କଟକ: ରାସ୍ତା କଡ଼ରେ ଗଦା ହୋଇ ରହିବନି ବସ୍ତା ଭର୍ତ୍ତି ଅବ୍ୟବହୃତ ପ୍ଲାଷ୍ଟିକ୍ ସାମଗ୍ରୀ। ନିଜ ନିଜ ସାହି, ବସ୍ତିରେ ଯାହା କିଛି ଅବ୍ୟବହୃତ ପ୍ଲାଷ୍ଟିକ୍ ସାମଗ୍ରୀ ବାହାରିବ ତାକୁ ନେଇ ନିଜେ ସ୍ବାବଲମ୍ବୀ ହେବେ ମହିଳା। ସହରରେ ମହିଳା ଗୋଷ୍ଠୀଙ୍କୁ କମ୍ୟୁନିଟି ପ୍ରକଳ୍ପ 'ପ୍ଲାଷ୍ଟିକ୍ ରି-ପ୍ରସେସିଂ'ୟୁନିଟ୍ ଖୋଲିବା ପାଇଁ ଓଡିଶା ପ୍ରୋଜେକ୍ଟ ଏଣ୍ଡ ମାର୍କେଟିଂ ଡେଭଲପ୍ମେଣ୍ଟ ସେଣ୍ଟର(ଓପିଏମ୍ଡିସି) ପକ୍ଷରୁ ଯୋଜନା କରାଯାଇଛି। ଏଥିରେ ଅବ୍ୟବହୃତ ସଂଗୃହୀତ ପ୍ଲାଷ୍ଟିକ୍କୁ ସିଧାସଳଖ ଗୁଣ୍ଡ କରାଯାଇ ବଡ ବଡ ପ୍ଲାଣ୍ଟକୁ ଦିଆଯିବ। ଯାହା ଫଳରେ ମହିଳାମାନେ ସ୍ବାବଲମ୍ବୀ ହେବା ସହ ପ୍ଲାଷ୍ଟିକ୍ର ପୁନଃ ବ୍ୟବହାର ହୋଇପାରିବ ବୋଲି ଓପିଏମ୍ଡିସିର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଏଥିପାଇଁ କଟକ ସହରକୁ ପାଇଲଟ୍ ପ୍ରକଳ୍ପ ଭାବେ ହାତକୁ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ପଲିଥିନଠାରୁ ଆରମ୍ଭ କରି ବୋତଲ ଓ ବିଭିନ୍ନ ସାମଗ୍ରୀ ଡଷ୍ଟବିନ୍ରେ ପଡି ରହୁଛି। ତାହା ସବୁ ସିଧାସଳଖ ଅଳିଆଗଦାକୁ ଯାଉଛି। କିନ୍ତୁ ଏହି ସବୁ ପ୍ଲାଷ୍ଟିକ୍କୁ ଗୋଟାଇବା ସହ ତାକୁ ବିକ୍ରି କରି କେତେକ ଲୋକ ପରିବାର ଚଳାଉଛନ୍ତି। ପ୍ଲାଷ୍ଟିକ୍ କିପରି ରୋଜଗାରର ମାଧ୍ୟମ ହୋଇପାରିବ ସେଥିପାଇଁ ସହରାଞ୍ଚଳ ଓ ଗ୍ରାମୀଣ ଉଦ୍ୟୋଗ କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରରେ ମହିଳାମାନଙ୍କୁ ନେଇ ପ୍ରତି ସାହି ବସ୍ତିରେ ଛୋଟ ଛୋଟ ବା ମାଇକ୍ରୋ ପ୍ରକଳ୍ପ ସବୁ ହାତକୁ ନିଆଯିବ। ଯେଉଁଁଥିରେ ୫ଲକ୍ଷ ଟଙ୍କା ବ୍ୟୟରେ ପ୍ଲାଷ୍ଟିକ୍ ପ୍ରସେସିଂ ୟୁନିଟ୍ ଖୋଲାଯିବ। ଯେଉଁଠି ସେମାନେ ନିଜ କମ୍ୟୁନିଟିରୁ ଅଦରକାରୀ ପ୍ଲାଷ୍ଟିକ୍ ସଂଗ୍ରହ କରି ତାକୁ ଗୁଣ୍ଡ କରିବେ। ସେହି ଦାନାକୁ ବିଭିନ୍ନ କମ୍ପାନି ତଥା ପାଇପ୍ ନିର୍ମାଣ କମ୍ପାନିକୁ କିପରି ବିକ୍ରି କରିବେ ସେ ନେଇ ମଧ୍ୟ ସେମାନଙ୍କୁ ଯୋଗସୂତ୍ର କରାଇ ଦିଆଯିବ। ଏଭଳି ପ୍ରକଳ୍ପ ଦ୍ବାରା ପ୍ଲାଷ୍ଟିକ୍ର ପୁନଃବ୍ୟବହାର ହୋଇପାରିବ ଓ ମହିଳାମାନେ ନିଜେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଏ ସଂପର୍କରେ ଖୁବ୍ଶୀଘ୍ର ମହିଳା ଗୋଷ୍ଠୀ ଚୟନ ଓ କଟକ ଆଇଟିଆଇରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/IMG-20210607-WA0203_6.jpg)