। ଆରମ୍ଭରୁ ଥାନାସ୍ତରରେ କାଁ ଭାଁ ବୈଠକ କରିବା ପରେ ଏବେ ଏହା ଆପେ ଅଚଳ ହୋଇପଡିଛି।
ପୁଲିସ ସମିତିର କାର୍ଯ୍ୟ ଖସଡାରେ ଲୋକଙ୍କ ସହାୟତାରେ ନାଇଟ୍ ପାଟ୍ରୋଲିଂ କରିବା, ଘରୋଇ ସୁରକ୍ଷା କର୍ମୀଙ୍କ ସହିତ ପୁଲିସ ନିୟମିତ ସମନ୍ବୟ ରଖିବା, ଅଞ୍ଚଳକୁ ଆସୁଥିବା ନୂଆ ଆଗନ୍ତୁକଙ୍କ ବିଷୟରେ ସୂଚନା ସଂଗ୍ରହ କରିବା, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ସହଯୋଗ, ମହିଳା, ଶିଶୁ ସୁରକ୍ଷା, ସଚେତନତା କାର୍ଯ୍ୟକ୍ରମ, ଟ୍ରାଫିକ, ଷ୍ଟ୍ରିଟ ଲାଇଟ ରକ୍ଷଣାବେକ୍ଷଣ, ରକ୍ତଦାନ ଶିବିର, ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ, ବିପର୍ଯ୍ୟୟ ପରିଚାଳନା, ଆଶୁ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ଆମ ପୁଲିସ କାମ କରିବ। ସେହିଭଳି ଜିଲ୍ଲାସ୍ତରୀୟ ଆଡଭାଇଜାରି କମିଟି ଗଠନ କରାଯିବ। ଏହି କମିଟି ଡିସିପି/ ଏସପି ଏହାର ମୁଖ୍ୟ ରହିବେ। ବିଧାୟକ/ସାଂସଦ, ମେୟର ଏହି ବୈଠକର ଯୋଗଦେବେ। ଜିଲ୍ଲାସ୍ତରୀୟ କମିଟିରେ ୧୦ରୁ ୨୦ ଜଣ ସଭ୍ୟ ରହିପାରିବେ। କିନ୍ତୁ ସବୁକିଛି ଏବେ କାଗଜକଲମରେ ସୀମିତ ରହି ଯାଇଛି। ଏ ସଂପର୍କରେ କଟକ ଗ୍ରାମାଞ୍ଚଳ ଏସପି ଭି ଯୁଗଳ କିଶୋର କହିଛନ୍ତି ଯେ କରୋନା ପାଇଁ ବୈଠକ ବନ୍ଦ ରହିଛି। ତେବେ ବର୍ଷକ ଭିତରେ ଜିଲ୍ଲା ପୁଲିସ ଆଡଭାଇଜାରି କମିଟି ବୈଠକ ବସି ନାହିଁ ବୋଲି ସେ ସ୍ବୀକାର କରିଛନ୍ତି।