ବିଧାୟକ କ୍ବାର୍ଟର୍ସ ନିର୍ମାଣ ପାଇଁ ଗଛକଟା ପ୍ରସଙ୍ଗ‌: ମିଳିଲାନି ରହିତାଦେଶ, ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଶୁଣାଣି

ସରକାରଙ୍କ ସତ୍ୟପାଠ: ୫ ବର୍ଷରେ ଲାଗିଛି ୩ ଲକ୍ଷ ଗଛ

କଟକ: ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଗତ ୫ବର୍ଷ ଭିତରେ ୩ଲକ୍ଷରୁ ଅଧିକ ଗଛ ଲଗାଯାଇଛି। ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ଲାଗି ଭୁବନେଶ୍ବର ୟୁନିଟ-୪ରେ ବହୁ ମୂଲ୍ୟବାନ ଓ ପୁରୁଣା ଗଛ କଟାଯିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲାରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଇଷ୍ଟେଟ ଉପନିର୍ଦ୍ଦେଶକ ଇତିଶ୍ରୀ ରାଉତ ଦାଖଲ କରିଥିବା ସତ୍ୟପାଠରେ ଏଭଳି ତଥ୍ୟ ଉଲ୍ଲେଖ କରିଛନ୍ତି।

ସତ୍ୟପାଠରେ ଉଲ୍ଲେଖ କରାଯାଇଛି, ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ, ଭୁବନେଶ୍ବର ତହସିଲଦାର, ଓଡ଼ିଶା ବ୍ରିଜ୍‌ କର୍ପୋରେସନ୍, ଫରେଷ୍ଟ ରେଞ୍ଜ ଅଫିସର ଅଧିକାରୀ ମିଳିତ ଗଣନା କରି ପ୍ରକଳ୍ପ ଅଞ୍ଚଳରେ ୨୬ ପ୍ରଜାତିର ୮୭୦ ଗଛ ରହିଥିବା ଜାଣିବାକୁ ପାଇଥିଲେ। ବିକଳ୍ପ ଭାବେ ୮ ହଜାର ୭ଶହ ବୃକ୍ଷରୋପଣ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୬୮ ଲକ୍ଷ ୭୦ ହଜାର ୯୧୨ ଟଙ୍କା ଓଡ଼ିଶା ବ୍ରିଜ କର୍ପୋରେସନ୍ ଭୁବନେଶ୍ବର ଇନଫ୍ରା ଡିଭିଜନ ଜେନେରାଲ ମ୍ୟାନେଜର ୨୦୨୨, ଏପ୍ରିଲ ୩୦ରେ ସିଟି ଫରେଷ୍ଟ ଡିଭିଜନ ଡିଏଫଓଙ୍କ ନିକଟରେ ଜମା କରିଥିଲେ। ଏହାପରେ ଡିଏଫଓ ଅନୁମତି ଦେଇଥିଲେ। ପରବର୍ତ୍ତୀ ସମୟରେ ଗତ ଜୁନ ୨ ତାରିଖରେ ଭୁବନେଶ୍ବର ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ପ୍ରଶାସନ ବିଭାଗ, ବ୍ରିଜ କର୍ପୋରେସନ୍, ଓଏଫଡିସି, ଡିଏଫଓ ଯୋଗଦେଇ ପ୍ରକଳ୍ପ ଅଞ୍ଚଳରେ ଥିବା ବୃକ୍ଷ ସ୍ଥାନାନ୍ତର ପ୍ରସଙ୍ଗରେ କେତେକ ପ୍ରସ୍ତାବ ଗ୍ରହଣ କରିଥିଲେ। ପ୍ରଜାତି ଓ ଆକାରକୁ ନେଇ ସ୍ଥାନାନ୍ତର ହେବାକୁ ଥିବା ଗଛ ଚିହ୍ନଟ ପାଇଁ ନିଷ୍ପତ୍ତି ହୋଇଥିଲା।

