କଟକ/ବାଙ୍କୀ :ପ୍ରଥମେ ଆର୍ଆଇ ଅଫିସ୍ରେ ଟ୍ରେଲର ଦେଖାଇଲେ, ତାପରେ ଫୋନ୍ କରି ବାଙ୍କୀ ତହସିଲଦାରଙ୍କୁ ଧମକ୍ ଦେଲେ ବାଲି ମାଫିଆ। ଏଭଳି ଏକ ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବାଙ୍କୀ ତହସିଲଦାର ବନ୍ଦନା ଖଟୁଆଙ୍କୁ ବାଙ୍କୀ ବୈଦେଶ୍ୱର ଥାନା ଅଞ୍ଚଳର କିଛି ବାଲିମାଫିଆ ଫୋନ୍ କରିଥିଲେ। ବାଲି ଚାଲାଣ ହେଉଛି, ଆସନ୍ତୁ ଧରିବେ ବୋଲି କହିଥିଲେ। ହେଲେ ବିଳମ୍ବିତ ରାତିରେ ଏଭଳି ଫୋନ କଲ୍କୁ ନେଇ ତହସିଲଦାର ସନ୍ଦେହ କରିବା ସହ ଯିବାକୁ ମନା କରି ଦେଇଥିଲେ। ଫଳରେ ସେମାନେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ୍ କରିବା ସହ ତାଙ୍କୁ ଧମକ ଦେଇଥିଲେ। ଘଟଣା ସଂପର୍କରେ ତହସିଲଦାରଙ୍କ ଅଭିଯୋଗକ୍ରମେ ବୈଦେଶ୍ୱର ପୁଲିସ ମାମଲା ରୁଜୁ କରି ବାଲି ମାଫିଆ ସୁଶାନ୍ତ ବ୍ରହ୍ମାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଘଟଣାରେ ସଂପୃକ୍ତ ଅନ୍ୟମାନେ ଫେରାର ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ ବାଙ୍କୀ-ବୈଦେଶ୍ୱର ଅନ୍ତର୍ଗତ ମହାନଦୀ ଶଯ୍ୟାରୁ ପ୍ରତ୍ୟହ ଚାଲାଣ ହେଉଛି ଟ୍ରିପ୍ ଟ୍ରିପ୍ ବାଲି । ଦୀର୍ଘଦିନ ଧରି ଚାଲିଆସୁଥିବା ଏହି ବାଲି ଚୋରି ସଂପର୍କରେ ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହୋଇଆସୁଥିଲା। ତେବେ ବାଙ୍କୀରେ ନୂତନ ତହସିଲଦାର ବନ୍ଦନା ଖଟୁଆ ଯୋଗ ଦେବା ପରେ ସେ ବାରମ୍ବାର ମୋରମ ଏବଂ ବାଲି ଚୋରା ଚାଲାଣ ଉପରେ ଚଢ଼ାଉ କରିଥିଲେ। ଗତ ମାସରେ ଅଚାନକ ଚଢ଼ଉରେ ପ୍ରାୟ ୫ଟି ଟ୍ରାକ୍ଟରକୁ ବାଲି ଚୋରା ଚାଲାଣ ବେଳେ ତହସିଲଦାର ଧରିବା ସହ ଜରିମାନା କରିଥିଲେ। ସେହି ରାଗ ରଖି ଗତକାଲି ରାତିରେ ସଂପୃକ୍ତ ବ୍ୟକ୍ତିମାନେ ପ୍ରଥମେ ବୈଦେଶ୍ୱର ଆର୍ଆଇ ଅଫିସରେ ପଶି ଅଧିକାରୀଙ୍କୁ ଧମକ ଚମକ ଦେବା ସହ ଏଠାରୁ ଅଫିସ୍ ଉଠାଇ ଦେବୁ ବୋଲି ଧମକ ମଧ୍ୟ ଦେଇଥିଲେ। ଏହା ପରେ ତହସିଲଦାରଙ୍କୁ ଫୋନ୍ କରିଥିଲେ। ଫୋନ୍ଯୋଗେ ବୈଦେଶ୍ୱର ବାଲିଘାଟକୁ ଆସି ବାଲିଗାଡ଼ି ଜବତ କରିବାକୁ ତହସିଲଦାଙ୍କୁ କହିଥିଲେ।
ମାତ୍ର ବିଳମ୍ବିତ ରାତିରେ ଏହି ସୂଚନା ଉପରେ ସନ୍ଦେହ ହେବାରୁ ସେ ମନା କରିବାରୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ସଂପୃକ୍ତ ବ୍ୟକ୍ତିମାନେ ଗାଲିଗୁଲଜ କରିଥିବା ସେ ପ୍ରକାଶ କରିଛନ୍ତି। ଏହାଛଡ଼ା ସେହି ବ୍ୟକ୍ତିମାନେ ବୈଦେଶ୍ୱର ଆର୍ଆଇ ଅଫିସରେ ପଶି ଅଧିକାରୀଙ୍କୁ ଧମକ ଚମକ ମଧ୍ୟ ଦେଇଥିବା ଏବଂ ସରକାରୀ କାର୍ଯ୍ୟରେ ବାଧା ଦେଉଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ବୈଦେଶ୍ୱର ଥାନାରେ ୯୩/୨୦୧୭ରେ ଧାରା ୫୦୭, ୨୯୪, ୫୦୬, ୩୫୩, ୩୪-ଆଇପିସି, ଏସ୍.ସି. ଏସ୍.ଟି ଆକ୍ଟ ୩(୧) (ଆର୍ଓଏସ୍) ଏବଂ ୩(୨)(ଭି.ଏ)ରେ ବୈଦେଶ୍ୱର ଥାନା କୋଠପାଟଣା ଗ୍ରାମର ପ୍ରଫୁଲ୍ଲ କୁମାର ସାହୁ, ଲିଟୁ ମାନ୍ଧାତା, ମାଳବିହାରପୁରର ସୁଶାନ୍ତ ବ୍ରହ୍ମା, ଲୋକା ଖଟୁଆ ଏବଂ ପାଇକସାହି ଅଞ୍ଚଳର ପଦିଆ ଓ ନଟିଆଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏ ସଂକ୍ରାନ୍ତରେ ତହସିଲଦାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ ବୋଲି କହିଥିବା ବେଳେ ଅଭିଯୁକ୍ତମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/default_2-1.jpg)