କଟକ: କଟକ ବଡ଼ ଡାକ୍ତରଖାନାରେ ଥିବା ପୂର୍ବଭାରତର ପ୍ରଥମ ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରକୁ ପିଏମ୍ଆର ଏଣ୍ଡ ସ୍ପାଇନାଲ ଇନ୍ଜୁରି ସେଣ୍ଟର ଭାବେ ପରିଣତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ କର୍ତ୍ତୃପକ୍ଷ ସରକାରଙ୍କୁ ଚିଠି ଲେଖିଥିବା ବେଳେ ଖୁବ୍ଶୀଘ୍ର ଏହାର ପରିଚାଳନା କମିଟି ବୈଠକ ବସିବା ସହ ଏ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଅନ୍ୟପଟେ ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଫିଜିକାଲ ମେଡିସିନ୍ ଏଣ୍ଡ ରିହାବିଲିଟେସନ୍ (ପିଏମ୍ଆର) କେନ୍ଦ୍ର ଖୋଲିବା ପାଇଁ ଏନ୍ଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଭିତ୍ତିକରି ଏସ୍ସିବି ପରିସରରେ ଥିବା ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରରେ ଯେହେତୁ ସମସ୍ତ ଭିତ୍ତିଭୂମି ରହିଛି ତେଣୁ ତାକୁ ପିଏମ୍ଆର ସେଣ୍ଟର ଭାବେ ପରିଣତ କରିବାକୁ ଯୋଜନା ଆରମ୍ଭ କରାଯାଇଛି। ଯଦି ପରିଚାଳନା କମିଟି ଅନୁମୋଦନ କରେ ତାହେଲେ ଜୁଲାଇ ଶେଷ ବେଳକୁ ଏହା ଚୂଡାନ୍ତ ହେବାର ସମ୍ଭାବନା ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି ।
ପୂର୍ବଭାରତର ଏହି ପ୍ରଥମ ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର ଏବେ କାମଚଳା ଢଙ୍ଗରେ ଚାଲିଛି। ୧୨ ବର୍ଷ ହେଲା ଏଠାରେ ନିଯୁକ୍ତ ହେଉ ନାହାନ୍ତି ସ୍ଥାୟୀ ନିର୍ଦ୍ଦେଶକ। ଫିଜିଓଥେରାପି ଓପିଡି, ଇନ୍ଡୋର ରୋଗୀଙ୍କ ପାଇଁ ବ୍ୟବସ୍ଥା ଥିଲେ ସୁଦ୍ଧା ତାହା ସରକାରୀ ଛୁଟି ଦିନରେ ବନ୍ଦ। ଫଳରେ ଆଞ୍ଚଳିକ ଆଘାତ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀ ଛୁଟି ଦିନରେ ଫିଜିଓଥେରାପି ସେବାରୁ ବଞ୍ଚିତ ହେଉଛନ୍ତି। ଏପଟେ ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ଦିଆଯାଉନି। ୨୦୦୧, ଫେବ୍ରୁଆରି ୨୮ରେ ଏସ୍ସିବି ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର ଖୋଲାଯାଇଥିଲା।
ଉଦ୍ଦେଶ୍ୟ ଥିଲା ଦୁର୍ଘଟଣାରେ ମେରୁଦଣ୍ଡ ଆଘାତ ଜନିତ ରୋଗୀଙ୍କ ଚିକିତ୍ସା, ଅସ୍ତ୍ରୋପଚାର ସହ ଫିଜିଓଥେରାପି ଚିକିତ୍ସା ସେମାନଙ୍କୁ ସୁବିଧାରେ ମିଳିପାରିବ। ଏହି କେନ୍ଦ୍ରରେ ୩୦ଟି ସାଧାରଣ ବେଡ୍, ଗୋଟିଏ ଏସ୍ସି କ୍ୟାବିନ୍ ସହ ୧୫ଟି କ୍ୟାବିନ୍ ରହିଛି। ତା ସହିତ ସ୍ବତନ୍ତ୍ର ଅସ୍ତ୍ରୋପଚାର କକ୍ଷ ମଧ୍ୟ ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଫିଜିଓଥେରାପି ଓପିଡି ଓ ଇନ୍ଡୋର ରୋଗୀଙ୍କ ପାଇଁ ମଧ୍ୟ ଫିଜିଓଥେରାପି ସୁବିଧା ବ୍ୟବସ୍ଥା ରହିଛି। କିନ୍ତୁ ସରକାରୀ ଛୁଟି ହେଲେ ଫିଜିଓଥେରାପି ଚିକିତ୍ସା ବନ୍ଦ ରହୁଥିବାବେଳେ ରୋଗୀ ଚିକିତ୍ସା ସୁବିଧାରୁ ବଂଚିତ ହେଉଛନ୍ତି। ମାନୁଆଲ ଫିଜିଓଥେରାପି କରାଯାଉନି। କେବଳ ମେସିନ୍ ଦ୍ବାରା ସେକ, କରେଣ୍ଟ, ଅଲଟ୍ରାସୋନିଙ୍ଗ ଦିଆଯାଉଛି। ଯେହେତୁ ରାଜ୍ୟର ସବୁ ମେଡିକାଲ କଲେଜ ଏନ୍ଏମ୍ସି ଗାଇଡ୍ ଲାଇନ୍ ଅନୁସାରେ ପିଏମ୍ଆର ସେଣ୍ଟର ଖୋଲିବା ପାଇଁ ବାଧ୍ୟ ଓ ଏସ୍ସିବିରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି କେନ୍ଦ୍ର ଖୋଲାଯାଇପାରିନି, ସେହି ଦୃଷ୍ଟିରୁ ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରରେ ପିଏମ୍ଆର କେନ୍ଦ୍ର ପାଇଁ ସମସ୍ତ ଭିତ୍ତିଭୂମି ରହିଛି। ଅନ୍ୟପଟେ ପିଏମ୍ଆର ସେଣ୍ଟର ହେଲେ କର୍ମଚାରୀଙ୍କର ଯେଉଁ ଦରମା ଅସଙ୍ଗତି ରହିଛି ତାହା ମଧ୍ୟ ଦୂର ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।