କଟକ: ଜଗତପୁର ଆଡ଼କୁ ମାଡ଼ିଆସିଲେଣି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗ୍ୟାଙ୍ଗ। ଆଜି ଜଗତପୁର ଗୋଲେଇ ଛକରୁ ଦିଲ୍ଲୀ ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କରୁଥିବା ବେଳେ ବଡ଼ ଗ୍ୟାଙ୍ଗ ଧରାପଡ଼ିଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି କେନ୍ଦ୍ରାପଡ଼ା ନିକିରେଇର ବିଶ୍ଵନାଥ ପରମାଣିକ (୩୪), ଦିଲ୍ଲୀ ନୋଏଡ଼ା ଦୀପକ ଦାସ(୨୭), ଲିୟାସ ଖାଁ(୨୫), କମଲେସ(୨୭)। ବିଭାଗ ସେମାନଙ୍କ ନିକଟରୁ ୮ ଲକ୍ଷ ୨୦ ହଜାର ଟଙ୍କାର ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, କନ୍ଧମାଳରୁ ଗଞ୍ଜେଇ ମାଫିଆ ଖୋର୍ଧାରେ ଗଞ୍ଜେଇ ଭଡ଼ା ଘରେ ମହଜୁତ ରଖୁଥିଲେ। ସେଠୁ ଭୁବନେଶ୍ୱର ରେଳ ଷ୍ଟେସନରୁ କଲିକତା ଓ ଦିଲ୍ଲୀ ଚାଲାଣ କରୁଥିଲେ। କିନ୍ତୁ ଖୋର୍ଧାରେ ଲଗାତର ଚଢଉ ପରେ ଏବେ ମାଫିଆ ଡିପୋର ଠିକଣା ବଦଳାଇ ଦେଇଛନ୍ତି। ଖୋର୍ଧା ବଦଳରେ ଜଗତପୁର ଶିଳ୍ପାଞ୍ଚଳ ନିକଟରେ ଏକ ଭଡ଼ା ଘରେ ଗଞ୍ଜେଇ ମହଜୁତ ରଖୁଥିଲେ। ସେମାନଙ୍କୁ ଖୋର୍ଧାରୁ ୬ ଜଣ ହୋଲସେଲରଙ୍କ ଏଜେଣ୍ଟ ଗଞ୍ଜେଇ ଆଣି ଯୋଗାଇ ଥିଲେ। ଆଜି ଭୋର ପ୍ରାୟ ୫ଟା ବେଳେ ଉପରୋକ୍ତ ଗିରଫ ୪ ଅଭିଯୁକ୍ତ ୪ ଟି ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ଜଗତପୁର ଗୋଲେଇ ଛକ ନିକଟରେ ଅଟୋକୁ ଅପେକ୍ଷା କରିଥିଲେ। ଅଟୋରେ କଟକ ରେଳ ଷ୍ଟେସନ ଯାଇଥାନ୍ତେ।
ଟ୍ରେନରେ ସିଧା ଦିଲ୍ଲୀ ଗଞ୍ଜେଇ ଚାଲାଣ ହୋଇଥାନ୍ତା। କିନ୍ତୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଆଗୁଆ ଖବର ପାଇବାରୁ ଚାଲାଣ ଯୋଜନା ବିଫଳ ହୋଇଥିଲା। ଏହି ଗ୍ୟାଙ୍ଗ ନିକଟରୁ ୮୨ କେଜି ଓଜନର ଗଞ୍ଜେଇ ଜବତ ହୋଇଛି। ଏମାନଙ୍କୁ ଜେରାରେ ରୋଚକ ତଥ୍ୟ ସାମନାକୁ ଆସିଛି। ଏମାନେ ଓଡ଼ିଶାରେ ୪ ହଜାର ଟଙ୍କାର ଗଞ୍ଜେଇ କିଣି ୧୦ ହଜାର ଟଙ୍କାରେ ଦିଲ୍ଲୀରେ ବିକ୍ରି କରୁଥିଲେ। ଟ୍ରେନର ସାଧାରଣ ବଗିରେ ଶୌଚାଳୟ ଭିତରେ ଗଞ୍ଜେଇ ବସ୍ତା ଲୁଚାଇ ରଖୁଥିଲେ।
ଫଳରେ ସହଜରେ ଧରା ପଡ଼ିପାରୁନଥିଲେ। ଦିଲ୍ଲୀ ଷ୍ଟେସନରେ ଟ୍ରେନ ଓହ୍ଲାଇବା ପୂର୍ବରୁ ମାଫିଆମାନେ ଗଞ୍ଜେଇ ବସ୍ତା ସହିତ ଡେଇଁପଡୁଥିଲେ। ଜଗତପୁରରୁ ଏଭଳି ପ୍ରତି ମାସରେ ଦୁଇ ଥର ଚାଲାଣ ହେଉଥିବା ତଦନ୍ତରୁ ଜଣାପଡିଛି। ଗଞ୍ଜେଇ ଯୋଗାଣରେ ସାମିଲ ୬ ଏଜେଣ୍ଟଙ୍କୁ ଏବେ ଖୋଜା ଚାଲିଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଆଇଆଇସି ଜଗଦିଶ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ କରିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/img-20200928-wa0029_6.jpg)