ଏହାପରେ ଗତ ଜୁନ୍‌ ୧୩ରେ ଡିଏଫଓ କାର୍ଯ୍ୟାଳୟର ଅଧିକାରୀ, ସାଧାରଣ ପ୍ରଶାସନ ବିଭାଗ, ମୁଖ୍ୟ ହର୍ଟିକଲଚରିଷ୍ଟ, ବିଡିଏ, ବ୍ରିଜ୍‌‌ କର୍ପୋରେସନ୍ ଓ ଓଏଫଡିସି ପ୍ରତିନିଧିଙ୍କ ଉପସ୍ଥିତିରେ ଯୁଗ୍ମ ଯାଞ୍ଚ କରାଯାଇ ବୁଦ୍ଧପାର୍କ (ଲୁମ୍ବିନୀ ବିହାର), ଉତ୍କଳ ହସ୍ପିଟାଲ (ନୀଳାଦ୍ରିବିହାର) ରାସ୍ତାପାର୍ଶ୍ବ, ଗୁରୁ କେଳୁଚରଣ ପାର୍କ (ଭିଏସଏସ ନଗର)କୁ ବୃକ୍ଷ ସ୍ଥାନାନ୍ତର ପାଇଁ ଚିହ୍ନଟ କରାଯାଇଥିଲା। ଚଳିତ ବର୍ଷ ମୌସୁମୀ ସମୟରେ ବିଡିଏ ୧୦ ହଜାର ବୃକ୍ଷରୋପଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ଏଥିପାଇଁ ୧୫ଟି ପ୍ରଜାତିର ୧୦ ହଜାର ଗଛ ଯୋଗାଇବାକୁ ଭୁବନେଶ୍ବର ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କୁ ବିଡିଏ ଜୁନ ୩ରେ ଚିଠି ଲେଖି ଅନୁରୋଧ କରିଛି। ଚଳିତ ମୌସୁମୀ ସମୟରେ ବିଏମସି ମଧ୍ୟ ୩୬୦୭ଟି ବୃକ୍ଷରୋପଣ ପାଇଁ ଯୋଜନା ରଖିଛି।

ସତ୍ୟପାଠରେ ବିଗତ ୫ବର୍ଷରେ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ କରାଯାଇଥିବା ବୃକ୍ଷରୋପଣ ସଂପର୍କିତ ତଥ୍ୟ ଦାଖଲ କରାଯାଇଛି। ବିଗତ ୫ବର୍ଷ ଭିତରେ ସିଟି ଫରେଷ୍ଟ ଡିଭଜନ୍‌ ୧ ଲକ୍ଷ ୯୫ ହଜାର ୫ଶହ, ବିଏମସି ୧୧ ହଜାର ୪୭୪ ଏବଂ ଓଏଫଡିସି ୧ ଲକ୍ଷ ୩ ହଜାର ୭୩୦ଟି ଗଛ ଲଗାଇଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଆଜି ଶୁଣାଣି କରି ଆବେଦନକାରୀ ଜୟନ୍ତୀ ଦାସଙ୍କୁ ଏହି ସତ୍ୟପାଠ ଉପରେ ପ୍ରତିଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୭କୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ, ଗଛକଟା ପ୍ରସଙ୍ଗରେ ହାଇକୋର୍ଟ ଆଜି କୌଣସି ଅନ୍ତରୀଣ ରହିତାଦେଶ ଜାରି କରି ନାହାନ୍ତି। ଅନ୍ତରୀଣ ନିର୍ଦ୍ଦେଶ ପାଇଁ ଆବେଦନକାରୀ କୌଣସି ପୃଥକ ଅନ୍ତରୀଣ ଆବେଦନ ଦାଖଲ ନଥିବା ବେଳେ ମୂଳ ରିଟ ଆବେଦନରେ ଗଛ କଟା ତୁରନ୍ତ ବନ୍ଦ ପାଇଁ ପ୍ରାର୍ଥନା କରାଯାଇଛି। କିନ୍ତୁ ହାଇକୋର୍ଟ ଆଜି କୌଣସି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରି ନାହାନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ସରକାର ବିଧାୟକଙ୍କ ରହିବା ଲାଗି ୟୁନିଟ-୪ରେ ବହୁତଳ ଅଟ୍ଟାଳିକା ନିର୍ମା‌ଣ କରୁଛନ୍ତି। ଏଥିପାଇଁ ନିଷ୍ପତ୍ତି ନିଆଯିବା ବେଳେ ସଂପୃକ୍ତ ସ୍ଥାନରେ ଥିବା ପୁରୁଣା ଗଛଗୁଡ଼ିକ ବିଷୟରେ କିଛି ଚିନ୍ତା କରାଯାଇ ନାହିଁ ଓ ବିନା ଉପଯୁକ୍ତ ଅନୁମତିରେ ପୁରୁଣା ଗଛ ସବୁ କଟାଯାଉଛି ବୋଲି ଦର୍ଶାଇ ହାଇକୋର୍ଟରେ ଏହି ଆବେଦନ ଦାୟର ହୋଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଏହି ପ୍ରକଳ୍ପ ପାଇଁ ୮୭୦ଟି ବଡ ଗଛ କାଟିବା ଲାଗି ପ୍ରସ୍ତାବ ରହିଛି। ‌ଗଛ କଟା ହେବା ଦ୍ବାରା ରାଜଧାନୀର ପରିବେଶ ଉପରେ କ’ଣ ପ୍ରଭାବ ପଡ଼ିବ ଆକଳନ କରାଯାଇନାହିଁ। ବିକଳ୍ପ ବ୍ୟବସ୍ଥା ପ୍ରସଙ୍ଗରେ ମଧ୍ୟ କିଛି ଚିନ୍ତା କରାଯାଇନାହିଁ। ଏଭଳି ସ୍ଥିତିରେ କଛ କଟା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।

ପଣ୍ଡାକୁଦିଆରେ ଏମଏଲଏ କଲୋନିର ବିସ୍ଥାପିତ ୬୫ ପରିବାର

ତିନିମାସ ବିତିଲା, ରାସ୍ତା କି ବିଜୁଳି ନାହିଁ

ଖଣ୍ଡଗିରି: ଏମଏଲଏ କଲୋନି ଯୋଗୁଁ ବିସ୍ଥାପିତ ୬୩ ପରିବାର ପଣ୍ଡାକୁଦିଆରେ ରହିଲେ। ଏଠାରେ ସେମାନଙ୍କ ପାଇଁ ଘର ନିର୍ମାଣ ହୋଇଛି। ଇତିମଧ୍ୟରେ ୩ମାସ ବିତିଯାଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା କିମ୍ବା ବିଜୁଳି ବ୍ୟବସ୍ଥା ହୋଇପାରିନାହିଁ। ଏଥିପାଇଁ ବିଏମସି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ ପାଇଁ ୧୦୦ ପରିବାରକୁ ଉଚ୍ଛେଦ କରାଯାଇଥିଲା। ସେଥିରୁ ୬୫ଟି ପରିବାରଙ୍କୁ ରାଜୀବ ଗାନ୍ଧୀ ଆବାସ ଯୋଜନାରେ ପଣ୍ଡାକୁଦିଆରେ ଥଇଥାନ କରାଯାଇଛି। ବାକି ୩୫ଟି ପରିବାର ଅନିଶ୍ଚିତତାରେ ରହିଛନ୍ତି। ପଣ୍ଡାକୁଦିଆରେ ରହୁଥିବା ଅଧିକାଂଶ ପରିବାର ପ୍ରାୟ ଏକ ମାସରୁ ଊର୍ଧ୍ବ ସମୟ ଧରି ପଣ୍ଡାକୁଦିଆରେ ଟେଣ୍ଟ ତଳେ ରହିବା ପରେ ଘର ପାଇଛନ୍ତି। କିନ୍ତୁ ବର୍ଷା ଦିନ ଆସିଯାଇଥିଲେ ମଧ୍ୟ ବିଜୁଳି ସଂଯୋଗ ହୋଇ ପାରୁନଥିବାରୁ ଦୁର୍ଦ୍ଦଶା ବଢ଼ୁଥିବା ଜଣାଇଛନ୍ତି। ପିଲାଙ୍କ ପାଠପଢ଼ା, ଘର କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇପଡ଼ିଛି। ରାସ୍ତା ନିର୍ମାଣ ମଧ୍ୟ ହୋଇନଥିବାରୁ ସେମାନେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି।

ସମ୍ବନ୍ଧିତ ଖବର