ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଆଜି : ବରିଷ୍ଠ ନାଗରିକ ସୁରକ୍ଷା ସେଲ୍ ସ୍ଥାଣୁ, ସୁରକ୍ଷା ନେଇ ପ୍ରଶ୍ନବାଚୀ

କଟକ: କଟକ ସହରରେ କେଉଁ ବରିଷ୍ଠ ନାଗରିକ ଏକୁଟିଆ ରହୁଛନ୍ତି? କାହାର କି ପ୍ରକାର ସମସ୍ୟା ରହିଛି? ସମସ୍ତେ ସୁରକ୍ଷିତ ତ? ଏଭଳି ତଥ୍ୟ ସଂଗ୍ରହ ସହିତ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ୫ ବର୍ଷ ପୂର୍ବ‌େ ଯୋଜନା ଆରମ୍ଭ କରିଥିଲା କମିସନରେଟ୍ ପୁଲିସ। କିନ୍ତୁ ଏଥିପାଇଁ ଥାନାସ୍ତରରେ ଖୋଲିଥିବା ବରିଷ୍ଠ ନାଗରିକ ସୁରକ୍ଷା ସେଲ ଏକ ପ୍ରକାର ସ୍ଥାଣୁ ପାଲଟିଯାଇଛି।

ଆସନ୍ତାକାଲି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସହରରେ ପ୍ରାୟ ୯୦ ହଜାର ବରିଷ୍ଠ ନାଗରିକଙ୍କ ନାଁ ପଞ୍ଜିକରଣ ହୋଇପାରି ନାହିଁ। କରୋନା ପରିସ୍ଥିତିରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଥିବା ବରିଷ୍ଠ ନାଗରିକଙ୍କୁ ଥାନାରୁ ଫୋନ କଲ ବି ଯାଉ ନାହିଁ।
ବ୍ୟବସ୍ଥା ଅନୁଯାୟୀ କମିସନରେଟ୍ ପୁଲିସରେ ପ୍ରତି ଥାନାରେ ଖୋଲିଥିବା ବରିଷ୍ଠ ନାଗରିକ ସୁରକ୍ଷା ସେଲରେ ଜଣେ ଏସ୍‌ଆଇ/ଏଏସ୍‌ଆଇ ନୋଡାଲ ଅଫିସର ଏବ˚ କନ୍‌ଷ୍ଟେବଳ ଆସିଷ୍ଟାଣ୍ଟ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଥିଲେ।

ଏମାନେ ନିଜ ଅଞ୍ଚଳରେ ଏକୁଟିଆ ରହୁଥିବା ବୟସ୍କ ଲୋକଙ୍କ ନାମ ପଞ୍ଜିକରଣ କରି ପ୍ରତି ୧୫ ଦିନରେ ଥରେ ତାଙ୍କ ଘରକୁ ଯାଇ ତାଙ୍କ କଥା ବୁଝିବେ। ଏହାର ଫଟୋ ଉଠାଇ ହ୍ବାଟସ୍‌ଆପ୍‌ ଗ୍ରୁପରେ ସେୟାର କରିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏବେ କଟକ ସହରର ଚିତ୍ର ଓଲଟା। ସହରରେ ହାରାହାରି ୯୫ ହଜାର ଜଣ ବରିଷ୍ଠ ନାଗରିକ ରହୁଥିବା ବେଳେ ଥାନାରେ ମାତ୍ର ୫ ହଜାର ଜଣଙ୍କ ନାମ ପଞ୍ଜିକରଣ କରାଯାଇଛି। ଅବଶିଷ୍ଟ ବରିଷ୍ଠ ନାଗରିକ ନାମ ପଞ୍ଜିକରଣ ପାଇଁ ବାରମ୍ବାର ଥାନାକୁ ଯାଉଥିଲେ ସୁଦ୍ଧା ପୁଲିସ କର୍ମଚାରୀ ଅଭାବ ଦର୍ଶାଇ ପଞ୍ଜିକରଣକୁ ଏଡାଇ ଯାଉଛି।

ଯଦିଓ ଦେଢ଼ ବର୍ଷ ହେବ ବରିଷ୍ଠ ନାଗରିକଙ୍କ ନାମ ପଞ୍ଜିକରଣ ବ୍ୟବସ୍ଥା ଅନ୍‌ଲାଇନରେ ଆରମ୍ଭ ହୋଇଛି, କିନ୍ତୁ ବରିଷ୍ଠ ନାଗରିକମାନେ କମ୍ପ୍ୟୁଟର ବ୍ୟବହାର ସହିତ ଜଡ଼ିତ ନଥିବାରୁ ପଞ୍ଜିକରଣ କରିପାରୁ ନାହାନ୍ତି। ସାଇବର୍ କାଫେରେ ଖର୍ଚ୍ଚାନ୍ତ ହେଉଛନ୍ତି। ୨୦୧୮ ସେପ୍ଟେମ୍ବର ୧୭ ତାରିଖରେ ତତ୍‌କାଳୀନ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପୁଲିସ ମୁଖ୍ୟାଳୟରେ ଏକ ବୈଠକରେ ସହରରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକଙ୍କ  ନାମ ପୁଲିସ ପଞ୍ଜିକରଣ କରିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଥିଲେ।

bhubaneswarcuttackpolice.gov.in

ଥାନା ସ୍ତରରେ ବରିଷ୍ଠ ନାଗରିକଙ୍କ ସହିତ ପ୍ରତି ୩ ମାସରେ ଥରେ ବୈଠକ କରି ସମସ୍ୟାର ସମାଧାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦେଶନାମା ଉପଯୁକ୍ତ ଭାବେ ପାଳନ କରାଯାଉ ନାହିଁ।

କଟକ ବରିଷ୍ଠ ନାଗରିକ ମହାସଭାର ସାଧାରଣ ସମ୍ପାଦକ ବିଷ୍ଣୁମୋହନ ଦାସ ସାମନ୍ତଙ୍କ କହିବା ଅନୁଯାୟୀ କଟକ କମିସନରେଟ ଅଞ୍ଚଳରେ କେଉଁ ବରିଷ୍ଠ ନାଗରିକ ଏକୁଟିଆ ରହୁଛନ୍ତି, ସେ ସଂକ୍ରାନ୍ତରେ ପୁଲିସ ନିକଟରେ କୌଣସି ପ୍ରକାର ତଥ୍ୟ ନାହିଁ। ଅନେକ ବରିଷ୍ଠ ନାଗରିକଙ୍କ ପିଲାଛୁଆ ବିଦେଶରେ ରହୁଥିବା ବେଳେ ସହରରେ ରହୁଥିବା ବରିଷ୍ଠ ନାଗରିକଙ୍କ ନିକଟରେ ସୁନା ଗହଣ ବି ରହୁଛି। ନିଜର ସୁରକ୍ଷା ସହ ସମ୍ପତ୍ତିର ସୁରକ୍ଷା ଏବେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି।

ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ବର ଡବଲ ମର୍ଡର ଘଟଣାକୁ ବର୍ଷେ ପୂରିବାକୁ ବସିଲାଣି। କିନ୍ତୁ ଏହି ବୃଦ୍ଧ ଦମ୍ପତିଙ୍କ ହତ୍ୟାକାରୀକୁ ଗିରଫ କରାଯାଇ ପାରି ନାହିଁ। ଦୁଇ ବର୍ଷ ହେଲା ବରିଷ୍ଠ ନାଗରିକଙ୍କ ଘରକୁ ପୁଲିସ ଭିଜିଟରେ ଆସିନାହିଁ। ଏବେ କରୋନା ସମୟରେ ବରିଷ୍ଠ ନାଗରିକମାନେ ଅଧିକ ମାତ୍ରାରେ ସମସ୍ୟାରେ ପଡ଼ୁଛନ୍ତି। ପୁଲିସ ସେମାନଙ୍କୁ ଫୋନ କଲଟିଏ ବି କରୁନାହିଁ। ଆଜି ବରିଷ୍ଠ ନାଗରିକ ଦିବସ ପାଳନ ହେଉଥିବା ବେଳେ ସହରରେ ଏଭଳି ବ୍ୟବସ୍ଥା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ବୋଲି ଶ୍ରୀ ଦାସସାମନ୍ତ କହିଛନ୍ତି।

ଅନ୍ୟପଟେ ଏ ସମ୍ପର୍କରେ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ବରିଷ୍ଠ ନାଗରିକଙ୍କ ସମ୍ପର୍କରେ ସୂଚନା ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଉଛି। ଆଗକୁ ଏହା ଅଧିକ ତ୍ବରାନ୍ବିତ ହେବ। କିନ୍ତୁ ୬ ମାସରୁ ଅଧିକ ହେଲାଣି କରୋନା ପରିସ୍ଥିତି ଯୋଗୁ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ଦୃଷ୍ଟିରୁ ପୁଲିସ ସେମାାନଙ୍କ ଘରକୁୁ ଯାଉନାହିଁ।

ସମ୍ବନ୍ଧିତ ଖବର