ଜବରଦଖଲରେ ଶିଶୁଭବନ ଫାଟକ: ଗାଡ଼ି ‌ହଟାଇଲା ପୁଲିସ; ତାଗିଦ୍ କରି ଚାଲିଗଲା ସିଏମ୍‌ସି ସ୍କ୍ବାଡ୍

କଟକ: ଶିଶୁଭବନ ମୁଖ୍ୟ ଫାଟକ ବାହାର ଜମିକୁ ଜବରଦଖଲ କରିଥିବା ବ୍ୟବସାୟୀ ତୁରନ୍ତ ସ୍ଥାନ ଖାଲି କରିବାକୁ ଗୁରୁବାର ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ତାଗିଦ୍ କରିଛି। ଲାଲବାଗ ଥାନା ପୁଲିସ ବି ବାହାରେ ପାର୍କିଂ ହୋଇଥିବା ଗାଡ଼ିକୁ ହଟାଇ ଦେଇଥିଲା। କିନ୍ତୁ ଦିନ ପ୍ରାୟ ୨ଟା ପରେ ପୂର୍ବ ଭଳି ସେହି ଅଞ୍ଚଳକୁ ବେଆଇନ ଜବରଦଖଲକାରୀଙ୍କ କବଜାକୁ ଚାଲିଯାଇଥିଲା। ସିଏମସି କେବଳ ସ୍ଥାନ ଖାଲି କରିବାକୁ କହି ଦାୟିତ୍ବ ସାରିଦେଇଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ କେତେ ଦିନ ଭିତରେ ଶିଶୁଭବନ ଜମିକୁ ଜବରଦଖଲକାରୀମାନେ ଖାଲି କରିବେ କିମ୍ବା ସିଏମସି ଉଚ୍ଛେଦ କରିବ- ସେ ନେଇ କୌଣସି ପ୍ରକାର ସ୍ପଷ୍ଟ ଘୋଷଣା କରିନାହିଁ। ସେହିଭଳି ଶିଶୁଭବନ କର୍ତ୍ତୃପକ୍ଷ ମଧ୍ୟ ଏହି ଜବରଦଖଲ ମାମଲାରେ ସମ୍ପୂର୍ଣ୍ଣ ନିରବ ରହିଛନ୍ତି। ମୁଖ୍ୟ ଗେଟ୍ ଖୋଲି ରୋଗୀ ଚଳପ୍ରଚଳ କରିବାକୁ ଅନୁମତି ଦେଉନାହାନ୍ତି। ଗେଟ୍ ବନ୍ଦ ରହୁଥିବାରୁ ପରୋକ୍ଷରେ ଶିଶୁଭବନ କର୍ତ୍ତୃପକ୍ଷ ଜବରଦଖଲକାରୀଙ୍କ ପାଇଁ ଦୋକାନ ଖୋଲିବାକୁ ସୁଯୋଗ ସୃଷ୍ଟି କରୁଛନ୍ତି। ଶିଶୁଭବନ ଭିତରେ ବେଆଇନ ପାର୍କିଂ ଓ ଅବାଧ ପ୍ରବେଶ ରୋକିବାକୁ ୨୦୧୫ ମସିହା ପରଠାରୁ ବନ୍ଦ ପଡ଼ିଥିବା ଲାଲବାଗ ଥାନା ପଟ ମୁଖ୍ୟ ଗେଟକୁ ଖୋଲିବାକୁ ପ୍ରସ୍ତୁତ ହେଉନାହାନ୍ତି କର୍ତ୍ତୃପକ୍ଷ। ମୁଖ୍ୟ ଗେଟ୍ ଦୁଇ ପଟେ ଦୋକାନୀମାନେ ବେଆଇନ ଭାବେ ବର୍ଷ ବର୍ଷ ଧରି ଜବରଦଖଲ କରିଥିବା ବେଳେ ଭିତର ସ୍ଥିତି ଆହୁରି ସଂଗିନ। ମେଡିକାଲ୍ ଓାର୍ଡ-୧ ସାମନା ପଡ଼ିଆରେ ଘରୋଇ ଗାଡ଼ି ଚାଳକମାନେ ଗାଡ଼ି ପାର୍କିଂ ପାଇଁ ଅକ୍ତିଆର କରିନେଇଛନ୍ତି। ଏଠି କାରଠୁ ଆରମ୍ଭ କରି ଘରୋଇ ଆମ୍ବୁଲାନ୍ସ ପାର୍କିଂ କରାଯାଉଛି। ନିରାମୟ କେନ୍ଦ୍ର ସାମନା, ଟେଲିମେଡିସିନ୍ ସେଣ୍ଟର ବାହାରେ ସ୍ଥିତି ସମାନ। ଶିଶୁଭବନ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପଛପଟେ ଯେଉଁଠି କେବଳ ଡାକ୍ତରଙ୍କ ଗାଡ଼ି ପାର୍କିଂ ପାଇଁ ଉଲ୍ଲେଖ କରାଯାଇଛି, ସେଠି ବି ଘରୋଇ ଗାଡ଼ି ଚାଳକ ପାର୍କିଂ କରିଛନ୍ତି। ଓଲଡ୍ ସର୍ଜରୀ ଓ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସାମନା ଗେଟର ସ୍ଥିତି ବି ସଂଗିନ। ଚାରି ଚକିଆ ଗାଡ଼ି ଭର୍ତ୍ତି। ଶିଶୁଭବନ ଔଷଧ ଭଣ୍ଡାର ସାମନାରେ ଏକ ଅସ୍ଥାୟୀ ଅଟୋ ଷ୍ଟାଣ୍ଡ ଖୋଲି ଯାଇଛି।

Sambad

ଅଟୋ ଚାଳକମାନେ ମନ ଇଚ୍ଛା ଯାତ୍ରୀଙ୍କୁ ଉଠାଉଛନ୍ତି ଓ ପାର୍କିଂ କରୁଛନ୍ତି। କରୋନା ପୂର୍ବରୁ ଶିଶୁଭବନ ପଛପଟେ ରିଙ୍ଗବନ୍ଧରେ ଅଟୋ ଚାଳକମାନେ ପାର୍କିଂ କରୁଥିଲେ। ଏବେ ଅଟୋ ଚାଳକମାନେ ସିଧା ଭିତରକୁ ପଶି ଆସିଛନ୍ତି। ଶିଶୁଭବନ ପରିସରରେ ଥିବା ସାଇ ମନ୍ଦିର ସାମନା ସ୍ଥିତି ତ ଆହୁରି ଦୟନୀୟ। ଲାଲବାଗ ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କ ଗାଡ଼ି ପାର୍କିଂ ପାଇଁ ସ୍ଥାନ ଅଭାବ ଥିବାରୁ ଶିଶୁଭବନ ସାଇ ମନ୍ଦିର ସାମନାରେ ଥିବା ଖୋଲା ସ୍ଥାନକୁ ଉପଯୁକ୍ତ ପାର୍କିଂ ସ୍ଥଳ ଭାବେ ଧରି ନେଇଛନ୍ତି। ବର୍ଷ ବର୍ଷ ଧରି ସେଠାରେ କାର୍ ପାର୍କିଂ ହୋଇ ରହୁଛି। ନୋ ପାର୍କିଂ ଜୋନ୍ ବୋର୍ଡ ଲାଗିଥିବା ସତ୍ତ୍ବେ ଜାପାନ କୋଠା ସାମନାରେ ବି ବାଇକ୍ ଭର୍ତ୍ତି। ବେଆଇନ ପାର୍କିଂ ସଂଖ୍ୟା ଶିଶୁଭବନରେ ଏତେ ମାତ୍ରାରେ ବଢ଼ିଯାଇଛି ଯେ ରୋଗୀଙ୍କୁ େନଇ ଆସୁଥିବା ଘରୋଇ କାର୍ କିମ୍ବା ଆମ୍ବୁଲାନ୍ସ ପାର୍କିଂ ପାଇଁ ସ୍ଥାନ ନାହିଁ। ବେଆଇନ ଗାଡ଼ି ପାର୍କିଂ ଉଚ୍ଛେଦ ପାଇଁ ଏତେ ବଡ଼ କ୍ୟାମ୍ପସରେ ଆଉଟସୋର୍ସିଂରୁ ମାତ୍ର ଦୁଇ ଜଣ ଘରୋଇ ସୁରକ୍ଷାକର୍ମୀଙ୍କୁ ଶିଶୁଭବନ କର୍ତ୍ତୃପକ୍ଷ ନିୟୋଜିତ କରିଛନ୍ତି। ସାମନା ଗେଟରୁ ପଛପଟ ଗେଟ୍ ପର୍ଯ୍ୟନ୍ତ ଦୁଇ ଜଣ ସୁରକ୍ଷାକର୍ମୀ କିଭଳି ବେଆଇନ ପାର୍କିଂ ତଦାରଖ କରିବେ, ତାକୁ ନେଇ ପ୍ରଶ୍ନ ଉଠୁଛି। କଟକ ବଡ଼ ଡାକ୍ତରଖାନା ଭିତରେ ବେଆଇନ ପାର୍କିଂ ରୋକିବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବାହାର ଅଟୋ, ଘରୋଇ ଆମ୍ବୁଲାନ୍ସ କିମ୍ବା କାର୍ ପାର୍କିଂ କରିବା ଉପରେ କଟକଣା ଲଗାଯାଇଛି। କିନ୍ତୁ ଶିଶୁଭବନରେ ଏହି ନିୟମ କାର୍ଯ୍ୟକାରୀ କେବେ ହେବ?
‘ସମ୍ବାଦ’ରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ବ୍ୟବସାୟୀଙ୍କ ଭିତରେ ଛନକା ପଶିଛି। ଜବରଦଖଲକାରୀମାନେ ସିଏମସି କମିସନରଙ୍କୁ ଏ ସଂକ୍ରାନ୍ତରେ ଆଜି ଦାବିପତ୍ର ଦେଇଛନ୍ତି। ଉଠାଇବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ସେମାନଙ୍କ ପାଇଁ ଥଇଥାନର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଅନ୍ୟପଟେ ସିଏମସି ଡେପୁଟି କମିସନର(ଏନଫୋର୍ସମେଣ୍ଟ) ଅବିନାଶ ରାଉତ କହିଛନ୍ତି ଯେ ଜବରଦଖଲ କରିଥିବା ସମସ୍ତ ବ୍ୟବସାୟୀଙ୍କୁ ଆଜି ତାଗିଦ କରାଯାଇଛି। ତୁରନ୍ତ ସେମାନେ ଏହି ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜବରଦଖଲ ପ୍ରସଂଗରେ ଶିଶୁଭବନ ପ୍ରଶାସନିକ ଅଧିକାରୀ ସୁମିତା ସିଂହ କହିଛନ୍ତି ଯେ କେଉଁଥି ପାଇଁ ସାମନା ପଟ ଗେଟ୍ ବନ୍ଦ ରହିଛି, ସେ ସମ୍ପର୍କରେ ଅଧୀକ୍ଷକଙ୍କ ସହିତ ଆଲୋଚନା କରାଯାଇ ପରବର୍ତ୍ତି ନିଷ୍ପତ୍ତି ଗ୍ରହଣ କରାଯିବ। ଲାଲବାଗ ଥାନା ଅଧିକାରୀ ରବିନାରାୟଣ ଭଞ୍ଜ କହିଛନ୍ତି ଯେ ଗେଟ୍ ବାହାରେ ଯେଉଁ ଗାଡ଼ି ପାର୍କିଂ କରାଯାଇଥିଲା ତାକୁ ହଟାଇ ଦିଆଯାଇଛି। ଦୋକାନ ହଟାଇବାକୁ ଚିନ୍ତା କରାଯାଉଛି।

ସମ୍ବନ୍ଧିତ ଖବର