ଧାମନଗରରେ ମୁକ୍ତ ଓ ଅବାଧ ନିର୍ବାଚନ ନେଇ ପୁଲିସର ପ୍ରସ୍ତୁତି: ଇଭିଏମ୍‌ ଉପରେ ନଜର ରଖିବ ସିସିଟିଭି

ଉପନିର୍ବାଚନ ନେଇ ସମୀକ୍ଷା କଲେ ପୁଲିସ ଡିଜି

କଟକ: ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ୩ ତାରିଖରେ ମତଦାନ ହେବ। ଏହାକୁ ଦୃଷ୍ଟିରେ ରଖି ପୁଲିସ ଡ଼ିଜି ସୁନୀଲ କୁମାର ବଂସଲ ଆଜି ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା କରିଛନ୍ତି। ଉପନିର୍ବାଚନ ପାଇଁ ପୁଲିସ ପକ୍ଷରୁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ନେଇ ଡିଜିପି ବିସ୍ତୁତ ଭାବେ ରାଜ୍ୟ ପୁଲିସର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବୈଠକରେ ଅବାଧ ଓ ମୁକ୍ତ ନିର୍ବାଚନ କରିବା ନେଇ ଆଲୋଚନା ହୋଇଥିଲା।

ଏହି ବୈଠକରେ ଏଡିଜିପି ଆରକେ ଶର୍ମା ଉପନିର୍ବାଚନ ସମୟରେ ମୋବାଇଲ ସ୍କ୍ବାର୍ଡ ଓ ଫ୍ଲାଇଙ୍ଗ ସ୍କ୍ବାର୍ଡକୁ କେମିତି ମୁତୟନ କରାଯିବ, ସେନେଇ କହିଥିଲେ। ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା ଲ ଆଣ୍ଡ ଅର୍ଡର ସ୍ଥିତିକୁ କିଭଳି ଭାବେ ମନିଟରିଂ କରୁଛନ୍ତି, ସେ ନେଇ ସୂଚନା ପ୍ରଦାନ କରିଥିଲେ।

ଉପନିର୍ବାଚନରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ, ୪୬ଟି ମୋବାଇଲ ପେଟ୍ରୋଲିଂ ପାର୍ଟି, ୩ଟି ଫ୍ଲାଇଂ ସ୍କ୍ବାର୍ଡ ଓ ୩ ଏଏସ୍‌ଏସ୍‌ଟି ମୁତୟନ କରିବା ନେଇ ଆଲୋଚନା ହୋଇଥିଲା। ନିର୍ବାଚନ କମିସନଙ୍କ ଗାଇଡଲାଇନ କିଭଳି କଡାକଡି ପାଳନ ହେବ ସେ ନେଇ ଆଲୋଚନା ହୋଇଥିଲା।

ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ପୁଲିସ ଏପର୍ଯ୍ୟନ୍ତ ୧୦୩୫ ଲିଟର ମଦ ଜବତ କରିବା ସହ ୮୩ଟି ଅବକାରୀ ମାମଲା ରୁଜୁ କରିଛି। ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ପଦକ୍ଷେପ ନେଇଛି। ସେଥିପାଇଁ ଷ୍ଟ୍ରଙ୍ଗରୁମରେ ସିସିଟିଭି ବ୍ୟବସ୍ଥା କରାଯାଇ ଇଭିଏମ୍‌ ଉପରେ କଡାକଡି ଭାବେ ନଜର ରଖାଯିବ। ବୈଠକରେ ପୁଲିସ ଡିଜିଙ୍କ ସମେତ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର