ମଦ ମାଫିଆ ହାଡ଼ିଆ ହତ୍ୟାକାଣ୍ତ; କାଠଯୋଡ଼ିରୁ ଖଣ୍ତା ଖୋଜୁଛି ପୁଲିସ

ଟକ: କୁଖ୍ୟାତ ମଦ ମାଫିଆ ହାଡ଼ିଆ ଓରଫ ପ୍ରକାଶ ବେହେରା ଶିବାଜୀନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସକାଳେ ମାଡ଼ ମାରିଥିଲା। ଶିବାଜୀ ନଗର ଅଞ୍ଚଳରେ ଯେଉଁ ବ୍ୟକ୍ତିଙ୍କ ବାଡ଼ିରେ ହାଡ଼ିଆ ଚୋରା ମଦ ଲୁଚାଇ ରଖୁଥିଲା ସମ୍ପୃକ୍ତ ବ୍ୟକ୍ତିଙ୍କୁ ହାଡ଼ିଆ ମାଡ଼ ମାରିଥିଲା। ମଦ ରଖିବା ଘଟଣାକୁ କେନ୍ଦ୍ର କରି ସମ୍ପୃକ୍ତ ବ୍ୟକ୍ତି ହାଡ଼ିଆକୁ ୨ ତାରିଖ ସକାଳେ ବିରୋଧ କରିଥିଲେ। ହାଡ଼ିଆ ରାଗିଯାଇ ତାଙ୍କୁ ମାଡ଼ ମାରିଥିଲା। ଏହି ଘଟଣାରେ ମାଡ଼ ଖାଇଥିବା ବ୍ୟକ୍ତି ପ୍ରତିଶୋଧ ନେବାକୁ ନିଜ ଭାଇ ସହିତ ମିଶି ରାତିରେ ହାଡ଼ିଆକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିବା ପୁଲିସ ତଦନ୍ତରୁ ସୁରାକ୍ ପାଇଛି। ଦୁଇ ଭାଇଙ୍କୁ ହାଡ଼ିଆ ଗଲା କିଛି ମାସ ହେବ ଏଭଳି ଆକ୍ରମଣ କରି ଆସୁଥିବାରୁ ସେମାନେ ପ୍ରତିଶୋଧ ନେବା ପାଇଁ ସୁଯୋଗ ଉଣ୍ଡି ଆସିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଶିବାଜୀ ନଗରରେ ହାଡ଼ିଆ ରହିବା ଦିନଠାରୁ ସ୍ଥାନୀୟ ବାସିନ୍ଦାଙ୍କ ସହିତ ପୂର୍ବ ବିବାଦ ଲାଗି ରହିଥିଲା। ବିବାଦର ମୁଖ୍ୟ କାରଣ ମଦର ଦର ବୋଲି କୁହାଯାଉଥିଲା। ହାଡ଼ିଆ ଚୋରା ମଦ ବିକ୍ରି କରୁଥିବାରୁ ସ୍ଥାନୀୟ ବାସିନ୍ଦା, ପୁତୁରା ଓ ଭଣଜାମାନେ ଅଳ୍ପ ମୂଲ୍ୟରେ ମଦ କିଣିବାକୁ ହାଡ଼ିଆକୁ ବାଧ୍ୟ କରୁଥିଲେ। ଏହି ମଦ କିଣା ବିକା କାରବାର ପାଇଁ ବିବାଦୀୟ ପରିସ୍ଥିତି ଅନେକ ସମୟରେ ସୃଷ୍ଟି ହୋଇଥିଲା। ୨ ତାରିଖ ରାତି ପ୍ରାୟ ୮ଟା ବେଳେ ଇପସାର ଗଡ଼ା ନିକଟରେ ହାଡ଼ିଆ ବାଲି ଗୋଡ଼ି ଦୋକାନ ବାହାରେ ଥିବା ସମୟରେ ଦୁଇ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ। ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତମାନେ ମାରାଣାସ୍ତ୍ରଟିକୁ କାଠଯୋଡ଼ିରେ ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରୁଛି।

Sambad

ତେଣୁ ପୁଲିସ ଏବେ ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ନଦୀରୁ ଚୁମ୍ବକ ମାଧ୍ୟମରେ ମାରାଣାସ୍ତ୍ର ଖୋଜୁଥିବା କୁହାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୁଲିସ ହାତରେ ସେଭଳି କିଛି ମାରାଣାସ୍ତ୍ର ମିଳିପାରି ନାହିଁ। ଯଦି ନଦୀରେ ମାରଣାସ୍ତ୍ର ପଡ଼ିଥିବ ତେବେ ବାଲି ଚରିଯାଇଥିଲେ ପୁଲିସକୁ ଠାବ କରିବାରେ ସମସ୍ୟା ହେବାର ଆଶଙ୍କା ରହିଛି। ସେଦିନ ଦୁର୍ବୃତ୍ତମାନେ ହାଡ଼ିଆକୁ ଆକ୍ରମଣ ପରେ ଦୋକାନ ଭିତରେ ଥିବା ଦୋକାନ କର୍ମଚାରୀ ମୁକେଶଙ୍କୁ ବି ଛାଡ଼ି ନଥିଲେ। ତାଙ୍କୁ ବି ଆକ୍ରମଣ କରିଥିଲେ। ହାଡ଼ିଆର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମୁକେଶ ଅଳ୍ପକେ ବର୍ତ୍ତିଯାଇଥିଲେ। ତେବେ ମୁକେଶଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ହାପ ପ୍ୟାଣ୍ଟ ଓ ଗଞ୍ଜି ପିନ୍ଧି ଆସିଥିବା କୁହାଯାଉଛି।

ଦୋକାନ ଅନ୍ଧାର ଥିବାରୁ ନିର୍ଦ୍ଦିଷ୍ଟ ଭାବେ ତାଙ୍କୁ ଖଣ୍ଡା ଚୋଟ ମାରିଥିବା ଲୋକଟିକୁ ହଠାତ୍ ଜାଣିବା ସମ୍ଭବପର ନଥିଲା। କିନ୍ତୁ ପୁଲିସ ୨ ତାରିଖ ସକାଳେ ଉଭୟ ହାଡ଼ିଆ ଓ ଦୁର୍ବୃତ୍ତଙ୍କ ଭିତରେ ଘଟିଥିବା ବିବାଦକୁ ହତ୍ୟାକାଣ୍ଡର ମୂଳ କାରଣ ବୋଲି ଏବେ ଜାଣିବାକୁ ପାଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଦୁର୍ବୃତ୍ତ ଶିବାଜୀ ନଗର ଅଞ୍ଚଳର ହୋଇଥିବା ବେଳେ ସେମାନେ ୨ ତାରିଖ ବିଳମ୍ବିତ ରାତିରେ କଟକ ସହର ଛାଡ଼ି ଫେରାର ହୋଇଯାଇଥିଲେ। ଆଠଗଡ଼ ଓ ବଡମ୍ବା ଅଞ୍ଚଳରେ ଲୁଚି ରହିଥିବା ପୁଲିସ ଖବର ପାଇଥିଲା। ମୋବାଇଲ୍ ଟ୍ରାକିଂ କରି ପୁଲିସ ଟିମ୍ ସେଠାରେ ଚଢ଼ଉ କରିଥିଲା। କିନ୍ତୁ ପୁଲିସ ପିଛା କରୁଥିବା ଜାଣି ଦୁଇ ଦୁର୍ବୃତ୍ତ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରିଦେଇଥିବା କୁହାଯାଉଛି। ପୁଲିସ ଏବେ ସେମାନଙ୍କୁ ଟ୍ରାକିଂ କରିବାରେ ସମସ୍ୟା ହେଉଛି।

ସେମାନେ ଯାଜପୁରରେ ଥିବା ଜଣେ ବନ୍ଧୁ ଘରକୁ ପଳାଇଥିବା ପୁଲିସ ଖବର ପାଇଥିଲା। ସେଠାରେ ବି ଚଢ଼ଉ କରିଥିଲା ପୁଲିସ ଟିମ୍। ଯାଜପୁର ଉଭୟ ଯାଇଥିବା ବେଳେ ପୁଲିସ ଚଢ଼ଉ ପୂର୍ବରୁ ଫେରାର ହୋଇଯାଇଥିଲେ। ସେଠୁ ପୁଣି ଭୁବନେଶ୍ବର ଫେରିଆସିଥିଲେ। ପୁଲିସ ଯାଜପୁରରୁ ସେମାନଙ୍କ ସମ୍ପର୍କୀୟଙ୍କ ନିକଟରୁ ଖବର ପାଇ ଭୁବନେଶ୍ବର ପିଛା କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ କୌଣସି ପତ୍ତା ମିଳିପାରି ନାହିଁ। ଅନ୍ୟପଟେ ପୁଲିସ ବର୍ତ୍ତମାନ ସୁଦ୍ଧା ୧୫ରୁ ଅଧିକ ବ୍ୟକ୍ତିଙ୍କୁ ଘଟଣା ସମ୍ପର୍କରେ ଜେରା କରି ସାରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର