ଡକାୟତି ଯୋଜନା ବେଳେ ପୁଲିସ ଚଢ଼ଉ; ବନ୍ଧୁକ ସହ ୫ ଧରା ହେଲେ, ୨ ଖସିଗଲେ

ମହାନଦୀବିହାର: ବିଦ୍ୟାଧରପୁର ତେଲିସାହି ନିକଟରେ ଡକାୟତି ଯୋଜନା ବେଳେ ଚାଉଳିଆଗଞ୍ଜ ପୁଲିସ ଚଢ଼ଉ କରି ୫ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିବା ବେଳେ ଆଉ ୨ଜଣ ଖସି ପଳାଇଛନ୍ତି। ଧରାପଡ଼ିଥିବା ଡ଼କାୟତଙ୍କ ନିକଟରୁ ବନ୍ଧୁକ ଓ ଅନ୍ୟ ମାରାଣାସ୍ତ୍ର ଜବତ କରାଯାଇଛି। ସୂଚନ ଅନୁଯାୟୀ, ବିଦ୍ୟାଧରପୁର ଦୋଳମଣ୍ଡପ ସାହିର ମିଲନ ଓରଫ ବିଶ୍ୱଜିତ ମହାରଣା(୨୩), ପୋତପୋଖରୀ ଅଂଚଳର ଗେଡ଼ା ଓରଫ ସୁଧୀର ଦାସ(୨୧), ଚାଉଳିଆଗଞ୍ଜ ଗୋପବନ୍ଧୁ ନଗରର ବାବୁ ଓରଫ ବିନୋଦ କୁମାର ସ୍ୱାଇଁ (୨୧), ଓଏମ୍‌ପି ବସ୍ତିର ନଣ୍ଡା ଓରଫ ଅଜୟ ଦେହୁରୀ(୨୫), ବିଦ୍ୟାଧରପୁର ଛକସାହିର ଜଗା ଓରଫ ଦେବାଶିଷ ମହାରଣା(୨୧) ଜାତୀୟ ରାଜପଥରେ ପାରାଦୀପରୁ କଟକ ଆସୁଥିବା ମାଛ ଗାଡ଼ିକୁ ଲୁଟ କରିବାକୁ ଯୋଜନା  କରୁଥିବା ବେଳେ ଚାଉଳିଆଗଞ୍ଜ ଥାନାର ଏସିପି ତାପସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦେଶରେ ଏସ୍‌.ଆଇ ମନେଶ୍ୱର ପ୍ରଧାନ, ଥାନା ସ୍କ୍ବାଡ୍‌ ବିଶ୍ୱଜିତ ସାମନ୍ତରାୟ, ନିଲୁ ନାୟକ ପ୍ରମୁଖ ଚଢ଼ଉ କରି ୫ଜଣ ଡକାୟତଙ୍କୁ କାବୁ କରିଥିଲେ।

ତେବେ, ସେମାନଙ୍କ ସହ ଥିବା ଅନ୍ୟ ୨ଜଣ ଡକାୟତ ଖସି ପଳାଇଥିଲେ। ଧରାପଡ଼ିଥିବା ଡକାୟତଙ୍କ ନିକଟରୁ ଦୁଇଟି ସିକ୍ସର୍‌ ବନ୍ଧୁକ, ଗୋଟିଏ ଏୟାର ପିସ୍ତଲ୍‌, ଗୋଟିଏ ଛୁରୀ ଓ ୩ଟି ବାଇକ୍‌ ଜବତ କରାଯାଇଛି। ଗେଡ଼ା ନାମରେ ଚାଉଳିଆଗଞ୍ଜ ଓ ବାଦାମବାଡ଼ି ଥାନାରେ ୫ଟି ଅଭିଯୋଗ ଥିବାବେଳେ ଅନ୍ୟମାନଙ୍କ ନାମରେ ଚାଉଳିଆଗଞ୍ଜ ଥାନାରେ ୧୦ରୁ ଅଧିକ ଚୋରି ଓ ଡକାୟତି ମାମଲା ରହିଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର