ସିଡିଏ ଜମି ଆବଣ୍ଟନ ପାଇଁ ନିର୍ଦ୍ଦିଷ୍ଟ ନୀତି ନାହିଁ: ଦରକାର ନ ଥିବା ଲୋକଙ୍କୁ ମିଳିଛି ପ୍ଲଟ୍‌, ଖାଲି ପଡ଼ିଛି ହଜାରେ

କଟକ: ମର୍କତନଗର (ସିଡିଏ) ବିଭିନ୍ନ ସେକ୍ଟର୍‌ ଅଞ୍ଚଳରେ ଜମି ଆବଣ୍ଟନକୁ ନେଇ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କୌଣସି ନିର୍ଦ୍ଦିଷ୍ଟ ନୀତି ନାହିଁ। ମନଇଛା ଜମି ଆବଣ୍ଟନ କରିବା, ଲିଜ୍ ନେଇଥିବା ନିଲାମଧାରୀଙ୍କ ଉପରେ ସିଡିଏର ନିୟନ୍ତ୍ରଣ ନାହିଁ। ଏପରିକି ୧୯୯୫ରୁ ୨୦୦୦ ମସିହା ଭିତରେ ସିଡିଏରୁ ଜମି ନେଇଥିବା ନିଲାମଧାରୀ ଏବେ ବି ନେଇଥିବା ପ୍ଲଟ୍‌ରେ ଘର କରି ନାହାନ୍ତି। ବର୍ଷ ବର୍ଷ ଧରି ପ୍ଲଟ୍ ପକାଇ ରଖିବା ଓ ପରବର୍ତ୍ତୀ ସମୟରେ ଏହାକୁ ଚଢ଼ା ଦର (୨୦ ଗୁଣା) ରେ ଜମି ହସ୍ତାନ୍ତର କରୁଛନ୍ତି। ଅଳ୍ପ କିଛି ଟଙ୍କା ପାଇ ସିଡିଏ ମଧ୍ୟ ଏହାକୁ ଅନୁମତି ଦେଇ ଦେଉଛି। ମାତ୍ର, ଖାଲି ପକାଇଥିବା ପ୍ଲଟ୍‌ରେ କାହିଁକି ଘର କରାଯାଇ ନାହିଁ ତା’ର ତଦାରଖ କରାଯାଉ ନାହିଁ। ଗୋଟିଏ ପଟେ ସିଡିଏରୁ ପ୍ଲଟ୍‌ ଖଣ୍ଡେ ପାଇବାକୁ ବହୁ ସଂଖ୍ୟାରେ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ପରିବାର ଅପେକ୍ଷା କରି ନିରାଶ ହେଉଥିବା ବେଳେ ଦରକାର ନଥିବା ‌‌ଲୋକଙ୍କୁ କିନ୍ତୁ ପ୍ଲଟ୍ ଦିଆଯାଉଛି। କଟକରେ ‌ଏକାଧିକ ଘର, ପ୍ଲଟ୍ ଥାଇ ବି ଲୋକଙ୍କୁ ପ୍ଲଟ୍ ମିଳିଥିବ‌ା ବେଳେ ବହୁ ଲୋକ ଏଥିରୁ ବଂଚିତ ହୋଇଛନ୍ତି। ଜମି ନେଇଥିବା ବହୁ ପ୍ରଭାବଶାଳୀ ଘର ନ କରି ପ୍ଲଟ୍‌କୁ ଖାଲି ପକାଇଛନ୍ତି। ସିଡିଏ ଜମି ହସ୍ତାନ୍ତର ଏବେ ଏକ ବ୍ୟବସାୟ ପାଲଟିଛି। ସିଡିଏର ଏନଫୋର୍ସମେଣ୍ଟ୍ ଟିମ୍ ମଧ୍ୟ ସ୍ଥାଣୁ ପାଲଟିଛି। ଖାଲି ପଡିଥିବା ପ୍ଲଟ୍‌ଗୁଡ଼ିକୁ ଚିହ୍ନଟ କରି ଘର କରି ନଥିବା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ସିଡିଏର ଏଭଳି ନିରବତା ଯୋଗୁଁ ଏବେ ୭ଟି ସେକ୍ଟର୍‌ରେ ୧୨୦୦ରୁ ଅଧିକ ପ୍ଲଟ୍ ଘର ନ ହୋଇ ଫାଙ୍କା ପଡିଛି। ୧୯୮୨ରେ ଓଡ଼ିଶା ଡେଭେଲପମେଣ୍ଟ୍ ଅଥରିଟି ଆକ୍ଟ-୧୯୮୨ରେ ସିଡିଏ ପରିକଳ୍ପନା କରାଯାଇଥିଲା। ବିଡାନାସୀର ୧୦ରୁ ଅଧିକ ରାଜସ୍ବ ଗ୍ରାମରେ ଥିବା ସରକାରୀ ଓ ଘରୋଇ ଜମି ନେଇ ମର୍କତନଗର ସିଡିଏର ପରିକଳ୍ପନା କରାଯାଇଥିଲା। ସିଡିଏ ପକ୍ଷରୁ ବଣ୍ଟନ ହୋଇଥିବା ପ୍ଲଟ୍‌ ଆବାସିକ ଓ ବ୍ୟାବସାୟିକ ଭାବେ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ସେହି ଅନୁପାତରେ ଦର ମଧ୍ୟ ଧାର୍ଯ୍ୟ ହୋଇଥ‌‌‌ାଏ। ଯେଉଁମାନେ ଆବାସିକ ପାଇଁ ପ୍ଲଟ୍ ନେବେ ସେମାନେ ଏହାକୁ ବ୍ୟାବସାୟିକ କାର୍ଯ୍ୟ‌ରେ ବ୍ୟବହାର କରିପାରିବେ ନାହିଁ।

ସେମ‌‌ାନେ କେବଳ ଘର କରି ରହିପାରିବେ। ଆରମ୍ଭରୁ ଏ ନେଇ କଟକଣା ଥିଲା। ତା’ଛଡ଼ା, କଟକ ସହରରେ ଘର ବା ପ୍ଲଟ୍ ଥିଲେ ସେମାନଙ୍କୁ ମିଳୁ ନଥିଲା। ମାତ୍ର ପ‌ରେ ଏହାକୁ ଆଇନଗତ ବିବାଦ ଭିତରେ ଛନ୍ଦି ଦିଆଗଲା। ପରେ ସିଡିଏରେ ପ୍ରଭାବଶାଳୀମାନେ ଏକାଧିକ ପ୍ଲଟ୍ ହାତେଇଥିଲେ। ଏ ନିୟମ ବି ଆଉ କାମ କଲାନି। ତଥ୍ୟ ମୁତାବକ, ସିଡିଏ ସେକ୍ଟର୍‌-୬‌ରେ ମୋଟ ୧୬୮୨ ଟି ଆବାସିକ ପ୍ଲଟ୍ ରହିଛି। ଏହି ସେକ୍ଟର୍‌ରେ ଏବେ ବି କିଛି ପ୍ଲଟ୍ ଖାଲି ପଡ଼ିଛି। ତେବେ ସିଡିଏ ନିୟମକୁ ପାଳନ କରିବା ପାଇଁ ଘରକୁ ଅଧାଗଢ଼ା କରି ଛାଡ଼ିଦେବା ଓ ପରେ ଏହାକୁ ଅନ୍ୟମାନଙ୍କୁ ବିକ୍ରି କରି ଦିଆଯାଉଛି। ସେହିଭଳି ସିଡିଏ ସେକ୍ଟର୍‌-୭ରେ ୨୨୧୮ଟି ପ୍ଲଟ୍ ରହିଥିବା ବେଳେ ଏଠାରେ ମଧ୍ୟ କିଛି ପ୍ଲଟ୍ ଏବେ ବି ଖାଲି ରହିଛି। ସେକ୍ଟର୍‌-୮ରେ ୭୦୩ଟି ପ୍ଲଟ୍, ସେକ୍ଟର୍‌-୯ରେ ୧୬୭୦ ଓ ସେକ୍ଟର୍‌-୧୦ରେ ୧୭୨୨ ଓ ସେକ୍ଟର୍‌-୧୧ରେ ୧୬୩୪ ଟି ପ୍ଲଟ୍ ରହିଛି। ତେବେ ୧୦ ନମ୍ବର, ୧୧ ନମ୍ବର ଓ ୧୩ ନମ୍ବରରେ ଏକ ହଜାରରୁ ଅଧିକ ପ୍ଲଟରେ ଏ ଯାଏ ଘର ହୋଇ ନାହିଁ। ସିଡିଏରୁ ପ୍ଲଟ୍‌ କିଣି ୧୦ବର୍ଷରୁ ଅଧିକ ସମୟ ପକାଇ ରଖିଥିବା ମାଲିକଙ୍କ ଲିଜ୍ ବାତିଲ କରି ଏହାକୁ ଅନ୍ୟମାନଙ୍କୁ ଦେବାକୁ ଦାବି ହୋଇଛି। ଏଥିପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ କରିବାକୁ ଦାବି ହୋଇଛି। ସିଡିଏରେ ଏବେ ବିଭିନ୍ନ ସେକ୍ଟର୍‌ରେ ୧୭୬ଟି ପ୍ଲଟ୍ ଆବଣ୍ଟନ ନ ହୋଇ ପଡି ରହିଛି। ସେକ୍ଟର୍‌-୬ରେ ୨ଟି, ସେକ୍ଟର୍‌-୭ରେ ୧୨ଟି, ୮ରେ ୭ଟି, ୯ରେ ୬ଟି, ୧୦ରେ ୧୯ଟି ଓ ସେକ୍ଟର୍‌-୧୧ରେ ୮ଟି ପ୍ଲଟ୍ ଆବଣ୍ଟନ ‌ନ ହୋଇ ଖାଲି ପଡ଼ିଥିବା ବେଳେ ୧୩ ନମ୍ବର ସେକ୍ଟର୍‌ରେ ୧୨୨ଟି ପ୍ଲଟ୍ ଆବଣ୍ଟନ ନ ହୋଇ ପଡ଼ି ରହିଛି। ସିଡିଏର ଲିଜ୍ ପ୍ଲଟକୁ ନେଇ କିଣାବିକା ଓ ହସ୍ତାନ୍ତର କରିବାରେ ଦଲାଲମାନେ ମଧ୍ୟ ସକ୍ରିୟ ‌ହୋଇପଡିଛନ୍ତି। ସିଡିଏଠାରୁ ଅଳ୍ପ କିଛି ଲକ୍ଷ ଟଙ୍କା ଦେଇ ନେଇଥିବା ପ୍ଲଟ୍‌କୁ ୫୦ରୁ ୬୦ଲକ୍ଷରେ ହସ୍ତାନ୍ତର କରାଯାଉଛି। ଏଥିରୁ ମାତ୍ର କିଛି ପ୍ରତିଶତ ଅର୍ଥ ସିଡିଏ ଖାତାକୁ ଯାଉଛି। ଏ ନେଇ ସିଡିଏ ପକ୍ଷରୁ ଏକ ସ୍ବତନ୍ତ୍ର ନୀତି ଆଣିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର