କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରିବ ପୁଲିସ

କଟକ: ଜେଲରେ ଦିନ କାଟୁଥିବା ଧଳ ସାମନ୍ତ ବ୍ରଦର୍ସଙ୍କ ସହିତ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା କଟକ ମହାନଗର ନିଗମର ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳକୁ ୨ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରିବ। ଏଥି ପାଇଁ ପୁଲିସ ଶୁକ୍ରବାର ଆବେଦନ କରିବ।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଧଳ ସାମନ୍ତ ବ୍ରଦର୍ସଙ୍କ ପାଇଁ ରଂଜିତା ସହଯୋଗୀ ଭାବରେ କାମ କରୁଥିଲେ। କଟକ ମହାନଗର ନିଗମର ୭ ନମ୍ବର ଓ୍ୱାର୍ଡ କର୍ପୋରେଟର ରଂଜିତାଙ୍କୁ ପୂର୍ବରୁ ମଧ୍ୟ .ଜେରା କରାଯାଇଥିଲା। ରଂଜିତା ଗିରଫ ହେବା ପରେ ଦଳ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି। ବିଜେଡି ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି। ଦଳ ବିରୋଧୀ କାର୍ଯ୍ୟ ଏବଂ ଅସାମାଜିକ ତତ୍ତ୍ୱଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଦଳ ଏପରି ନିଷ୍ପତ୍ତି ନେଇଥିବା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କର୍ପୋରେଟର ରଂଜିତା ବିଶ୍ୱାଳ ଗତ ଥର ମହାନଗର ନିଗମ ନିର୍ବାଚନରେ ବିଜୁ ଜନତା ଦଳରୁ ଛିଡ଼ା ହୋଇ କଟକ ୭ ନମ୍ବର ଓ୍ଵାର୍ଡରୁ ବିଜୟୀ ହୋଇଥିଲେ। ତାଙ୍କର ନିର୍ବାଚନ ବିଜୟରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଗତ କିଛି ମାସ ହେବ ବିଧାୟକ ସାମନ୍ତରାୟ ଓ କର୍ପୋରେଟର ବିଶ୍ୱାଳଙ୍କ ମଧ୍ୟରେ କୁଆଡେ ମତାନ୍ତର ହୋଇଥିଲା।

ସମ୍ବନ୍ଧିତ ଖବର